ଘରୋଇ ଇଂରାଜୀ ମାଧ୍ୟମ ବିଦ୍ୟାଳୟରେ, ଛାତ୍ରୀଙ୍କୁ ଅସଦାଚରଣ

ଥାନା ଆଗରେ ଅଭିଭାବକଙ୍କ ହୋହଲ୍ଲା, ଘଟଣାର ୨୫ ଦିନ ପରେ ଅଭିଯୁକ୍ତ ଶିକ୍ଷକ ନିଲମ୍ବିତ

ଚନ୍ଦ୍ରଶେଖରପୁର : ଘରୋଇ ଇଂରାଜୀ ମାଧ୍ୟମ ବିଦ୍ୟାଳୟରେ ଛାତ୍ରୀଙ୍କୁ ଅସଦାଚରଣ। ଘଟଣା ଘଟିବାର ୨୫ ଦିନ ପରେ ନିଲମ୍ବିତ ହୋଇଛନ୍ତି ଅଭିଯୁକ୍ତ ଶିକ୍ଷକ। ଆଜି ଚନ୍ଦ୍ରଶେଖରପୁର ଥାନା ସମ୍ମୁଖରେ କେତେକ ଅଭିଭାବକ ହୋ ହଲ୍ଲା କରିବାରୁ ଏଭଳି କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ଥାନା ସମ୍ମୁଖରେ ଉତ୍ତେଜନା ପ୍ରକାଶ ପାଇବାରୁ ପୁଲିସ୍‌ ସମ୍ପୃକ୍ତ ଶିକ୍ଷାନୁଷ୍ଠାନରେ ପହଞ୍ଚିଥିଲା। ଫଳରେ ଚୁପ୍‌ ବସିଥିବା ଉକ୍ତ ଶିକ୍ଷାନୁଷ୍ଠାନର କର୍ତ୍ତୃପକ୍ଷ ଏପରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ଏଭଳି ଏକ ଅଭାବନୀୟ ଘଟଣା ଚନ୍ଦ୍ରଶେଖରପୁର ଥାନା ଅଧୀନରେ ଘଟିଛି। ବିଦ୍ୟାଳୟ କର୍ତ୍ତୃପକ୍ଷ ଅଭିଯୁକ୍ତ ଗଣିତ ଶିକ୍ଷକ ଅବଦୁଲ୍ ସଲିମଙ୍କୁ ନିଲମ୍ବିତ କରିଛନ୍ତି।

ସୂଚନା ଅନୁଯାୟୀ ଗତ ମାସ ୯ ତାରିଖରେ ସ୍କୁଲର ଦୁଇ ଜଣ ଛାତ୍ରୀ ଗଣିତ ଶିକ୍ଷକ ଅବଦୁଲ୍ ସଲିମଙ୍କ ନିକଟକୁ ଯାଇ ଖାତା ଦେଖାଉଥିବା ବେଳେ ସେ ଛାତ୍ରୀ ଦ୍ବୟଙ୍କୁ ଅସଦାଚରଣ କରିଥିଲେ। ଛାତ୍ରୀ ଦ୍ବୟ ଘରକୁ ଫେରିବା ପରେ ଏ ସଂପର୍କରେ ଅଭିଭାବକଙ୍କୁ ଜଣାଇଥିଲେ। ଅଭିଭାବକ ସ୍କୁଲ୍ ଅଧ୍ୟକ୍ଷଙ୍କୁ ଅଭିଯୋଗ କରିବା ସହ ଚନ୍ଦ୍ରଶେଖରପୁର ଥାନାରେ ଏତଲା ଦେଇଥିଲେ। ହେଲେ ପୁଲିସ୍ ସ୍କୁଲ୍‌ କର୍ତ୍ତୃପକ୍ଷଙ୍କୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ନିର୍ଦ୍ଦେଶ ଦେଇ ଘଟଣାକୁ ହାଲକା ଭାବରେ ‌ନେଇଥିଲା। ତେବେ କାର୍ଯ୍ୟାନୁଷ୍ଠାନରେ ବିଳମ୍ବ ହେବାରୁ ଆଜି ଥାନା ସମ୍ମୁଖରେ ହୋ ହଲ୍ଲା ହେବା ପରେ ପୁଲିସ୍ ସ୍କୁଲରେ ପହଞ୍ଚିଥିଲା। ସେଠାରେ କିଛି ସମୟ ଆଲୋଚନା କରିବା ପରେ ସ୍କୁଲ୍‌ର ଅଧ୍ୟକ୍ଷ ଏହି କାର୍ଯ୍ୟାନୁଷ୍ଠାନ ବାବଦରେ ଘୋଷଣା କରିଥିଲେ। ତେବେ ପୁଲିସ୍‌ ଘଟଣା ଦିନର ସିସିଟିଭି ଫୁଟେଜ୍‌ ଜବତ କରିଥିଲେ ମଧ୍ୟ କାହିଁକି କର୍ଯ୍ୟାନୁଷ୍ଠାନ ଗ୍ରହଣ କରୁ ନଥିଲା, ସ୍କୁଲ କର୍ତ୍ତୃପକ୍ଷ କାହିଁକି ୨୫ ଦିନ ଧରି ଚୁପ୍‌ ବସିଥିଲେ, ପୁଲିସ୍‌-କର୍ତ୍ତୃପକ୍ଷଙ୍କ ମଧ୍ୟରେ କ’ଣ କଥାବାର୍ତ୍ତା ହେଲା ଯେ ସଙ୍ଗେ ସଙ୍ଗେ କାର୍ଯ୍ୟାନୁଷ୍ଠାନ ନିଆଗଲା, ତାହା ଅଭିଭାବକଙ୍କ ମଧ୍ୟରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଏ ନେଇ ଚନ୍ଦ୍ରଶେଖରପୁର ଥାନା ପକ୍ଷରୁ କୁହାଯାଇଛି େଯ ମାମଲାର ତଦନ୍ତ ଚାଲିଛି, ଛାତ୍ରୀଙ୍କ ବୟାନ ନିଆଯିବା ପରେ କାର୍ଯ୍ୟାନୁଷ୍ଠାନ ହେବ। ଅନ୍ୟପକ୍ଷରେ ସ୍କୁଲ୍‌ର ଅଧ୍ୟକ୍ଷ କହିଛନ୍ତି, ଅଭିଭାବକଙ୍କ ଅଭିଯୋଗକୁ ଭିତ୍ତିକରି ଶିକ୍ଷକଙ୍କୁ କାର୍ଯ୍ୟରୁ ନିଲମ୍ବିତ କରାଯାଇଛି ଓ ପୁଲିସ୍ ଘଟଣାର ତଦନ୍ତ କରୁଛି।

