ମାତିଲେ ଲୁଟେରା : ୫ଜଣଙ୍କଠାରୁ ମୋବାଇଲ ଲୁଟ୍‌

ପୁରୁଣା ଭୁବନେଶ୍ୱର : ମାତିଛନ୍ତି ମୋବାଇଲ୍‍ ଲୁଟେରା। ଆଜି ଶ୍ରୀଲିଙ୍ଗରାଜ ମନ୍ଦିର ନିକଟରୁ ୫ଜଣଙ୍କ ମୋବାଇଲ ଲୁଟ୍‌ କରି ନେଇଛନ୍ତି। ଆଜି ସନ୍ଧ୍ୟାରେ ଗଣମାଧ୍ୟମ ପ୍ରତିନିଧି ଅଳକା ପ୍ରଧାନ ଲିଙ୍ଗରାଜ ମନ୍ଦିର କାର୍ଯ୍ୟାଳୟରୁ ବାହାରି ନିକଟରେ ଥିବା ଏକ ଦୋକାନ ପାଖରେ ଠିଆ ହୋଇଥିଲେ। ତାଙ୍କ ପକେଟ୍‌ରୁ ଏକ ଦାମୀ ମୋବାଇଲ୍‌ ଲୁଟେରା ଲୁଟି ନେଇଥିଲେ। ଏନେଇ ସେ ଶ୍ରୀଲିଙ୍ଗରାଜ ଥାନାରେ ଅଭିଯୋଗ କରିଛନ୍ତି। ସମାନ ଅଭିଯୋଗ କରିଛନ୍ତି ଇଟିପୁର ପଞ୍ଚାୟତ ବସନ୍ତପୁର ଗ୍ରାମର ଭକ୍ତବନ୍ଧୁ ଦାସ। ସେ ଲିଙ୍ଗରାଜ ହାଟରେ ପରିବା କିଣୁଥିବା ବେଳେ ତାଙ୍କ ମୋବାଇଲ୍‌ ଲୁଟ୍‌ ହୋଇଛି। କପିଳେଶ୍ବର ଗ୍ରାମର କୁଳମଣି ମଲିଆଙ୍କ ମୋବାଇଲ୍‌ ମଧ୍ୟ ଲୁଟ୍ ହୋଇଥିବା ଥାନାରେ ଅଭିଯୋଗ ହୋଇଛି। ସେହିପରି ରାତି ପ୍ରାୟ ସାଢ଼େ ୮ଟାରେ ଟଙ୍କପାଣି ଅଞ୍ଚଳର ଦିଲ୍ଲୀପ ରାଉତଙ୍କ ମୋବାଇଲ୍‌, ପଳାଶପଲ୍ଲୀର ରମେଶ କୁଣ୍ଡୁଙ୍କ ମୋବାଇଲ୍‌ ମଧ୍ୟ ଲୁଟେରା ନେଇଯାଇଛନ୍ତି। ଆସନ୍ତାକାଲି କାର୍ତ୍ତିକ ପୂର୍ଣ୍ଣମୀରେ ସତର୍କ ରହିବା ପାଇଁ ପୁଲିସ ନିବେଦନ କରିଛି। ଭିଡ଼ରେ ଆସିବା ବେଳେ ଗହଣା ନପିନ୍ଧି ଆସିବାକୁ କୁହାଯାଇଛି। କାଲି ଭିଡ଼କୁ ଆଖି ଆଗରେ ରଖି ସାଦା ପୋଷାକରେ ପୁଲିସ ରହିବା ସହ ୫ପ୍ଲାଟୁନ୍‌ ଫୋର୍ସ ମୁତୟନ କରାଯିବ ବୋଲି ଥାନା ଅଧିକାରୀ ଶରତ ଚନ୍ଦ୍ର ପାତ୍ର କହିଛନ୍ତି। ରାତି ୨ଟାରୁ ବଢ଼େଇବାଙ୍କ ଛକ, କେଦାରଗୌରୀ ଛକ, ହାଟ ଛକ, ଇଲେକ୍ଟ୍ରି ଅଫିସ୍‌ ଛକରୁ ରାସ୍ତା ସିଲ କରାଯିବ ବୋଲି କୁହାଯାଇଛି।

ସମ୍ବନ୍ଧିତ ଖବର