ମୋବାଇଲ୍ ଝାମ୍ପି ଖସି ପଳାଇବା ବେଳେ କାର୍ ସହ ଧକ୍କା ଖାଇ ପଡ଼ିଗଲା ଲୁଟେରା, ମାଡ଼ିବସି ନିର୍ଧୁମ୍ ଛେଚି‌ଲେ ଲୋକେ

ଭୁବନେଶ୍ୱର : ମୋବାଇଲ୍ ଫୋନ୍ ଚୋରକୁ ଧରି ପିଟିଲେ ଲୋକେ। ଭୁବନେଶ୍ୱରର ଖଣ୍ଡଗିରି ଥାନା ଅଧିନସ୍ଥ ଶ୍ରୀକ୍ଷେତ୍ର ବିହାର ଅଞ୍ଚଳରେ ଶନିବାର ସକାଳେ ଜଣେ ମହିଳାଙ୍କଠାରୁ ମୋବାଇଲ୍ ଫୋନ୍  ଝାମ୍ପି ନେଇ ପଳାଉଥିବା ବେଳେ ଯୁବକଙ୍କୁ ଧରିଥିଲେ ସ୍ଥାନୀୟ ଲୋକେ । ଏହାପରେ ନିର୍ଧୁମ ଛେଚିଥିଲେ । ଚୋରି କରୁଥିବା ଯୁବକର ନାମ ନରେନ୍ଦ୍ର ମହାପାତ୍ର ବୋଲି ଜଣାପଡ଼ିଛି ।

ସୂଚନା ଅନୁସାରେ ମହିଳା ଜଣକ ସକାଳୁ ସକାଳୁ ଘରକୁ ଫେରୁଥିବା ବେଳେ ଏକ ସ୍କୁଟରରେ ୩ ଜଣ ଯୁବକ ପିଛା କରିଥିଲେ । ଏହାପରେ ସେମାନେ ମହିଳାଙ୍କ ନିକଟକୁ ଚାଲି ଆସି ତାଙ୍କ ହାତରୁ ମୋବାଇଲ୍ ଫୋନ୍ ଝାମ୍ପି ନେଇଥିଲେ । ମୋବଇଲ୍ ନେଇ ଜୋରରେ ସ୍କୁଟର ଚଳାଇ ପଳାଇବାକୁ ଉଦ୍ୟମ କରୁଥିବା ବେଳେ ହଠାତ୍ ଏକ କାରରେ ଧକ୍କା ଖାଇଥିଲେ ସେମାନେ । ଏହାପରେ ୩ ଜଣ ଯାକ ରାସ୍ତା ଉପରେ ପଡ଼ିଯାଇଥିଲେ।

ଏହି ସମୟରେ ମହିଳା ଜଣକ ଚିତ୍କାର କରି ଉଠିଥିଲେ । ପାଖରେ ଥିବା ଲୋକେ ୩ ଜଣଙ୍କ ଭିତରୁ ଜଣଙ୍କୁ ଧରି ପକାଇଥିଲେ । ଅନ୍ୟ ଦୁଇ ଜଣ ଖସି ପଳାଇାବାରେ ସକ୍ଷମ ହୋଇଥିଲେ। କିଛି ସମୟ ପରେ ଖଣ୍ଡଗିରି ପୁଲିସ ଘଟଣା ସଂପର୍କରେ ସୂଚନା ପାଇ ଧରାପଡ଼ିଥିବା ଚୋରକୁ ଲୋକଙ୍କ କବଳରୁ ମୁକୁଳାଇବା ସହ ସ୍କୁଟରଟି ଜବତ କରିଥିଲା।

ସମ୍ବନ୍ଧିତ ଖବର