ଛାତ୍ରୀଙ୍କୁ ଅସଦାଚରଣ, ଅଧ୍ୟାପକ ଗିରଫ
ଚନ୍ଦ୍ରଶେଖରପୁର : ଛାତ୍ରୀଙ୍କୁ ଅସଦାଚରଣ କରିବା ଅଭିଯୋଗରେ ଚନ୍ଦ୍ରଶେଖରପୁର ଥାନା ପୁଲିସ ଜଣେ ଅଧ୍ୟାପକଙ୍କୁ ଗିରଫ କରିଛି। ସେ ହେଲେ ଗଞ୍ଜାମ ପୁରୁଷୋତ୍ତମପୁର ଥାନା ଅଧୀନ ସୋଲଘରର ଅଶୋକ ମୁଦୁଲି(୩୯)। ଏଠାରେ ହାଉସିଂ ବୋର୍ଡ କଲୋନିରେ ରୁହନ୍ତି। ପୁଲିସ ସୂଚନା ଅନୁଯାୟୀ ଅଧ୍ୟାପକ ଶ୍ରୀ ମୁଦୁଲି ହାଉସିଂ ବୋର୍ଡ କଲୋନି ରାସ୍ତାରେ ଛାତ୍ରୀ ଜଣଙ୍କୁ ଅସଦାଚରଣ କରୁଥିବା ବେଳେ ପରିବାର ଲୋକ ଖବର ପାଇଥିଲେ। ଘଟଣାସ୍ଥଳରେ ପହଞ୍ଚିବା ପରେ ସେଠାରେ ପରିବାରବର୍ଗ ଓ ଅଧ୍ୟାପକ ମୁହାଁମୁହିଁ ହୋଇଥିଲେ। ଖବରପାଇ ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ଅଧ୍ୟାପକଙ୍କୁ ଗିରଫ କରିଥିଲା। ଅନ୍ୟପଟେ ଟିଉସନ୍‌କୁ ନେଇ ଛାତ୍ରୀଙ୍କ ସହ ଅଧ୍ୟାପକଙ୍କର କଥାବାର୍ତ୍ତା ହୋଇଥିଲା। କଥାବାର୍ତ୍ତାକୁ ଅସଦାଚରଣ ରୂପ ଦେଇ ତାଙ୍କୁ ଫସାଇ ଦିଆଯାଇଛି ବୋଲି ଅଧ୍ୟାପକ ସଫେଇ ଦେଇଛନ୍ତି।

ସମ୍ବନ୍ଧିତ ଖବର