ସୀମା ଟପିଲା ରମାଦେବୀ ପ୍ରାର୍ଥୀଙ୍କ ଖର୍ଚ୍ଚ, ଖାଇଗଲେ ଦୁଇ କୁଇଣ୍ଟାଲ୍‌ ଚିକେନ୍‌

ଭୁବନେଶ୍ବର: ଲିଙ୍ଗ୍‌ଡୋ କମିସନ୍‌ଙ୍କ ନିୟମକୁ ଖାତିର କରୁନାହାନ୍ତି ରମାଦେବୀ ମହିଳା ବିଶ୍ବବିଦ୍ୟାଳୟର କିଛି ପ୍ରାର୍ଥୀ। ନିୟମ ଅନୁଯାୟୀ ଜଣେ ପ୍ରାର୍ଥୀ ସମ୍ପୂର୍ଣ୍ଣ ନିର୍ବାଚନରେ ଅତି ବେଶିରେ ୫ ହଜାର ଟଙ୍କା ଖର୍ଚ୍ଚ କରିପାରିବେ। ହେଲେ ନାମାଙ୍କନ ଦାଖଲ ପରେ ପ୍ରାର୍ଥୀମାନେ ଟଙ୍କା ଉଡ଼ାଉଛନ୍ତି। କିଏ ବ୍ୟାନର୍‌ ଛପାଇବାରେ ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରୁଛି ତ ଆଉ କିଏ ଖାଇବାକୁ ଦେଉଛି। ନିର୍ବାଚନ ମୈଦାନକୁ ଓହ୍ଲାଇଥିବା ଜଣେ ପ୍ରାର୍ଥୀଙ୍କ ପକ୍ଷରୁ ଆଜି ଦୁଇ କୁଇଣ୍ଟାଲ୍‌ ଚିକେନ୍‌ ଖାଇବାକୁ ଦିଆଯାଇଛି। ଆମିଷ ଖାଉ ନ ଥିବା ଛାତ୍ରୀମାନଙ୍କ ପାଇଁ ପନିର୍‌ ଓ ମସରୁମ୍‌ ତରକାରି ହୋଇଥିଲା। ପ୍ରାୟ ୮୦୦ ଛାତ୍ରୀ କ୍ୟାମ୍ପସ ଆଗରେ ରାସ୍ତାପାର୍ଶ୍ବରେ ଧାଡ଼ି‌େର ଛିଡ଼ା ହୋଇ ଖାଇବା ଦୃଶ୍ୟ ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଛି। ଏଭଳି କାର୍ଯ୍ୟକଳାପକୁ ବିଭିନ୍ନ ମହଲରେ ନିନ୍ଦା କରାଯାଇଛି। ଏହାଦ୍ବାରା ବିଶ୍ବବିଦ୍ୟାଳୟ ବଦନାମ ହେଉଥିଲେ ମଧ୍ୟ କେହି ବି ମୁହଁ ଖୋଲିନାହାନ୍ତି। ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷ ସବୁ ଦେଖି ଆଖି ବୁଜି ଦେଇଛନ୍ତି। ଜଣେ ଅଧିକାରୀ କହିଛନ୍ତିି ଯେ ପ୍ର‌ାର୍ଥୀମାନେ କ୍ୟାମ୍ପସ ଭିତରେ କିଛି କରିନାହାନ୍ତି। ସେମାନେ କ୍ୟାମ୍ପସ ବାହାରେ ଖାଇବାକୁ ଦେଲେ ଆମେ କୌଣସି କାର୍ଯ୍ୟାନୁଷ୍ଠାନ ନେଇପାରିବୁ ନାହିଁ। ଅନ୍ୟ ଏକ ଛାତ୍ର ସଙ୍ଗଠନ ସମର୍ଥିତ ପ୍ରାର୍ଥୀମାନେ ମଧ୍ୟ ଆଜି ୨୦୦ ଛାତ୍ରୀଙ୍କୁ ଖାଇବାକୁ ‌େଦଇଥିବା ସୂଚନା ‌ମିଳିଛି। ଦିନ ଦିପ୍ରହରରେ ଲିଙ୍ଗ୍‌ଡୋ କମିସନ୍‌ଙ୍କ ନିୟମ ଉଲ୍ଲଂଘନ ହେଉଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ନି ନଯିବାକୁ ନେଇ ସାଧାରଣରେ ପ୍ରଶ୍ନ ଉଠିଛି।

ସିପିଙ୍କୁ ଭେଟିଲେ ଦେବରାୟ ଛାତ୍ରଛାତ୍ରୀ
ଗୁରୁବାର ଦେବରାୟ କଲେଜର ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା ଘୋ‌ଷଣା ପୂର୍ବରୁ କଲେଜ କର୍ତୃପକ୍ଷଙ୍କ ନିର୍ବାଚନ ବାତିଲ ଓ ସାଇନ୍ ଡାଏ ଘୋଷଣାକୁ ନେଇ ଛାତ୍ର ଅସ‌େନ୍ତାଷ ବଢ଼ିବାରେ ଲାଗିଛି। ନିଷ୍ପତ୍ତିକୁ ବିରୋଧ କରି ଛାତ୍ରଛାତ୍ରୀ ଗୁରୁବାର ଅପରାହ୍‌ଣରୁ ଶୁକ୍ରବାର ପୂର୍ବାହ୍ଣ ୧୦ଟା‌ ପର୍ଯ୍ୟନ୍ତ ଧାରଣାରେ ବସି ରହିଥିଲେ। ଆଜି ପୂର୍ବାହ୍ଣ ପ୍ରାୟ ସାଢ଼େ ୧୦ଟାରେ ନୂଆପଲ୍ଲୀ ଥାନା ପୁଲିସ ଛାତ୍ରଛାତ୍ରୀଙ୍କୁ ବୁଝାସୁଝା କରିଥିଲା। ତଥାପି ଛାତ୍ରଛାତ୍ରୀ ଧାରଣା ଜାରି ରଖିଥିଲେ। ପରେ ଛାତ୍ରଛାତ୍ରୀଙ୍କ ଏକ ପ୍ରତିନିଧି ମଣ୍ଡଳୀ ପୁଲିସ କମିସନର୍‌ଙ୍କୁ ଭେଟିଥିଲେ। ଏହାପରେ ସେମାନେ ଆନ୍ଦୋଳନରୁ ଓହରିଥିଲେ।

ସମ୍ବନ୍ଧିତ ଖବର