କଲବଲ କଲେଣି ମଶା

ମଶାଙ୍କ ସାନ୍ଧ୍ରତା କେତେ ସର୍ଭେ ହେଉନି

ଭୁବନେଶ୍ବର: ରାଜଧାନୀବାସୀଙ୍କୁ ମଶା କଲବଲ କରିଦେଲେଣି। ଯେଉଁଠି ନଜର ପଡ଼ୁଛି, ସେଠାରେ ମଶା ସାଲୁବାଲୁ। ଯେଉଁଠି ଛିଡ଼ା ହେଲେ ରକ୍ତ ଶୋଷି ନେଉଛନ୍ତି। ମୁହଁ ପାଖରେ ଭଁ ଭଁ ହୋଇ ଉଡ଼ୁଛନ୍ତି। ରାଜଧାନୀର ଏମିତି କୌଣସି ଜାଗା ନାହିଁ, ଯେଉଁଠି କିଏ ବିନା ମଶାରିରେ ଶାନ୍ତିରେ ଶୋଇ ପାରୁଛନ୍ତି। ମଶାରି ଭିତରେ ଶୋଇଲେ କି ମଶାରି ବାହାରେ ମଶା ଭଣଭଣ ହେଉଛନ୍ତି। ଟିକିଏ ଫାଙ୍କ ପାଇଲେ କାମୁଡ଼ିବାକୁ ପୂରା ତୟାର। ମଶା ଏମିତି ମାତିଛନ୍ତି ଯେ, ନାମୀ କମ୍ପାନିଙ୍କ ମଶାମରା ଲିକ୍ୟୁଇଡ୍ କି କଏଲ୍ ବି କାଟୁ କରୁନି। ସବୁ ଜାଗାରେ ମଶାଙ୍କ ସାନ୍ଧ୍ରତା ୬୦ ଟପିଲାଣି। ମଶା ବଢ଼ୁଛନ୍ତି ଆଉ ତାହା ସହ ଡେଙ୍ଗୁ, ମ୍ୟାଲେରିଆ ଆକ୍ରାନ୍ତଙ୍କ ସ˚ଖ୍ୟା ବି ବଢ଼ୁଛି। ହେଲେ ବିଏମ୍‌ସି କହୁଛି ରାଜଧାନୀରେ ଏବେ ମଶା ସ୍ଥିତି ସେହିଭଳି ସଙ୍ଗିନ୍‌ ହୋଇନି। ଡେଙ୍ଗୁ, ମ୍ୟାଲେରିଆ, ଫାଇଲେରିଆ, ଜାପାନିଜ୍ ଏନସେଫାଲାଇଟିସ୍ ଭଳି ରୋଗରେ ରାଜଧାନୀରେ ବହୁ ଲୋକଙ୍କର ମୃତ୍ୟୁ ହେଉଛି। କିନ୍ତୁ ଏହାର ନିରାକରଣ ପାଇଁ ସ୍ବାସ୍ଥ୍ୟ ବିଭାଗ କି ବିଏମ୍‌ସିର ଯେମିତି ନିଘା ନାହିଁ। ଯଦି କେଉଁ ଅଞ୍ଚଳରେ ଡେଙ୍ଗୁ, ମ୍ୟାଲେରିଆ, ଜାପାନିଜ୍ ଏନସେଫାଲାଇଟିସ୍ ଭଳି ରୋଗ ବ୍ୟାପୁଛି ତେବେ ଯାଇ ବିଏମ୍‌ସି ପ୍ରତିକାର ବ୍ୟବସ୍ଥା ଆରମ୍ଭ କରୁଛି। ନହେଲେ ମଶାଙ୍କ ଦୌରାତ୍ମ୍ୟ ବଢ଼ୁ କି ଲୋକ ମରନ୍ତୁ ବିଏମ୍‌ସି କର୍ତ୍ତୃପକ୍ଷଙ୍କର ଏଥିପ୍ରତି ନଜର ନାହିଁ। ବର୍ଷା ଋତୁ ପରେ ମଶାଙ୍କ ବଂଶବୃଦ୍ଧି ହୋଇଥିବା ବେଳେ ଏବେ ଚାରିଆଡ଼େ ମଶା ଭଁ ଭଁ ଶବ୍ଦ କରି ଉଡ଼ୁଛନ୍ତି। ଆଉ ମଶା ନିପାତ କରିବା ବଦଳରେ ବିଏମ୍‌ସି କର୍ତ୍ତୃପକ୍ଷ କହୁଛନ୍ତି ସମୟ ଦେଖି ମଶା ମରା ଅଭିଯାନ ଆରମ୍ଭ କରିବୁ।

ପ୍ରତି ଦୁଇ ସପ୍ତାହରେ ମଶା ମରା ତେଲ ସ୍ପ୍ରେ ହେଉଛି, ଲୋକ ଦେଖିପାରୁନାହାନ୍ତି
ମଶା ବଡ଼ ହେଲେ ମାରିବୁ: ବିଏମ୍‌ସି
ମଶା ସାନ୍ଧ୍ରତା ୬୦ ଟପିଲାଣି

ସାଧାରଣତଃ ମଶାଙ୍କ ସାନ୍ଧ୍ରତା ୪୦ (ଏକ କ୍ୟୁବିକ୍ ଫୁଟରେ) ଭିତରେ ରହିଲେ ଲୋକ ମଶା କାମୁଡ଼ିବା ବିଶେଷ ଅନୁଭବ କରିବେନି। କିନ୍ତୁ ଏବେ ସବୁଠି ସାନ୍ଧ୍ରତା ୬୦ ଟପିଲାଣି ବୋଲି ବିଏମ୍‌ସି କର୍ତ୍ତୃପକ୍ଷ ସ୍ବୀକାର କରିବା ପରେ ବି ନିୟମ ଆଳ ଦେଖାଇ ଚୁପ୍ ବସି ଯାଇଛନ୍ତି। ବିଏମ୍‌ସିର ନଗର ସ୍ବାସ୍ଥ୍ୟ ଅଧିକାରୀ ଡା. ରାମଚନ୍ଦ୍ର ବେହେରା କହିଛନ୍ତି, ଆମର ନିୟମ ଅଛି ଡିସେମ୍ବର ମାସରୁ ଆମେ ମଶାମରା ଅଭିଯାନ ଆରମ୍ଭ କରିବୁ। ଏବେ ସମୟ ହୋଇନି। ମଶା ବଂଶ ବଢ଼ିବାକୁ ନଦେବା ଏବଂ ଲାର୍ଭା ସମୟରେ ହିଁ ମାରିଦେବା ବିଏମ୍‌ସିର କାର୍ଯ୍ୟ ହୋଇଥିଲେ ହେଁ ନଗର ସ୍ବାସ୍ଥ୍ୟ ଅଧିକାରୀ ଅପେକ୍ଷା କରିଛନ୍ତି ମଶା କେତେବେଳେ ବଡ଼ ହୋଇ ଲୋକଙ୍କୁ କାମୁଡ଼ିବେ। ତା’ପରେ ଯାଇଁ ମଶା ମରା ଅଭିଯାନ ଆରମ୍ଭ କରିବେ। ନିୟମ ଅନୁଯାୟୀ, କେଉଁ ଅଞ୍ଚଳରେ କେତେ ମଶା ଅଛନ୍ତି ତାହା ପ୍ରତି ସପ୍ତାହରେ ବିଏମ୍‌ସି ପକ୍ଷରୁ ସର୍ଭେ ହେବ। ଯଦି କେଉଁଠି ବି ମଶା ବଢ଼ିଥିବେ‌ ତେବେ ତୁରନ୍ତ ପ୍ରତିକାର ବ୍ୟବସ୍ଥା କରାଯିବ। ହେଲେ ବିଏମ୍‌ସିର ଏହି ସର୍ଭେ କରିବାକୁ କେହି ଅଧିକାରୀ ନାହାନ୍ତି। କେଉଁଠି କେତେ ମଶା ଅଛନ୍ତି କର୍ତ୍ତୃପକ୍ଷ ଜାଣି ନଥିବାବେଳେ ପ୍ରତିକାର ବ୍ୟବସ୍ଥା କେମିତି କରିବେ ତାହା ଜଳଜଳ ଜଣାପଡ଼ିଲାଣି। ଏନେଇ ନଗର ସ୍ବାସ୍ଥ୍ୟ ଅଧିକାରୀ କହିଛନ୍ତି ଯେ, ଯେଉଁ ଅଧିକାରୀ ଜଣଙ୍କ କେଉଁ ଅଞ୍ଚଳରେ କେତେ ମଶା ଅଛନ୍ତି ସର୍ଭେ କରୁଥିଲେ ଏବେ ତାଙ୍କର ପଦୋନ୍ନତି ହୋଇଯାଇଛି। ତେଣୁ ସେ ଆଉ ମଶା ସର୍ଭେ କରିବାକୁ ଯାଉନାହାନ୍ତି। ଡିସେମ୍ବରରୁ ଫେବ୍ରୁଆରି ପର୍ଯ୍ୟନ୍ତ ଅଧିକ ମଶା ହେଉଥିବାରୁ ଏହି ସମୟରେ ଟିଫା ମେସିନ୍ ବୁଲାଇବୁ। ଏହାବାଦ୍ ଗଳିକନ୍ଦିରେ ଥିବା ଛୋଟ ଡ୍ରେନ୍‌ ସଫା କରିବା, ପାଇଖାନା ଟାଙ୍କି, ପାଣି ଜମୁଥିବା ସ୍ଥାନରେ ଏହି ତେଲ ଓ ଔଷଧ ସ୍ପ୍ରେ ହେଉଛି। ପ୍ରତି ତିନି ମାସରେ ସମସ୍ତ ମୁଖ୍ୟ ଡ୍ରେନ୍‌ଗୁଡ଼ିକ ସଫେଇ ହେଉଛି। ଯେଉଁ ମଶା ବଢ଼ୁଛନ୍ତି ସେଗୁଡ଼ିକ ଟିଫା ମେସିନ୍‌ ବୁଲିଲେ ମରିବେ। ପ୍ରତି ୱାର୍ଡ ପାଇଁ ୪ରୁ ୫ଜଣ ରହିଲେ ସବୁ କାମ ଠିକ୍ ସମୟରେ ହୋଇପାରନ୍ତା। କିନ୍ତୁ ଏବେ ୱାର୍ଡ ପିଛା ୨ରୁ ତିନି ଜଣ କର୍ମଚାରୀ ଥିବାରୁ ଏହା ନିୟମିତ ହୋଇପାରୁନି। କର୍ତ୍ତୃପକ୍ଷ ଦୁଇ ସପ୍ତାହରେ ଥରେ ଟେମେଫସ୍‌ ଏବ˚ ଏମ୍‌.ଏଲ୍‌ ତେଲ ସ୍ପ୍ରେ କରୁଛନ୍ତି, ଡ୍ରେନ୍‌ ସଫା କରୁଛନ୍ତି ବୋଲି କହୁଛନ୍ତି। ହେଲେ ରାଜଧାନୀବାସୀ ଏହାକୁ ଦେଖିପାରୁନାହାନ୍ତି। ଯଦି କର୍ମଚାରୀ ଠକୁଛନ୍ତି ତାହାକୁ ଯାଞ୍ଚ କରିବାକୁ ବି ବିଏମ୍‌ସି କର୍ତ୍ତୃପକ୍ଷ ପଦକ୍ଷେପ ନେଉନାହାନ୍ତି। ଫଳରେ ମଶା ମରା ନାଁରେ ବର୍ଷକୁ କୋଟି କୋଟି ଟଙ୍କା ଖର୍ଚ୍ଚ ପାଣିରେ ପଡ଼ୁଛି ବୋଲି ରାଜଧାନୀବାସୀ କହିଲେଣି।

ସମ୍ବନ୍ଧିତ ଖବର