ମା’ ପାଇଁ ମହାନ

ମା’…। ଶବ୍ଦ ଛୋଟ ହେଲେ ବି ଅର୍ଥ ବ୍ୟାପକ। ୧୦ମାସ ୧୦ ଦିନ ଗର୍ଭରେ ଧରି ଏକ ନୂତନ ସମ୍ଭାବନାକୁ ସେ ସଂସାରକୁ ଆଣେ। କୋଳେଇ କାଖେଇ ବଡ଼ କରେ। ନିଜ ଛୁଆର ଓଠରେ ଟିକେ ହସ ଦେଖିବାକୁ ଜୀବନର ସବୁ ଦୁଃଖ କଷଣକୁ ମଥା ପାତି ସହିଯାଏ। ଭୋକ ଲାଗିବା ଆଗରୁ ପେଟ ଚିହ୍ନି ଖାଇବା ବାଢ଼ିଦିଏ। ଦେହ ପା ଖରାପ ହେଲେ ସାରା ରାତି ଚେଇଁ ରହେ। ସେଇଥି ପାଇଁ ତ ସେ ମା’। ସ୍ୱର୍ଗଠାରୁ ବଡ଼, ପୁଣି ଈଶ୍ୱରଙ୍କଠୁ ମହାନ। ସେଇ ପ୍ରେରଣାଦାୟୀ, ମମତାମୟୀ ମା’ ପାଇଁ ଆଜି ଦିନଟି ଉତ୍ସର୍ଗ। ଏହି ପରିପ୍ରେକ୍ଷୀରେ ଆମେ ଭେଟିଥିଲୁ କିଛି ସଫଳ ବ୍ୟକ୍ତିତ୍ୱଙ୍କୁ। ସାଉଁଟିଥିଲୁ ସେମାନଙ୍କୁ ସାଧାରଣରୁ ଅସାଧାରଣ ବ୍ୟକ୍ତିତ୍ୱ କରି ଗଢ଼ି ତୋଳିବା ପଛର ମହିୟସୀ ମା’ଙ୍କ ମାତୃତ୍ୱର ଉପଲବ୍ଧିକୁ।
ପ୍ରସ୍ତୁତି: ରୋଜାଲିନ୍‌ ମହାନ୍ତି

ପୁଅ କଥାରେ କର୍ତବ୍ୟକୁ ବାଛିଥିଲି

ଥରେ ଲାଲୁ (ଆକାଶ)କୁ ମିଳିମିଳା ହୋଇଥାଏ। ମୋର ବି ଗୋଟେ ଗୁରୁତ୍ୱପୂର୍ଣ୍ଣ କାମ ଥାଏ। ବଡ଼ ବିଷମ ସ୍ଥିତିରେ ଥାଏ। ସେ ମୋତେ ପ୍ରଶ୍ନ କଲା, ମା’ ତୁମ ପାଇଁ କର୍ତ୍ତବ୍ୟ ବଡ଼ ନା ପୁଅ? ଛୋଟ ପିଲା ଥିଲା। ହେଲେ ଏତେ ବୁଦ୍ଧି! ସେଦିନ ଆଶ୍ଚର୍ଯ୍ୟ ବି ହୋଇଥିଲି। ଆଉ ତା’ ମନ ବୁଝି କର୍ତ୍ତବ୍ୟକୁ ବାଛିଥିଲି। କାରଣ ମା’ ଯାହା କରେ ଛୁଆ ସେଥିରୁ ହିଁ ଶିଖେ। ଉତ୍ତମ ସଂସ୍କାର ହିଁ ଗୋଟିଏ ଉତ୍ତମ ଭବିଷ୍ୟତ ତିଆରି କରେ। ପିଲାଦିନୁ ସେ ଭାରି ସ୍ୱାଭିମାନୀ ଆଉ ସ୍ନେହୀ। ତା’ ସହିତ ସେ ପିଲାଦିନୁ ଭାରି ସିନେମାପ୍ରେମୀ ଥିଲା। କେବେକେବେ ମନକୁ ମନ ନାଚୁଥିଲା। ସ୍କୁଲ ଡ୍ରାମାରେ ଅଭିନୟ ବି କରିଛି। କୌଣସି କାମରେ ତାକୁ ବାଧା ଦେଇନି। ବାସ୍‌ ଭଲ ମଣିଷ ହେବାକୁ କହୁଥିଲି। ସେଥିପାଇଁ ଆଜି ଜଣେ ଭଲ ଅଭିନେତା ସହ ଉତ୍ତମ ମଣିଷଟିଏ ହୋଇ ସେ ଆଗକୁ ବଢ଼ୁଛି।
ଇନ୍ଦିରା ଦାସ (ଅଭିନେତା ଆକାଶଙ୍କ ମା’)

ମା କହିଥିଲା, ଭଲ ମଣିଷଟେ ହେବୁ


ମା’ ମୋର ସବୁଠୁ ଭଲ ସାଙ୍ଗ। ପିଲାଦିନୁ ତାଙ୍କ ସହ ଏକୁଟିଆ ରହୁଥିଲି। ତେଣୁ ତାଙ୍କର ସମ୍ପୂର୍ଣ୍ଣ ପ୍ରଭାବ ମୋ ଉପରେ ପଡ଼ିଛି। ସେ ବହୁତ ସ୍ପଷ୍ଟବାଦୀ ଏବଂ ପରୋପକାରୀ। ଛୋଟବେଳୁ ସବୁବେଳେ କୁହନ୍ତି ବଡ଼ ହୋଇ ତୁ କିଛି କର କିମ୍ବା ନକର ମାତ୍ର ମଣିଷ ପରି ମଣିଷଟିଏ ହବୁ ଯେମିତି। ବଡ଼ ହୋଇ ଅଭିନୟ ଦୁନିଆକୁ ଆସିଲା ପରେ ସେ ଅଭିନୟ ପାଇଁ ଅନେକ ପ୍ରୋତ୍ସାହନ ଦେଇଛନ୍ତି। ତେବେ ଭଲ ଅଭିନେତା ମୁଁ ହୋଇପାରିଛି କି ନାହିଁ ସେକଥା ତ ଦର୍ଶକ କହିବେ। କିନ୍ତୁ ଆଜି ଯଦି ଭଲ ମଣିଷଟିଏ ବୋଲି ସମାଜରେ ପରିଚିତ ହେଉଛି ତା’ର ଶ୍ରେୟ କେବଳ ମୋ ମା’ଙ୍କୁ ଦେବି।
ଆକାଶ ଦାସ ନାୟକ (ଅଭିନେତା)

ଲେନି ଲେଖିଥିବା ବହୁ ପୁସ୍ତକର ନାଁ ମୁଁ ଦେଇଛି

ଲେନି (ପାରମିତା) ପିଲାଦିନୁ ବହୁତ ବହି ପଢ଼ୁଥିଲା। ଘଣ୍ଟା ଘଣ୍ଟା ଲାଇବ୍ରେରିରେ ବିତାଉଥିଲା। ସ୍କୁଲରେ ପଢ଼ିଲାବେଳେ ତା’ ରଫ୍‌ ଖାତାରେ ଗୋଟେ ଦୁଇଟା କବିତା ଦେଖିଲି। ଜାଣିଲି ସିଏ ବି ମୋ ରାସ୍ତାରେ ପାଦ ଦେଲାଣି। ବିଏ ପଢ଼ିଲା ବେଳକୁ ତା’ର ପ୍ରଥମ ଗଳ୍ପ ବାହାରିଲା। ବହୁତ ଖୁସି ହୋଇଥିଲି। ପିଲାଦିନୁ ସିଏ ସବୁବେଳେ ଚେଷ୍ଟା କରେ କେମିତି ମୁଁ ଏକାନ୍ତରେ ବସି କବିତା ଲେଖିପାରିବି। ତା’ର ସେଇ ଭାବନା ଏବଂ ସାହିତ୍ୟ ପ୍ରତି ସମ୍ମାନ ତାକୁ ଏତେ ସଫଳତା ଦେଇପାରିଛି। ସିଏ ଲେଖିଥିବା ବହୁ ପୁସ୍ତକର ନାମକରଣ ବି ମୁଁ କରିଛି। ତଥାପି ତା’ର ଅନେକ ଗଳ୍ପ ମୋତେ ଆଜି ବି ଆନମନା କରାଏ।
ପ୍ରତିଭା ଶତପଥୀ (ବିଶିଷ୍ଟ କବୟିତ୍ରୀ)

ମା’ଙ୍କୁ ଦେଖି ଲେଖିବା ଶିଖିଛି
ମା’ଙ୍କର କବିତାମନସ୍କ ହେବା ମୋତେ ଭଲ ଲାଗୁଥିଲା। ତାଙ୍କୁ ଦେଖିଦେଖି ଲେଖିବା ଆରମ୍ଭ କରିଥିଲି। ମୋ ଗଳ୍ପ ସେ ପଢ଼ନ୍ତି। ପ୍ରଶଂସା ବି କରନ୍ତି। କେମିତି ଲେଖିଥିଲେ ଆଉ ଟିକେ ଭଲ ହୋଇଥାନ୍ତା ସେ ଉପଦେଶ ମଧ୍ୟ ଦିଅନ୍ତି। ଥରେ ମୁଁ ମା’ଙ୍କୁ କହିଲି ଓଡ଼ିଆରେ ଆଉ ନଲେଖି ଇଂରାଜୀରେ ଲେଖିବି। କିନ୍ତୁ ସେ କହିଲେ, ମଣିଷ ଯେଉଁ ଭାଷାରେ ସ୍ୱପ୍ନ ଦେଖେ ସେଇ ଭାଷାରେ ଲେଖିବା ଉଚିତ। ବାସ୍‌ ଆଉ କେବେ ଦ୍ୱନ୍ଦ୍ୱରେ ପଡ଼ିନି। ସେ ମୋର ଶିକ୍ଷକ ଏବଂ ଆଦର୍ଶ ମଧ୍ୟ। ତାଙ୍କରି ପ୍ରେରଣାରେ ଆଜି ମୁୁଁ ସଫଳତାକୁ ସ୍ପର୍ଶ କରିପାରିଛି।
ପାରମିତା ଶତପଥୀ (ଗାଳ୍ପିକା)

ବାଟି ଖେଳରୁ ବାବୁନା ଭିତରେ ବୋଲର୍‌ଟିଏ ଦେଖିପାରିଥିଲି
ପିଲାଦିନେ ବାବୁନା (ଦେବାଶିଷ) ବାଟି ଖେଳିବାକୁ ଭାରି ଭଲ ପାଉଥିଲା। ବାଟି ଖେଳରେ ଏତେ ସୁନ୍ଦର ଭାବରେ ସେ ଲକ୍ଷ୍ୟ କରି ପକାଉଥିଲା ଯେ ମୁଁ ତା’ ଭିତରେ ଗୋଟେ ବୋଲର୍‌ର ଛବି ଦେଖିପାରୁଥିଲି। ମୁଁ ତାକୁ ଦିନେ କହିଲି, ବାବାରେ ଏଇ ଭଳିଆ ଲକ୍ଷ୍ୟ କରି ବଲ୍‌ ପକେଇଲୁ ଦେଖିବା। ବାସ୍‌..ସେ ଚେଷ୍ଟା କଲା ଆଉ ଆଜି ସଫଳ ବି ହୋଇଛି। ଲୋକମାନେ ଯେତେବେଳେ କୁହନ୍ତି ଯେ ଇଏ ଅନ୍ତର୍ଜାତୀୟ କ୍ରିକେଟର୍‌ ଦେବାଶିଷର ମା’ା ବୋଲି ସତରେ ଗର୍ବରେ ମୋ ଛାତି କୁଣ୍ଢେମୋଟ ହୋଇଯାଏ। ଏମିତି ପୁଅ ପାଇ ମୋ ନାରୀ ଜୀବନ ଧନ୍ୟ ହୋଇଯାଇଛି।
ମଞ୍ଜୁଳା ମହାନ୍ତି (ଅନ୍ତର୍ଜାତୀୟ କ୍ରିକେଟର ଦେବାଶିଷ ମହାନ୍ତିଙ୍କ ମା’)

ମା’ କହୁଥିଲେ, ଯାହା ତତେ ଖୁସି ଦେଉଛି ତାହା କର

ପିଲାଦିନେ ମୋର କ୍ରିକେଟ ଖେଳିବାକୁ ବାପା ପସନ୍ଦ କରୁ ନଥିଲେ। ତାଙ୍କୁ ଲୁଚିକରି ଖେଳିବାକୁ ଯାଉଥିଲି। ଗାଳି ପଡ଼ିଲା ବେଳକୁ ମା’ ସବୁବେଳେ ବଞ୍ଚେଇ ଦିଅନ୍ତି। ସେ ସବୁବେଳେ କୁହନ୍ତି ଯାହା ତୋତେ ଖୁସି ଦେଉଛି ସେଇଟା କର। ମୋର କ୍ରିକେଟ ପ୍ରତି ରୁଚି ଦେଖି ସେ ମଧ୍ୟ ପିଲାଦିନୁ ବହୁ ପ୍ରୋତ୍ସାହିତ କରିଥିଲେ। ଆଜି ମୁଁ ଯେତିକି ସଫଳ ହୋଇଛି ତା’ର ସମ୍ପୂର୍ଣ୍ଣ ଶ୍ରେୟ ମୋ ମା’ଙ୍କୁ ହିଁ ଦେବି।
ଦେବାଶିଷ ମହାନ୍ତି (ଅନ୍ତର୍ଜାତୀୟ କ୍ରିକେଟର)

