ସଜ ସକାଳରେ ସତେଜ ଜୁସ୍‌

ସକାଳ ପାହିଲେ ଦୌଡ଼ୁଛି ସହର। ପାର୍କ୍‌ଠୁ ନେଇ ରାସ୍ତାଘାଟରେ ଚାଲୁଛି ମର୍ଣ୍ଣିଂଓ୍ଵାକ୍‌। ମୋଟାପଣ କମାଇବା ପାଇଁ ହେଉ ଅବା ନିଜକୁ ଫିଟ୍‌ ରଖିବାକୁ ସକାଳୁ ଆରମ୍ଭ ହୋଇଯାଉଛି ଏଇଭଳି କସରତ। ତେବେ ମାଇଲ୍‌ ମାଇଲ୍‌ ରାସ୍ତା ଚାଲିବା ପରେ ତୃଷ୍ଣା ମେଣ୍ଟାଉଛି ଆୟୁର୍ବେଦିକ ଜୁସ୍‌। ଖାଲି ଯେ ଏହା ତୃଷ୍ଣା ମେଣ୍ଟାଉଛି ତାହା ନୁହେଁ ବରଂ ଫିଟ୍‌ ପ୍ଲସ୍‌ ଫିଟ୍‌ର ବାଟ ଖୋଲି ଦେଉଛି ଏହି ଆୟୁର୍ବେଦିକ ଜୁସ୍‌। ଏହାର ଚାହିଦା ଏତେ ଯେ, ଏବେ ସମସ୍ତ ପାର୍କ ସମ୍ମୁଖରେ ଖୋଲିଛି ଅସ୍ଥାୟୀ ଜୁସ୍‌ ଷ୍ଟଲ୍‌।

ପ୍ରସ୍ତୁତି: ପ୍ରଗତି ସାହୁ

ରୋଗ ଦେଖି ଜୁସ୍‌

ଡାଇବେଟିସ୍‌ ରୋଗରୁ ଉପଶମ ପାଇଁ ମେଥି, କଲରା, ନିମ୍ବ, ଜାମୁ ମଞ୍ଜି, ଗୁଡ଼ମାରି, ଚିରେଇତା, କଞ୍ଚା ହଳଦୀ ଓ ଅଁଳାକୁ ମିଶାଇ ଜୁସ୍‌ ପ୍ରସ୍ତୁତ କରାଯାଏ। ସେହିପରି ରକ୍ତଚାପ ପାଇଁ ସଜନା, ବିଟ୍‌, ରସୁଣ ଓ ବେଲପତ୍ରର ରସର ଜୁସ୍‌ ପ୍ରସ୍ତୁତ ହୁଏ। ଗ୍ୟାସ୍‌ ସମସ୍ୟା ଦୂର କରିବା ପାଇଁ ବେଲ, ବେଲପତ୍ର, ଜୁଆଣି ଓ ଅଦାର ରସରୁ ପ୍ରସ୍ତୁତ ଜୁସ୍‌ ବେଶି ବିକ୍ରି ହୁଏ। ଥଣ୍ଡା ଓ କାଶ ପାଇଁ ବାସଙ୍ଗ, ପାନପତ୍ର, ତୁଳସୀ, ଅଦା ଓ ମହୁର ମିଶ୍ରଣରେ ଜୁସ୍‌ ପ୍ରସ୍ତୁତ ହୁଏ। ବାସଙ୍ଗ ଥଣ୍ଡା କାଟିବାରେ ସାହାଯ୍ୟ କରିଥିବା ବେଳେ ଅଦା ଓ ମହୁ କାଶ କାଟିଥାଏ। ବର୍ତ୍ତମାନ ମୋଟାପଣ ସବୁଠାରୁ ବଡ଼ ସମସ୍ୟା ଭାବେ ମୁଣ୍ଡ ଟେକିଛି। ଏଥିପାଇଁ ମର୍ଣ୍ଣିଂଓ୍ଵାକ୍‌ ସହ ଲାଉ, କାକୁଡ଼ି, ମେଥି, ଗାଜର ଓ ବିଟ୍‌ ରସରୁ ତିଆରି ଜୁସ୍‌ ବହୁ ଲାଭ ଦେଉଛି। ବୟସ୍କଙ୍କ ମଧ୍ୟରେ ଦେଖାଯାଉଥିବା ଆଣ୍ଠୁ ଗଣ୍ଠି ସମସ୍ୟା ପାଇଁ ରହିଛି ପସାରୁଣି, ବାସଙ୍ଗ ଓ ନିର୍ଗୁଣ୍ଡି ରସର ଜୁସ୍‌, ଦୁର୍ବଳତା ହ୍ରାସ କରି ଶକ୍ତି ବଢ଼ାଇବା ପାଇଁ ଅଶ୍ୱଗନ୍ଧା, ବିଟ୍‌, ମିଶିରି ଓ ଗାଜରର ରସରେ ପ୍ରସ୍ତୁତ ଜୁସ୍‌ ଉପଲବ୍ଧ ହେଉଛି। ଖାଲି ପେଟରେ ଜୁଆଣି, ପାନମଧୁରୀ, ଜିରା ଓ ତ୍ରିଫଳାର ରସ ପିଇଲେ ଏହାର ଔଷଧୀୟ ଗୁଣ ଯୋଗୁଁ ପେଟ ସଫା ରୁହୁଥିବା ବେଳେ ବ୍ରଣ ସମସ୍ୟା ଦୂର ହେଉଥିବାରୁ ଏହାକୁ ଯୁବବର୍ଗ ବେଶି ପସନ୍ଦ କରୁଛନ୍ତି।

ପାର୍ଶ୍ୱ ପ୍ରତିକ୍ରିୟାର ଡର ନାହିଁ

ଆଜିର ଏହି ଅତ୍ୟାଧୁନିକ ସମାଜରେ ରୋଗ ଏକ ମାମୁଲି ବିଷୟ ହୋଇଛି। ତେବେ ଅଧିକାଂଶ ଲୋକ ଡାଏବେଟିସ୍‌, ଗ୍ୟାଷ୍ଟ୍ରିକ୍‌ ଏବଂ ରକ୍ତଚାପର ଶିକାର ହୋଇଥିବାରୁ ବିଭିନ୍ନ ପତ୍ର, ମଂଜି ଓ ଫଳକୁ ନେଇ ଏଗୁଡ଼ିକ ପ୍ରସ୍ତୁତ କରାଯାଉଛି। ବିଶେଷତଃ ମେଥି, କଲରା, ନିମ୍ବ, ଜାମୁକୋଳି ମଞ୍ଜି, ଗୁଡ଼ମାରି, ଚିରେଇତା, କଞ୍ଚାହଳଦୀ, ଅଂଳା, ବେଲ, ବେଲ ପତ୍ର, ବାସଙ୍ଗ ପତ୍ର, ପସାରୁଣି, ନିର୍ଗୁଣ୍ଡି, ଲାଉ, କୁକୁଡ଼ି, ଅଦା, ଜିରା, ସଜନା, ଗରୁଡ଼ ଗୋବିନ୍ଦ, ବିଟ୍‌, ଗାଜର, ପୋଡ଼ା ବେଲ, ଅଶ୍ୱଗନ୍ଧା, ପୋଦିନା, ରସୁଣ, ପାନପତ୍ରକୁ ନେଇ ଜୁସ୍‌ ପ୍ରସ୍ତୁତ କରୁଛନ୍ତି। ତେଣୁ କୌଣସି ରାସାୟନିକ ସଂପୃକ୍ତି ନଥିବାରୁ ଏହା ଶରୀର ପାଇଁ ଲାଭଦାୟୀ ହୋଇଥାଏ।

ଗ୍ଲାସ୍‌କୁ ୧୦ ଟଙ୍କା

ମଧୁମେହଠାରୁ ଆରମ୍ଭ କରି ଥଣ୍ଡା, କାଶ, ପେଟ ରୋଗ, ଗ୍ୟାସ୍‌ ସମସ୍ୟା ଓ ରକ୍ତଚାପର ସମାଧାନ କରୁଛି ଏହି ଆୟୁର୍ବେଦିକ ଜୁସ୍‌। ଫରେଷ୍ଟ ପାର୍କ ସମ୍ମୁଖରେ ଅସ୍ଥାୟୀ ଦୋକାନ ଖୋଲିଥିବା ପ୍ରଫୁଲ୍ଲ କୁମାର ମୁଦୁଲି କୁହନ୍ତି, ଲୋକଙ୍କ ଚାହିଦା ଅନୁଯାୟୀ ବିଭିନ୍ନ ରୋଗ ପାଇଁ ଭିନ୍ନଭିନ୍ନ ପ୍ରକାରର ଆୟୁର୍ବେଦିକ ଜୁସ୍‌ ତିଆରି କରୁଛୁ। ଏହାର କୌଣସି କୁପ୍ରଭାବ ଶରୀରରେ ପଡ଼େ ନାହିଁ। ଓଲଟା ଖାଲି ପେଟରେ ଏହାକୁ ପିଇଲେ ଏହାର ଔଷଧୀୟ ଗୁଣ ଶରୀରକୁ ସୁସ୍ଥ ରଖିବାରେ ସାହାଯ୍ୟ କରେ। ଏହି ସବୁ ଗ୍ଲାସ୍‌ର ଦାମ ମାତ୍ର ୧୦ଟଙ୍କା ରହିଛି।

ପାଟିକୁ କଡ଼ା,ଦେହକୁ ଆରାମ

ଏହି ଜୁସ୍‌ ମୁଖ୍ୟତଃ ପାଟିକୁ ଏତେ ସ୍ୱାଦଯୁକ୍ତ ଲାଗେ ନାହିଁ। କିନ୍ତୁ ଦେହ ପାଇଁ ରାମବାଣ ଭଳି କାମ କରୁଥିବାରୁ ଏହାକୁ ଆଖି କାନ ଚିପି ଅନେକ ପିଉଥିବା ଲକ୍ଷ୍ୟ କରାଯାଏ। ତେବେ ଯୁବବର୍ଗଙ୍କ ଅପେକ୍ଷା ସ୍ୱାସ୍ଥ୍ୟ ସଚେତନ ବ୍ୟକ୍ତିବିଶେଷ, ତଥା ୪୦ ବର୍ଷରୁ ଊର୍ଧ୍ୱ ବୟସର ଲୋକେ ଏହାକୁ ବେଶି ବ୍ୟବହାର କରନ୍ତି ବୋଲି ଆଇଜି ପାର୍କର ସମ୍ମୁଖରେ ଦୋକାନ ଦେଇଥିବା ମୁନା କହିଛନ୍ତି। ସେହିଭଳି ମାତ୍ରାକୁ ମଧ୍ୟ ଯଥେଷ୍ଟ ଗୁରୁତ୍ୱ ଦିଆଯାଇଥାଏ। ଖରା ଦିନ ଚାଲିଥିବାରୁ ଏହି ଜୁସ୍‌ର ଚାହିଦା ଆହୁରି ବଢ଼ିଥିବା ସେ କହିଛନ୍ତି।

ସମ୍ବନ୍ଧିତ ଖବର