ସ୍ୱସ୍ତି ପ୍ରିମିୟମ୍‌ରେ ମଙ୍ଗୋଲିଆ ଖାଦ୍ୟ ମେଳା

ଭୁବନେଶ୍ୱର : ବଦଳୁଛି ରାଜଧାନୀବାସୀଙ୍କ ସ୍ୱାଦ। ଭୁବନେଶ୍ୱରର ବିଭିନ୍ନ ବର୍ଗର ଲୋକ ରହୁଥିବାରୁ ସେମାନଙ୍କ ଖାଦ୍ୟ ପସନ୍ଦ ବି ସମାନ ନୁହେଁ। ଗୋଟିଏ ପ୍ରକାର ଖାଦ୍ୟରେ ନିଜ ଖାଦ୍ୟ ଲୋଭକୁ ସୀମିତ ରଖିବାକୁ ପସନ୍ଦ କରୁ ନାହାନ୍ତି। କିନ୍ତୁ ସବୁବେଳେ ବାହାର ରାଜ୍ୟ ବା ଦେଶକୁ ଯାଇ ସେଠାକାର ଖାଦ୍ୟ ଖାଇବା ସମ୍ଭବ ବି ହେଉନି। ପୁଣି ପକେଟକୁ ବି ସୁହାଉନି। ଏଥିପାଇଁ ତ’ ରାଜଧାନୀର ତାରକା ହୋଟେଲ୍‌ଗୁଡ଼ିକ ହାତ ପାହାନ୍ତାକୁ ନେଇ ଆସୁଛନ୍ତି ବିଦେଶୀ ଖାଦ୍ୟର ପସରା। ସ୍ଥାନୀୟ ହୋଟେଲ୍‌ ସ୍ୱସ୍ତି ପ୍ରିମିୟମ୍‌ଠାରେ ଏଭଳି ଏକ ପ୍ରୟାସ ଦେଖିବାକୁ ମିଳିଛି। ସହରବାସୀଙ୍କୁ ମଙ୍ଗୋଲିଆନ୍‌ ଖାଦ୍ୟଶୈଳୀ ଓ ସ୍ୱାଦ ଚଖାଇବା ଉଦ୍ଦେଶ୍ୟରେ ଆଜିଠାରୁ ଆରମ୍ଭ ହୋଇଯାଇଛି ‘ମଙ୍ଗୋଲିଆ ଖାଦ୍ୟ ମେଳା’। ଏହା ଆସନ୍ତା ୨୦ ତାରିଖ ଯାଏଁ ମଧ୍ୟାହ୍ନ ୧୨ଟାରୁ ଅପରାହ୍ଣ ୩ଟା ଓ ସନ୍ଧ୍ୟା ୭ଟାରୁ ରାତି ୧୧ ଯାଏଁ ଖୋଲା ରହିବ ବୋଲି ହୋଟେଲ୍‌ର ଜେନେରାଲ୍‌ ମ୍ୟାନେଜର ରଞ୍ଜନ ପ୍ରସାଦ କହିଛନ୍ତି। ଗ୍ରାହକଙ୍କ ବରାଦ ଅନୁଯାୟୀ ଏଠାରେ ଗ୍ରାହକଙ୍କ ସମ୍ମୁଖରେ ରାନ୍ଧି ପରଶି ଦେବେ ଅଭିଜ୍ଞ ସେଫ୍‌ମାନେ। ମଙ୍ଗୋଲିଆ ଖାଦ୍ୟ ଚାଇନିଜ୍‌ ଓ ରସିଆନ୍‌ ଖାଦ୍ୟର ଏକ ମିଶ୍ର ରୂପ ହୋଇଥିବାରୁ ପିଲାଠାରୁ ବୟସ୍କମାନେ ଏହାକୁ ପସନ୍ଦ କରିବେ। ବିଭିନ୍ନ ଆଇଟମ୍‌ ଭିତରେ ସ୍ମୋକ୍‌ଡ୍‌ ପ୍ରନ୍‌ସ୍‌, ମଙ୍ଗୋଲିଆନ୍‌ ଲ୍ୟାମ୍ବ୍‌, କୁଙ୍ଗ୍‌ ପାଓ ପ୍ରନ୍‌ସ୍‌, କ୍ରିସ୍‌ପି ପିକିଂ ଚିକେନ୍‌ ଓ ଏସିଆନ୍‌ ସ୍ରିରାଚା କଟେଜ୍‌ ଚିଜ୍‌ ଆଦି ରହିଛି। ଦାମ୍‌ ମଧ୍ୟ ପକେଟକୁ ସୁହାଇଲା ଭଳି ହୋଇଛି। ଗୋଟିଏ ପରିବାରର ବାପା ମା’ ଓ ପିଲାଟିଏ ୧୦୦୦ରୁ ୧୫୦୦ ଟଙ୍କା ଭିତରେ ପେଟ ଭରି ଖାଇପାରିବେ ବୋଲି କହିଛନ୍ତି ହୋଟେଲ୍‌ର ଫୁଡ୍‌ ଆଣ୍ଡ୍‌ ବେଭ୍‌ରେଜ୍‌ ମ୍ୟାନେଜର୍‌ ଲି’।

କ୍ରିସ୍‌ପି ପିକିଂ ଚିକେନ୍‌: ଚିକେନ୍‌କୁ ଭଲ ଭାବେ ପ୍ରଥମେ ରୋଷ୍ଟ କରାଯାଏ। ଏହାପରେ ଏହାକୁ ଡିପ୍‌ ଟମାଟୋ ସସ୍‌ ସହ ଫ୍ରାଏ କରି ସାଲାଡ୍‌ ସହ ପରଶା ଯାଏ।

ସ୍ମୋକ୍‌ଡ୍‌ ପ୍ରନ୍‌ସ: ଏହାର ପ୍ରସ୍ତୁତି ପ୍ରଣାଳୀ ସମ୍ପୂର୍ଣ୍ଣ ଭିନ୍ନ। ପ୍ରବୀଣ ସେଫ୍‌ମାନେ ହିଁ ଏହାକୁ ତିଆରି କରି ପାରିବେ। ଚିଙ୍ଗୁଡ଼ିକୁ ସସ୍‌ ସହ ଗୋଲାଇ ଏହାକୁ ଗରମ୍‌ ଚାର୍‌କୋଲ୍‌ ମଧ୍ୟରେ ରଖି ଧୂଆଁ ଦିଆଯାଏ।। ଧୂଆଁଳିଆ ଫ୍ଲେବର୍‌ ଆସିବା ପରେ ଏହାକୁ ପ୍ଲେଟ୍‌ରେ ସଜାଇ ଗରମ ଗରମ ପରଶା ଯାଏ।

ଏସିଆନ୍‌ ସ୍ରିରାଚା କଟେଜ୍‌ ଚିଜ୍‌: ଖଟା, ମିଠା ଓ ରାଗ ଫ୍ଲେଭର୍‌ର ଏସିଆନ୍‌ କଟେଜ୍‌ ଚିଜ୍‌ ସହ ପନିର୍‌କୁ ପ୍ରଥମେ ଟସ୍‌ କରାଯାଏ। ଏହା ପରେ ସିମ୍‌ଲା ଲଙ୍କା, ପିଆଜ ଆଦି ମିଶାଇ ଉଚ୍ଚ ତାପମାତ୍ରାରେ ଟସ୍‌ କରି ଏହାକୁ ପ୍ରସ୍ତୁତ କରାଯାଏ।

ସମ୍ବନ୍ଧିତ ଖବର