ବିଷ ପିଇ ମା’ ଝିଅ ଗୁରୁତର

କ୍ୟାପିଟାଲ ହସ୍ପିଟାଲରେ ଭର୍ତି, ପରକୀୟାପ୍ରୀତି ସନ୍ଦେହ

ଭୁବନେଶ୍ୱର: ଲକ୍ଷ୍ମୀସାଗର ଥାନା ଅଧୀନ ବୁଦ୍ଧେଶ୍ୱରୀ କୁଲି ବସ୍ତିରେ ଜଣେ ମହିଳା ଓ ତାଙ୍କ ଝିଅ ବିଷ ପିଇ ଗୁରୁତର ହୋଇଛନ୍ତି। ଦୁହିଁଙ୍କୁ ଏବେ କ୍ୟାପିଟାଲ ହସ୍ପିଟାଲରେ ଭର୍ତି କରାଯାଇଛି। ସେମାନେ ହେଲେ, ଦୀପିକା ଆଚାରି (୩୫) ଓ ତାଙ୍କ ଝିଅ ପଲ୍ଲବୀ ଆଚାରି (୭)। କ୍ୟାପିଟାଲ ହସ୍ପିଟାଲ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ମା’ଝିଅଙ୍କ ଅବସ୍ଥା ଏବେ ସ୍ଥିର ରହିଛି। ତେବେ କେଉଁ କାରଣରୁ ଦୁହେଁ ବିଷ ପିଇଲେ, ତାହା ସ୍ପଷ୍ଟ ହୋଇ ନ ଥିଲେ ମଧ୍ୟ ସ୍ୱାମୀଙ୍କ ପରକୀୟାପ୍ରୀତିକୁ ନେଇ ଏଭଳି ଅଘଟଣ ଘଟିଛି ବୋଲି ସ୍ଥାନୀୟ ଲୋକ କହିଛନ୍ତି। ଲକ୍ଷ୍ମୀସାଗର ଥାନା ପୁଲିସଠାରୁ ମିଳିଥିବା ସୂଚନା ମୁତାବକ, ପୁଲିସ କଣ୍ଟ୍ରୋଲ ରୁମ୍‌ରୁ ଖବର ପାଇ ପୁଲିସ ବସ୍ତିରେ ପହଞ୍ଚିଥିଲା। ଘରେ ମା’ ଝିଅ ମୁମୂର୍ଷ ଅବସ୍ଥାରେ ପଡ଼ିଥିଲେ। ଏହି ସମୟରେ ଘରେ ଦୀପିକାଙ୍କ ପତି ଚିନ୍ତା ଆଚାରି ଅନୁପସ୍ଥିତ ଥିଲେ। ତେଣୁ ପୁଲିସ ଚିନ୍ତାଙ୍କ ଉପରେ ସନ୍ଦେହ କରୁଛି। ତେବେ ଏ ନେଇ ଥାନାରେ କେହି ଅଭିଯୋଗ କରିନାହାନ୍ତି। କିନ୍ତୁ ପୁଲିସ ଚିନ୍ତାକୁ ଖୋଜୁଛି। ସ୍ଥାନୀୟ ବାସିନ୍ଦାମାନେ କହିଛନ୍ତି ଚିନ୍ତା ବିଭିନ୍ନ ସମୟରେ ମଦ୍ୟପାନ କରିବା ସହ ଘରେ ପାଟିତୁଣ୍ଡ କରେ। ଏହାଛଡ଼ା ତାଙ୍କର ମଧ୍ୟ ଅନ୍ୟ ନାରୀମାନଙ୍କ ସହ ସମ୍ପର୍କ ରହିଛି। ଏହି କାରଣରୁ ତାଙ୍କର ପତ୍ନୀଙ୍କ ସହିତ ଝଗଡ଼ା ହୋଇଥାଏ।

ସମ୍ବନ୍ଧିତ ଖବର