ମଞ୍ଚରେ ‘ମୌଲାନା’ କାହାଣୀ

କଳିଙ୍ଗ ନାଟ୍ୟ ମହୋତ୍ସବ

ଭୁବନେଶ୍ୱର: ସାଂପ୍ରଦାୟିକତାର ନିଆଁ ପଛରେ ସେଦିନ ବି ଲୁଚିଥିଲା କୁଟନୀତି। ରାଜନୈତିକ ପଶାପାଲିରେ ଏମିତି ଏକ ନିଆଁ ଜାଳିଦେଇ ଅନେକ ଏଥିରୁ ଫାଇଦା ନେଇ ନିଜକୁ ମହୀୟାନ ପ୍ରମାଣିତ କରିବାରେ ଲାଗି ପଡ଼ିଥିଲେ। କିନ୍ତୁ ମିଛ ଯେତେ ଲୁଚେଇଲେ ବି ଲୁଚିନଥିଲା ସାଂପ୍ରଦାୟିକତା ପଛରେ ଲୁଚିଥିବା ସେଇ ସ୍ୱାର୍ଥନେ୍ଵଷୀ ବ୍ୟକ୍ତିଙ୍କ ମୁଖା ଖୋଲି ଦେଇଥିଲେ ଅବୁଲ କାଲାମ ଆଜାଦ। ଦୁଇ ରାଷ୍ଟ୍ର ଭିତରେ ଚାଲିଥିବା ଛଳ କପଟକୁ ପଦାରେ ପକାଇ ଦେଇଥିଲେ। ଦେଶ ପାଇଁ ସେ ଯେଉଁ ସୁନ୍ଦର ସ୍ୱପ୍ନ ଦେଖିଥିଲେ ତାହା କିନ୍ତୁ ସମୟ ଚକ୍ରରେ ସାକାର ହୋଇପାରିଲାନି। ମୀର୍‌ ଏ କାରଓ୍ଵାଁ ଏବଂ ସୋ ବୟ ମୌଲାନା ହୋଇ ରହିଗଲେ ସିନା ଦେଶ ପାଇଁ ସେ ଦେଖିଥିବା ସ୍ୱପ୍ନ ସବୁ ସ୍ୱପ୍ନରେ ରହିଗଲା। ଏହିଭଳି ଏକ କଥାବସ୍ତୁକୁ ଏକକ ଅଭିନୟରେ ଉପସ୍ଥାପନ କରିଥିଲେ ‘ହିମାଚଲ କଲ୍‌ଚରାଲ୍‌ ରିସର୍ଚ ଫୋରମ୍‌ ଆଣ୍ଡ୍‌ ଥିଏଟର ଏକାଡେମି’ର ସୁରେଶ ଶର୍ମା। ଶତାବ୍ଦୀର କଳାକାର ପକ୍ଷରୁ ରବୀନ୍ଦ୍ର ମଣ୍ଡପରେ ମଞ୍ଚସ୍ଥ ହିନ୍ଦୀ ନାଟକ ‘ମୌଲାନା’ ଦର୍ଶକଙ୍କ ଭିତରେ ଜଣେ ଦେଶପ୍ରେମୀଙ୍କର ବାସ୍ତବ ଚିତ୍ରକୁ ଉପସ୍ଥାପନ କରାଇଥିଲା। ଇତିହାସର ଏହି ଯୁଗ ପୁରୁଷଙ୍କ କଥାଚରିତର ଉପସ୍ଥାପନା ଦେଖିବାକୁ ମିଳିଥିଲା ବିଂଶତମ କଳିଙ୍ଗ ନାଟ୍ୟ ମହୋତ୍ସବର ତୃତୀୟ ସନ୍ଧ୍ୟାରେ। ଶହିଦ ଅନଓ୍ଵର ନାଟ୍ୟ ରଚନା କରିଥିବା ବେଳେ ନିର୍ଦେଶନା ଦେଇଥିଲେ ସୁରେଶ ଶର୍ମା। ମଞ୍ଚ ସଜେଇଥିଲେ ଧରମ୍‌ ସିଂ। କାଜଲ ଘୋଷ୍‌ ସଂଗୀତ ନିର୍ଦେଶନା ଦେଇଥିବା ବେଳେ ଗୋବିନ୍ଦ ସିଂ ଯାଦବ ଆଲୋକ ସମ୍ପାଦନା କରିଥିଲେ। ଆଜି ସନ୍ଧ୍ୟାରେ ଆୟୋଜିତ ପ୍ରାରମ୍ଭିକ ସଭାରେ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ, ପ୍ରାକ୍ତନ ରାଜ୍ୟସଭା ସାଂସଦ ବୈଷ୍ଣବଚରଣ ପରିଡ଼ା ଅତିଥି ଭାବେ ଯୋଗ ଦେଇଥିବା ବେଳେ ଶତାବ୍ଦୀର କଳାକାରର ସଭାପତି ଗୌରହରି ଦାସ ଏବଂ ସାଧାରଣ ସମ୍ପାଦକ ଧିର ମଲ୍ଲିକ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର