କଲେଜସ୍ତରରେ ବ୍ୟାପକ ହେବ ପ୍ରଶିକ୍ଷଣ

ଆତ୍ମରକ୍ଷା ପ୍ରଶିକ୍ଷଣ ଲାଭ କରିଥିବା ଛାତ୍ରୀଙ୍କୁ ସମ୍ବର୍ଧନା

ଭୁବନେଶ୍ୱର: ଆତ୍ମରକ୍ଷା ପ୍ରଶିକ୍ଷଣରେ ପାରଦର୍ଶିତା ହାସଲ କରିଥିବା ୨୦ ଜଣ କଲେଜ ଛାତ୍ରୀଙ୍କୁ ପୁରସ୍କୃତ କରାଯାଇଛି। ଜୟଦେବ ଭବନଠାରେ ଆଜି ଅନୁଷ୍ଠିତ ଏକ ରାଜ୍ୟସ୍ତରୀୟ ସମାରୋହରେ ଉଚ୍ଚଶିକ୍ଷା ମନ୍ତ୍ରୀ ଅନନ୍ତ ଦାସ ମୁଖ୍ୟଅତିଥି ଭାବେ ଯୋଗଦେଇ ପ୍ରତ୍ୟେକ ଛାତ୍ରୀଙ୍କୁ ମାନପତ୍ର ସହ ଏକ ହଜାର ଟଙ୍କାର ଅର୍ଥ ରାଶି ପ୍ରଦାନ କରିଛନ୍ତି। ଏଥିସହ ୧୦ ଜଣ ମାଷ୍ଟର ଟ୍ରେନର, ୫ ଜଣ ପୋଗ୍ରାମ କୋ-ଅର୍ଡିନେଟର, ୫ ଜଣ କଲେଜ ଅଧ୍ୟକ୍ଷ ଏବଂ ୫ ଜଣ ଜିଲ୍ଲାସ୍ତରୀୟ କୋ-ଅର୍ଡିନେଟରଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରାଯାଇଛି।

ମନ୍ତ୍ରୀ ଶ୍ରୀ ଦାସ କହିଲେ, ଛାତ୍ରୀମାନେ ନିଜକୁ ଅବଳା ଦୁର୍ବଳା ଭାବିବା ଠିକ୍‌ ନୁହେଁ। ଦୃଢ଼ ଆତ୍ମବିଶ୍ୱାସ ଓ ନିର୍ଭୀକତାର ସହ ଛାତ୍ରୀମାନେ ବିପଦର ମୁକାବିଲା କରିବା ଆବଶ୍ୟକ। ଝିଅଙ୍କ ସୁରକ୍ଷା ପାଇଁ ଆତ୍ମରକ୍ଷା କୌଶଳ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ଜ୍ଞାନ ଆହରଣ ସହ ଛାତ୍ରୀମାନେ ନିଜ ତଥା ସମାଜର ସୁରକ୍ଷା ଉପରେ ଗୁରୁତ୍ୱ ଦେବା ଉଚିତ। ରାଜ୍ୟର ସମସ୍ତ କଲେଜ ଛାତ୍ରୀ ଯେପରି ଆତ୍ମରକ୍ଷା କୌଶଳ ଶିକ୍ଷା ଗ୍ରହଣ କରିପାରିବେ ସେଥିପ୍ରତି ଗୁରୁତ୍ୱ ଦିଆଯାଉଛି ବୋଲି ସେ କହିଥିଲେ। ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ଶ୍ରୀ ବଦ୍ରି ନାରାୟଣ ପାତ୍ର ସମ୍ମାନିତ ଅତିଥି ଭାବେ ଯୋଗଦେଇ ଆତ୍ମରକ୍ଷା କୌଶଳ ପ୍ରଶିକ୍ଷଣ ଦ୍ୱାରା ଛାତ୍ରୀମାନେ ସାହସୀ ଓ ଶକ୍ତିଶାଳୀ ହେଉଛନ୍ତି ବୋଲି କହିଥିଲେ। ସାଂସଦ ଡ. ପ୍ରସନ୍ନ କୁମାର ପାଟ୍ଟଶାଣୀ, ଭୁବନେଶ୍ୱର ଉତ୍ତର ବିଧାୟକ ପ୍ରିୟଦର୍ଶୀ ମିଶ୍ର, ଭୁବନେଶ୍ୱର ମହାନଗର ନିଗମ ମେୟର ଅନନ୍ତ ନାରାୟଣ ଜେନା ଅତିଥି ଭାବେ ଯୋଗଦେଇ ଛାତ୍ରୀମାନେ ସାହସ ଜୁଟାଇବାକୁ ଆହ୍ଵାନ ଦେଇଥିଲେ। ଉଚ୍ଚଶିକ୍ଷା ବିଭାଗ ସଚିବ ଜି.ଭି.ଭି. ଶର୍ମା କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରି ରାଜ୍ୟର ୨ ହଜାର କଲେଜର ୨ ଲକ୍ଷ ଛାତ୍ରୀଙ୍କୁ ଏହି ପ୍ରଶିକ୍ଷଣ ପ୍ରଦାନ କରାଯାଉଛି ବୋଲି କହିଥିଲେ। ଉଚ୍ଚଶିକ୍ଷା ବିଭାଗ ଅତିରିକ୍ତ ଶାସନ ସଚିବ ପ୍ରଶାନ୍ତ ଦାସ ଧନ୍ୟବାଦ ଅର୍ପଣ କରିଥିଲେ।

ସମ୍ବନ୍ଧିତ ଖବର