ମୋ ବସ୍ କ୍ୟାପଟେନ୍ ଓ ଗାଇଡଙ୍କ ଦକ୍ଷତା ପ୍ରଶିକ୍ଷଣ କର୍ମଶାଳା : ବସ୍ କ୍ୟାପଟେନ ଓ ଗାଇଡ ଭୁବନେଶ୍ବରର ରାଜଦୂତ

ଦୈନିକ ୬୦ ହଜାର ଯାତ୍ରୀ ଯାତ୍ରା କରୁଛନ୍ତି, ଖୁବ୍ ଶୀଘ୍ର ଗଡ଼ିବ ଆହୁରି ୧୦୦ ବସ୍

ଭୁବନେଶ୍ବର : ମୋ ବସ୍‌ର କ୍ୟାପଟେନ୍‌ ଓ ଗାଇଡମାନେ ଭୁବନେଶ୍ବରର ରାଜଦୂତ। ଭୁବନେଶ୍ବରକୁ ଆସୁଥିବା ଅଧିକାଂଶ ଅତିଥି ଓ ପର୍ଯ୍ୟଟକମାନେ ହିଁ ପ୍ରଥମେ ସେମାନଙ୍କୁ ଭେଟିଥାନ୍ତି। ସେମାନଙ୍କ ବ୍ୟବହାର ସହରର ବ୍ୟବହାର ବୋଲି ଜଣାପଡ଼ିଥାଏ। ପର୍ଯ୍ୟଟକଙ୍କ ମନରେ ସହରର ଭାବନାକୁ ନେଇ ପରିବର୍ତନ ଆସେ। ମୋ ବସ କ୍ୟାପଟେନ ଓ ଗାଇଡମାନେ ଚାହିଁଲେ କିଛି ସମୟର କଥାବାର୍ତା ମାଧ୍ୟମରେ ରାଜ୍ୟର ପର୍ଯ୍ୟଟନ କ୍ଷେତ୍ରର ମଧ୍ୟ ପ୍ରଚାର ପ୍ରସାର କରି ପାରିବେ ବୋଲି କହିଛନ୍ତି ଓଡ଼ିଶା ଦକ୍ଷତା ବିକାଶ ପ୍ରାଧିକରଣର ଅଧ୍ୟକ୍ଷ ସୁବ୍ରତ ବାଗ୍‌ଚୀ।

ଆଜି ଇନଷ୍ଟିଚ୍ୟୁଟ ଅଫ୍ ହୋଟେଲ ମ୍ୟାନେଜମେଣ୍ଟ ପରିସରରେ ମୋ ବସ କ୍ୟାପଟେନ ଓ ଗାଇଡଙ୍କ ଦକ୍ଷତା ପ୍ରଶିକ୍ଷଣ କର୍ମଶାଳାରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଶ୍ରୀ ବାଗଚୀ କହିଲେ, ଏବେ ପ୍ରତ୍ୟେକ ଦିନ ମୋ ବସରେ ୬୦ ହଜାର ଯାତ୍ରୀ ଯାତାୟାତ କରୁଛନ୍ତି। ଆସନ୍ତା ୩/୪ ମାସ ମଧ୍ୟରେ ଏଥିରେ ବୃଦ୍ଧି ଘଟି ୧ ଲକ୍ଷରେ ପହଞ୍ଚିବ। ଖୁବ୍ ଶୀଘ୍ର ଆହୁରି ୧୦୦ଟି ମୋ ବସ୍ ଗଡ଼ିବାକୁ ଯୋଜନା ହୋଇଛି ବୋଲି ଶ୍ରୀ ବାଗଚୀ ସୂଚନା ଦେଇଛନ୍ତି।

ଅନ୍ୟତମ ଅତିଥି ଭାବେ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ସଚିବ ସଞ୍ଜୟ କୁମାର ସିଂହ କହିଛନ୍ତି, ମୋ ବସର କର୍ମକର୍ତାଙ୍କୁ ପ୍ରଶିକ୍ଷଣ ପ୍ରଦାନ କରିବା ଏକ ଅନନ୍ୟ କାର୍ଯ୍ୟକ୍ରମ। ଯାହା ପରୀକ୍ଷାମୂଳକ ଭାବେ ଓଡ଼ିଶାରେ ଆରମ୍ଭ ହୋଇଛି। ଏପରିକି ମୋ ବସ୍ କ୍ୟାପଟେନ୍‌ ଓ ଗାଇଡମାନଙ୍କୁ ଉନ୍ନତମାନର ତାଲିମ ଦେବା ପାଇଁ ସିଙ୍ଗାପୁର ଓ ଦୁବାଇ ପଠାଯିବାକୁ ମଧ୍ୟ ସ୍ଥିର ହୋଇଛି।

ସେହିପରି କ୍ରୁଟ୍‌ର ପରିଚାଳନା ନି‌ର୍ଦେଶକ ଡ. କ୍ରିଷନ କୁମାର କହିଛନ୍ତି, କ୍ୟାପଟେନ ଓ ଗାଇଡମାନଙ୍କୁ ବିଭିନ୍ନ ପ୍ରକାର ତାଲିମ ଦିଆଯାଉଛି। କିଭଳି ସେମାନେ ଯାତ୍ରୀମାନଙ୍କୁ ଉତ୍ତମ ବ୍ୟବହାର କରିବେ, ଯାତ୍ରୀମାନଙ୍କ ସହିତ କେମିତି ବିଭିନ୍ନ ଭାଷାରେ କଥାବର୍ତା ହୋଇ ପାରିବେ ତାହା ଉପରେ ମଧ୍ୟ ତାଲିମ ଦିଆଯାଉଛି। ଯାତ୍ରୀମାନଙ୍କ ବିଭିନ୍ନ ପ୍ରଶ୍ନର ଉତ୍ତର ଦେବା ସହିତ ସେମାନଙ୍କୁ ସହର ସମ୍ପର୍କରେ କେମିତି ଉତ୍ତମ ସୂଚନା ଦେଇ ପାରିବେ, ନିଜର ବ୍ୟବହାର, ଚରିତ୍ର ସୁଧାରିବା ଉପରେ ମଧ୍ୟ ତାଲିମ ପ୍ରଦାନ କରାଯାଉଛି ବୋଲି ଡ. କୁମାର ସୂଚନା ଦେଇଛନ୍ତି। କ୍ୟାପଟେନ ଓ ଗାଇଡମାନଙ୍କୁ ପ୍ରଶିକ୍ଷଣ କେବଳ ସ୍ଥାନୀୟ ଯାତ୍ରୀ ନୁହେଁ ବରଂ ପର୍ଯ୍ୟଟକମାନଙ୍କୁ ମଧ୍ୟ ଏକ ସୁଖଦ ଅନିଭୂତି ପ୍ରଦାନ କରିବାରେ ସହାୟକ ହେବ ବୋଲି ଡ. କୁମାର କହିଛନ୍ତି।

ଏହି କାର୍ଯ୍ୟକ୍ରମରେ ୧୬ଶହ କ୍ୟାପଟେନ୍‌ ଓ ଗାଇଡମାନଙ୍କୁ ତାଲିମ ପ୍ରଦାନ କରାଯିବ। ଆଜି ପ୍ରଥମ ପର୍ଯ୍ୟାୟରେ ୫୦ ଜଣ କ୍ୟାପଟେନ୍‌ ଓ ଗାଇଡମାନଙ୍କୁ ତାଲିମ ଦିଆଯାଇଛି। ଅନ୍ୟମାନଙ୍କ ମଧ୍ୟରେ କାର୍ଯ୍ୟକ୍ରମରେ ଓଏସ୍‌ଡିଏ ପକ୍ଷରୁ ରା‌ଜେଶ ପ୍ରଭାକର ପାଟିଲ, ଟାଟା ଷ୍ଟ୍ରାଇଭ୍‌ର ସିଇଓ ଅନିତା ରାଜନ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର