ଏମ୍‌ସରେ ମୋତିଆବିନ୍ଦୁ ସର୍ଜରି କର୍ମଶାଳା

ଖଣ୍ଡଗିରି: ଭୁବନେଶ୍ବର ଏମ୍‌ସର ‌ଓପ୍‌ଥାଲୋମୋଲୋଜି ବିଭାଗ ପକ୍ଷରୁ ଏକ ଜାତୀୟସ୍ତରୀୟ ‌ମୋତିଆବିନ୍ଦୁ ସର୍ଜରି କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଏହି ସର୍ଜରି ପାଇଁ ଉଦ୍‌ଭାବନ ହୋଇଥିବା ନୂତନ ତଥା ଅତ୍ୟାଧୁନିକ ପଦ୍ଧତି ଉପରେ ଆୟୋଜିତ ଏହି କର୍ମଶାଳାରେ ଭାରତର ବିଶିଷ୍ଟ ଡାକ୍ତରମାନେ ଯୋଗ ଦେଇଥିଲେ। ଓଡ଼ିଶା‌ରେ ମୋତିଆବିନ୍ଦୁ ଜନିତ ଦୃଷ୍ଟିବାଧକତା ଅଧିକ ଥିବାରୁ ଏଠାରେ ସମସ୍ତ ହସ୍ପିଟାଲରେ କିଭଳି ଲୋକଙ୍କୁ ଉପଯୁକ୍ତ ଅତ୍ୟାଧୁନିକ ସର୍ଜରି ଚିକିତ୍ସା ଯୋଗାଇ ହେବ, ତାହା ଥିଲା ଏହି କର୍ମଶାଳାର ମୂଳ ଲକ୍ଷ୍ୟ। ରିଫ୍ରାକ୍ଟିଭ୍‌ ସର୍ଜରି ଉପରେ ଏହି କର୍ମଶାଳାରେ ଆଲୋଚନା କରାଯାଇଥିଲା ଓ ଅପରେସନ୍ ପରେ ଦୃଷ୍ଟି ଶକ୍ତି ଫେରାଇବାକୁ କିଭଳି ଲେନ୍‌ସ(ଇଣ୍ଟ୍ରାକୁଲାର ଲେନ୍‌ସ, ମଲ୍ଟି ଫୋକାଲ ଲେନ୍‌ସ ଓ ଟ୍ରାଇକୁଲାର ଲେନ୍‌ସ) ସଂଯୋଗ କରାଯିବ, ତାହା ଉପରେ ଅଭିଜ୍ଞ ଡାକ୍ତରମାନେ ଆଲୋକପାତ କରିଥିଲେ। ଦିଲ୍ଲୀ ଏମ୍‌ସର କର୍ଣିଆ ବିଭାଗ ମୁଖ୍ୟ ତଥା ପଦ୍ମଶ୍ରୀ ପ୍ରଫେସର ଜୀବନ ସିଂ ତିତ୍‌ୱାଲ୍‌, ତ୍ରିଭେନ୍ଦ୍ରମ୍ ଚକ୍ରବର୍ତ୍ତୀ ଆଇ କେୟାର୍ ସେଣ୍ଟର ନିର୍ଦେଶକ ଡ. ଅରୂପ ଚକ୍ରବର୍ତ୍ତୀ, କୋଲକାତା ଦିଶା ଆଇ ହସ୍ପିଟାଲର ନିର୍ଦେଶକ ଡ. ସମର ବାସାକ ଓ ରାୟପୁର ଏମ୍‌ସର ପ୍ରଫେସର ଅଙ୍କୁର ଶ୍ରୀବାସ୍ତବ ପ୍ରମୁଖ ଏଥିରେ ଯୋଗ ଦେଇଥିଲେ। ଭୁବନେଶ୍ବର ଏମ୍‌ସର ଓପ୍‌ଥାଲୋମେ‌ାଲୋଜି ବିଭାଗ ମୁଖ୍ୟ ଡ. ସୁଚେତା ପରିଜାଙ୍କ ତତ୍ବାବଧାନରେ ପରିଚାଳିତ ଏହି କାର୍ଯ୍ୟକ୍ରମରେ ନିର୍ଦେଶିକା ଗୀତାଞ୍ଜଳି ବାତ୍ମାବାନେ, ଡିନ୍ପ୍ର ଫେସର ବିକାଶ ଭାଟିଆ ପ୍ରମୁଖ ଉପସ୍ଥିତ ଥିଲେ। ଓଡ଼ିଶା ଓ ଅନ୍ୟ ରାଜ୍ୟରୁ ୧୦ଜଣ ପ୍ରତିନିଧି ଏହି କର୍ମଶାଳାରେ ଅଂଶଗ୍ରହଣ କରିଥିଲେ।

ସମ୍ବନ୍ଧିତ ଖବର