ପ୍ରଫେସରଙ୍କ ଫେସ୍‌ବୁକ୍‌ରେ ଅଶ୍ଳୀଳ ଭିଡିଓ

ଖଣ୍ଡଗିରି: ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ (ଓୟୁଏଟି)ର ଜଣେ ପ୍ରଫେସରଙ୍କ ଫେସ୍‌ବୁକ୍‌ରେ ଅଶ୍ଳୀଳ ଭିଡିଓ ଅପ୍‌ଲୋଡ୍‌ ହୋଇଥିବା ଭଳି ଏକ ଅଭାବନୀୟ ଘଟଣା ଆଜି ରାଜଧାନୀରେ ଚର୍ଚ୍ଚାର ବିଷୟ ପାଲଟିଛି। ଘଟଣା ଜଣାପଡ଼ିବା ପରେ ଓୟୁଏଟିରେ ଏକପ୍ରକାର ହଟଚମଟ ସୃଷ୍ଟି ହୋଇଥିଲା। ଅନ୍ୟ କେହି ତାଙ୍କ ଫେସ୍‌ବୁକ୍‌ରେ ଏଭଳି ଖରାପ ଭିଡିଓ ଅପ୍‌ଲୋଡ୍‌ କରିଥିବା ନେଇ ପ୍ରଫେସର କହୁଥିଲେ ବି ପୁଲିସ ନିକଟରେ କୌଣସି ଲିଖିତ ଅଭିଯୋଗ କରିନଥିବା ଜଣାପଡ଼ିଛି। ତେବେ ଅଧିକ ପ୍ରଘଟ ହେବା ପୂର୍ବରୁ ଉକ୍ତ ଭିଡିଓକୁ ଅପସାରଣ କରି ଦିଆଯାଇଛି। ପ୍ରାଣୀ ଚିକିତ୍ସା ବିଭାଗର ପ୍ରଫେସର ମନୋରଂଜନ ଦାଶଙ୍କ ଫେସ୍‌ବୁକ୍‌ରେ ଏଭଳି ଭିଡିଓ ଅପ୍‌ଲୋଡ୍‌ ହୋଇଥିଲା। ଆଜି ସକାଳେ ତାଙ୍କର ଜଣେ ସହକର୍ମୀ ତାଙ୍କୁ ଫୋନ୍‌ କରି ଏହା ଜଣାଇବା ପରେ ପ୍ରଫେସର ଶ୍ରୀ ଦାଶ ଏହା ଜାଣିଥିଲେ। କିନ୍ତୁ ସେତେବେଳକୁ ତାଙ୍କ ଫେସ୍‌ବୁକ୍‌ ବହୁ ଲୋକଙ୍କ ଦୃଷ୍ଟିଗୋଚର ହୋଇ ସାରିଥିଲା। ଘଟଣା ପ୍ରଘଟ ହେବା ପରେ ଓୟୁଏଟିରେ ସରଗରମ ଚର୍ଚ୍ଚା ଆରମ୍ଭ ହୋଇ ଯାଇଥିଲା। ତେବେ ଏ ନେଇ ପ୍ରଫେସର ଶ୍ରୀ ଦାସଙ୍କ କହିବା କଥା ଯେ ବିଭାଗରେ ତାଙ୍କର ବହୁ ବିରୋଧୀ ଅଛନ୍ତି। ତାଙ୍କ ଫେସ୍‌ବୁକ୍‌ର ଆଇଡି ମଧ୍ୟ ବହୁ ଲୋକଙ୍କୁ ଜଣା। ତେଣୁ ତାଙ୍କୁ ବଦ୍‌ନାମ କରିବା ପାଇଁ କେହି ଏଭଳି କୁତ୍ସିତ କାଣ୍ଡ କରିଥିବା ସେ ଅଭିଯୋଗ କରିଛନ୍ତି। ତେବେ ଘଟଣା ସମ୍ପର୍କରେ ସେ ବିଭାଗୀୟ ପଦାଧିକାରୀଙ୍କୁ ଅବଗତ କରାଇବା ପରେ ଆଇନ ଅନୁସାରେ ପଦକ୍ଷେପ ନେବେ ବୋଲି କହିଥିଲେ। ମାତ୍ର ସେ ପୁଲିସରେ ଅଭିଯୋଗ କରିନଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର