ସ୍ଥିତି ସଜାଡ଼ୁଛି ‘ମୋ ସ୍କୁଲ’, ୨୩ ସ୍କୁଲ ଆକାଉଣ୍ଟରେ ୩୧ ଲକ୍ଷ ଟଙ୍କା

ଭୁବନେଶ୍ୱର : ‘ମୋ ସ୍କୁଲ’। ରାଜ୍ୟ ସରକାରଙ୍କ ପକ୍ଷରୁ ଗତବର୍ଷ ଶିଶୁ ଦିବସରେ ଆରମ୍ଭ ହୋଇଥିବା ଏହି ଯୋଜନାରେ ଏବେ ବିଏମ୍‌ସି ଅଞ୍ଚଳର ଅଧିକାଂଶ ସ୍କୁଲ ସାମିଲ ହୋଇଛନ୍ତି। ପୁରାତନ ଛାତ୍ରଛାତ୍ରୀଙ୍କୁ ନେଇ ବିଦ୍ୟାଳୟଗୁଡ଼ିକରେ କମିଟି ଗଠନ ହେବା ସହ ୬୦ ପ୍ରତିଶତ ବିଦ୍ୟାଳୟରେ ବ୍ୟାଙ୍କ ଆକାଉଣ୍ଟ ଖୋଲା ଯାଇଛି।

ବିଏମ୍‌ସି ଅଧୀନରେ ଥିବା ସରକାରୀ ପ୍ରାଥମିକ, ଉଚ୍ଚ ପ୍ରାଥମିକ, ଉଚ୍ଚ ବିଦ୍ୟାଳୟରେ ପ୍ରାୟ ୩୦ ହଜାର ଛାତ୍ରଛାତ୍ରୀ ଶିକ୍ଷା ଗ୍ରହଣ କରୁଛନ୍ତି। ସେମାନଙ୍କୁ ଗୁଣାତ୍ମକ ଶିକ୍ଷା ପ୍ରଦାନ ସହ ବିଦ୍ୟାଳୟଗୁଡ଼ିକର ଭିତ୍ତିଭୂମି ସୁଦୃଢ଼ କରିବା ପାଇଁ ପୁରାତନ ଛାତ୍ରଛାତ୍ରୀ ଏବେ ହାତ ବଢ଼ାଉଛନ୍ତି। କିଏ ଟଙ୍କା ଆକାରରେ ବିଦ୍ୟାଳୟକୁ ସହାୟତା ଯୋଗାଉଛନ୍ତି ତ ଆଉ କିଏ ପିଲାଙ୍କ ସୁବିଧା ଲାଗି ସମାଗ୍ରୀ ଦେଇଛନ୍ତି। ମାତ୍ର ୮ ମାସ ମଧ୍ୟରେ ‘ମୋ ସ୍କୁଲ’ ବେଶ୍‌ ସଫଳତା ହାସଲ କରିଛି। ବିଶେଷକରି ହାଇସ୍କୁଲଗୁଡ଼ିକ ଏ କ୍ଷେତ୍ରରେ ଆଗରେ ରହିଥିବା ଜଣାପଡ଼ିଛି। ଅଧିକାଂଶ ହାଇସ୍କୁଲ ପୁରାତନ ଛାତ୍ରଛାତ୍ରୀଙ୍କୁ ନେଇ କମିଟି ଗଠନ କରିବା ସହ ବିଦ୍ୟାଳୟ ଆକାଉଣ୍ଟ ଖୋଲିଛନ୍ତି।

ସୂଚନା ଅନୁଯାୟୀ, ଗତ ଶନିବାର ସୁଦ୍ଧା ୩୮ ବିଦ୍ୟାଳୟର ପୁରାତନ ଛାତ୍ରଛାତ୍ରୀ ଅର୍ଥ ଓ ସାମଗ୍ରୀ ବିଦ୍ୟାଳୟକୁ ପ୍ରଦାନ କରିଛନ୍ତି। ଏଥିମଧ୍ୟରୁ ୨୩ଟି ବିଦ୍ୟାଳୟ ଆକାଉଣ୍ଟରେ ୩୧ ଲକ୍ଷ ୩୫ ହଜାର ଟଙ୍କା ଡିପୋଜିଟ୍‌ ହୋଇଛି। ୟୁନିଟ୍‌-୯ ସରକାରୀ ବାଳକ ଉଚ୍ଚ ବିଦ୍ୟାଳୟରେ ୧୩ ଲକ୍ଷ ଟଙ୍କା ଡିପୋଜିଟ୍‌ ହୋଇଛି। ଏହା ତଳକୁ ୟୁନିଟ୍‌-୮ ସରକାରୀ ବାଳକ ଉଚ୍ଚ ବିଦ୍ୟାଳୟରେ ୯ ଲକ୍ଷ ୮୦ ହଜାର, ୟୁନିଟ୍‌-୬ ସରକାରୀ ହାଇସ୍କୁଲରେ ୭ ଲକ୍ଷ ୫ ହଜାର, ବିଏମ୍‌ ହାଇସ୍କୁଲରେ ୫୦ହଜାର ୫୦୦, କପିଳେଶ୍ୱର ପ୍ରସାଦ ହାଇସ୍କୁଲ ଓ ବଡ଼ଗଡ଼ ସରକାରୀ ହାଇସ୍କୁଲରେ ୧୫ ହଜାର ଲେଖାଏ, କପିଳେଶ୍ୱର ପ୍ରସାଦ ୟୁଜିୟୁପି ଓ ଯଦୁପୁରସ୍ଥିତ ମମତାଜ୍‌ ଅଲ୍ଲୀ ହାଇସ୍କୁଲରେ ୧୦ ହଜାର ଲେଖାଏ ଟଙ୍କା ଡିପୋଜିଟ୍‌ ହୋଇଥିବା ସେ କହିଛନ୍ତି। ସବୁଠାରୁ ବଡ଼ କଥା ହେଉଛି ଯେ ‘ମୋ ସ୍କୁଲ’ ଯୋଜନା ମାଧ୍ୟମରେ କିଛି ବିଦ୍ୟାଳୟର ଭିତ୍ତିଭୂମି ସୁଦୃଢ଼ ହେଉଛି। ପୁରାତନ ଛାତ୍ରଛାତ୍ରୀ ବିଦ୍ୟାଳୟକୁ ଡେକ୍ସ ଓ ବେଞ୍ଚ ପ୍ରଦାନ କରିଛନ୍ତି। ଏବେ ପଢ଼ୁଥିବା ଛାତ୍ରଛାତ୍ରୀଙ୍କୁ ଜୋତା ବି ଯୋଗାଇ ଦେଇଛନ୍ତି। ବିଦ୍ୟାଳୟକୁ ଆଲମିରା, ଫ୍ୟାନ୍‌, ପ୍ଲାଷ୍ଟିକ୍‌ ଚେୟାର, କାନ୍ଥ ଘଣ୍ଟା, ସ୍କୁଲ ବ୍ୟାଗ୍‌, ପେନ୍‌, ଓ୍ଵାଟର କୁଲିଂ, ଆକ୍ୱାଗାର୍ଡ, ଡିକ୍ସିନାରି, କମ୍ପ୍ୟୁଟର, ସାଉଣ୍ଡ ବକ୍ସ ଆଦି ଯୋଗାଇ ଦେଇଛନ୍ତି।

ଭୁବନେଶ୍ୱର ବ୍ଲକ ଶିକ୍ଷା ଅଧିକାରୀ ସସ୍ମିତା ମାଳିଙ୍କ କହିବାନୁଯାୟୀ ‘ମୋ ସ୍କୁଲ’ ପ୍ରତି ଆଗ୍ରହ ଦିନକୁ ଦିନ ବଢ଼ୁଛି। ୬୦ ପ୍ରତିଶତ ସ୍କୁଲରେ ଏବେ ସୁଦ୍ଧା ଆକାଉଣ୍ଟ ଖୋଲା ସରିଛି। ଅଧିକାଂଶ ସ୍କୁଲରେ ଆଲୁମିନି କମିଟି ଗଠନ ହୋଇଛି। ପୁରାତନ ଛାତ୍ରଛାତ୍ରୀ ନିଜ ଆଡ଼ୁ ଆଗ୍ରହ ପ୍ରକାଶ କରି ସହଯୋଗର ହାତ ବଢ଼ାଉଛନ୍ତି। ଏହାଦ୍ୱାରା ସହରରେ ଥିବା ସ୍କୁଲଗୁଡ଼ିକର ଭିତ୍ତିଭୂମି ସୁଦୃଢ଼ ହୋଇପାରିବ।

ସମ୍ବନ୍ଧିତ ଖବର