ମାତୃ ଦିବସ
୧୮୬୧ରୁ ୧୮୬୫ ମସିହା ପର୍ଯ୍ୟନ୍ତ ଯୁକ୍ତରାଷ୍ଟ୍ର ଆମେରିକାରେ ଦାସତ୍ୱ ପ୍ରଥା ଯୋଗୁ ସଂଘର୍ଷ ଲାଗି ରହିଥିଲା। ସେହି ସମୟରେ ଜଣେ ସାଧାରଣ ମହିଳା ରୁଗ୍‌ଣ, ଅସହାୟ ଓ ଆହତମାନଙ୍କ ସେବାରେ ନିଜକୁ ଉତ୍ସର୍ଗ କରିଥିଲେ। ତାଙ୍କ ଉତ୍ସର୍ଗୀକୃତ ସେବା ଯୋଗୁ ସେ ସମସ୍ତଙ୍କଠାରେ ଆଦରଣୀୟା ଥିଲେ। ତାଙ୍କ ବିୟୋଗ ପରେ, ତାଙ୍କର ସୁକନ୍ୟା ଆନ୍ନା ଜାର୍ଭିସ୍‌ ନିଜର ସ୍ନେହମୟୀ ମାଆଙ୍କର ସ୍ମୃତି ରକ୍ଷା ନିମେନ୍ତ ପ୍ରଥମ ଥର ପାଇଁ ପାଳନ କରିଥିଲେ ‘ମାତୃ ଦିବସ’। ୧୯୧୪ ମସିହାରେ ରାଷ୍ଟ୍ରପତି ଉଡ୍ର ଓ୍ଵିଲ୍‌ସନ୍‌ ଏହି ସେବାକାରିଣୀ ମାଆଙ୍କ ସ୍ମୃତି ରକ୍ଷା ଉଦ୍ଦେଶ୍ୟରେ ପ୍ରତିବର୍ଷ ମେ ମାସର ଦ୍ୱିତୀୟ ରବିବାରକୁ ‘ମାତୃ ଦିବସ’ ରୂୂପେ ପାଳନ ପାଇଁ ଘୋଷଣା କରିଥିଲେ। ପରେ ତାହା ଆମେରିକୀୟମାନଙ୍କ ଲାଗି ଏକ ଜାତୀୟ ଦିବସର ମାନ୍ୟତା ପାଇଥିଲା। ବିଶ୍ୱର ଏକାଧିକ ରାଷ୍ଟ୍ରରେ ଏହି ଦିବସ ପାଳନ ହେଉଥିବାବେଳେ ଆମ ଦେଶରେ ମଧ୍ୟ ମେ ମାସ ଦ୍ୱିତୀୟ ରବିବାରକୁ ମାତୃ ଦିବସ ଭାବେ ପାଳନ କରାଯାଉଛି। ଜନ୍ମଦାତ୍ରୀ ‘ମାଆ’ ଶବ୍ଦର ତୁଳନା ନାହିଁ କି ବିକଳ୍ପ ନାହିଁ। ଶିଶୁଟିଏ ଜନ୍ମ ହେବା ମାତ୍ରେ ପ୍ରଥମେ ସେ ‘ମାଆ’ ଶବ୍ଦ ହିଁ ଉଚ୍ଚାରଣ କରିଥାଏ। ମାଆ କୋଳ ତା’ ପାଇଁ ସବୁଠାରୁ ନିରାପଦ ଆଶ୍ରୟସ୍ଥଳୀ। କଷ୍ଟ ସହି ନିଜ ଶିଶୁ ପାଇଁ ସୁଖ ଦେବାରେ ମଧ୍ୟ ମାଆର ଆନନ୍ଦ ଅତୁଳନୀୟ। ଆଜି ଦୁନିଆର ସବୁ ମାଆ ପାଇଁ ଶ୍ରଦ୍ଧା ଓ ସମ୍ମାନର ଦିନଟିଏ।

ସମ୍ବନ୍ଧିତ ଖବର