ମାଗଣା ଔଷଧ ମିଳୁଛି ତଥାପି ଏମ୍ଆର୍‌ ବୁଲୁଛନ୍ତି

ଡାକ୍ତରଙ୍କ ଘରକୁ ନ ଯାଇ ହସ୍ପିଟାଲରେ ଭେଟିବା ପଛରେ କାରଣ କ’ଣ

ଭୁବନେଶ୍ବର : ‘ନିରାମୟ’ରେ ରାଜ୍ୟ ସରକାର ମାଗଣାରେ ଔଷଧ ଦେଉଛନ୍ତି। କାର୍ଯ୍ୟରତ ଡାକ୍ତରମାନଙ୍କୁ ‘ନିରାମୟ’ ଔଷଧ ବିନା ବାହାରୁ ଔଷଧ ଲେଖିବା ପାଇଁ ଅନୁମତି ନାହିଁ। ତଥାପି କ୍ୟାପିଟାଲ ହସ୍ପିଟାଲରେ ମେଡିସିନ୍ ରିପ୍ରେଜେଣ୍ଟେଟିଭ୍ ବା ଏମ୍‌ଆର ମାଳ ମାଳ ବୁଲୁଛନ୍ତି। ଡ୍ୟୁଟି ସମୟ ହେଉ ବା ଡ୍ୟୁଟି ବାହାରେ ଏମ୍‌ଆର ଡାକ୍ତରମାନଙ୍କୁ ଗୋଡ଼େଇ ଗୋଡ଼େଇ ପିଛା କରୁଛନ୍ତି। ବାଟରେ ଅଟକାଇ ବି ଔଷଧର ସାମ୍ପୁଲ ବା ନମୁନା ଦେଖାଉଛନ୍ତି। ଯଦି ସବୁ ଔଷଧ ଡାକ୍ତରଖାନାରେ ମିଳୁଛି, ତେବେ କାହା ସ୍ବାର୍ଥରେ ଏମ୍‌ଆରମାନେ ହସ୍ପିଟାଲରେ ବୁଲୁଛନ୍ତି। ହସ୍ପିଟାଲ କର୍ତୃପକ୍ଷ ତାଙ୍କୁ ନିୟନ୍ତ୍ରଣ କରିପାରୁଛନ୍ତି ନା ଡ୍ୟୁଟି ସମୟରେ ସମସ୍ୟା ସୃଷ୍ଟି କରୁଥିବା ନେଇ କାର୍ଯ୍ୟାନୁଷ୍ଠାନ ନେଇପାରୁଛନ୍ତି।

ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାର ଏକ ଅଂଶବିଶେଷ ହେଉଛି ‘ନିରାମୟ’। ଏହି ଯୋଜନାରେ ରାଜ୍ୟ ସରକାର ରାଜ୍ୟବ୍ୟାପୀ ସରକାରୀ ଡାକ୍ତରଖାନାରେ ମାଗଣାରେ ଔଷଧ ଯୋଗାଉଛନ୍ତି। ପ୍ରତିବର୍ଷ ‘ନିରାମୟ’ ଯୋଜନାରେ ଔଷଧର ସଂଖ୍ୟା ବଢ଼ିବାରେ ଲାଗିଛି। ଚଳିତବର୍ଷ ରାଜ୍ୟ ଔଷଧ ନିଗମ ପକ୍ଷରୁ ୬ଶହରୁ ଅଧିକ ଔଷଧ ଯୋଗାଇବାକୁ ନିଷ୍ପତ୍ତି ନିଆଯାଇଛି। ରୋଗୀଙ୍କୁ ‘ନିରାମୟ’ ବ୍ୟତିତ ବାହାରୁ ଔଷଧ ନ ଲେଖିବାକୁ ସ୍ବାସ୍ଥ୍ୟମନ୍ତ୍ରୀଙ୍କଠାରୁ ଆରମ୍ଭ କରି ଉଚ୍ଚପଦସ୍ଥ ଅଧିକାରୀମାନେ ବାରମ୍ବାର ତାଗିଦ୍ କରୁଛନ୍ତି। ଏସବୁ ସତ୍ବେ କ୍ୟାପିଟାଲ ହସ୍ପିଟାଲରେ ମାଳ ମାଳ ଏମ୍‌ଆର ପ୍ରତ୍ୟେକ ଦିନ କିପରି ଡେରା ପକାଉଛନ୍ତି ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି। ବିଶେଷକରି ହସ୍ପିଟାଲର ଏସ୍-୧୦, ନଂ ୧୦, କାଜୁଆଲ୍‌ଟି, ସୁପରସ୍ପେସାଲିଷ୍ଟ ବହିର୍ବିଭାଗରେ ଥିବା ଜେନେରାଲ ୱାର୍ଡରେ ଏମ୍‌ଆରମାନେ ଡ୍ୟୁଟି ସମୟରୁ ହିଁ ଚଳପ୍ରଚଳ କରୁଛନ୍ତି। ଏପରିକି ଭିତରକୁ ପ୍ରବେଶ କରି ଡାକ୍ତରଙ୍କୁ ଭେଟୁଛନ୍ତି। ବେଳେବେଳେ ରୋଗୀଙ୍କଠାରୁ ଏମ୍‌ଆରଙ୍କ ସଂଖ୍ୟା ବଳି ଯାଉଛି। ଡାକ୍ତରଙ୍କ ପାଖରେ ପଡ଼ିଥିବା ଷ୍ଟୁଲରେ ବସି ଖାତାରେ ରୋଗୀଙ୍କ ନାଁ ଓ ନମ୍ବର ପକଉଛନ୍ତି। ଯେଉଁ କମ୍ପାନିର ଏମ୍‌ଆର ସେଠାରେ ବସୁଛନ୍ତି ସେହି କମ୍ପାନିର ଔଷଧ ବାହାରୁ କିଣିକି ଆଣି ଦେଖାଇବାକୁ ରୋଗୀଙ୍କୁ କହୁଛନ୍ତି। ଯଦି ରୋଗୀ ଜନୌଷଧୀରୁ ଔଷଧ କିଣିଆଣୁଛନ୍ତି ତେବେ ଏହା ଭୁଲ ଔଷଧ ବୋଲି ଦର୍ଶାଇ ସଂପୃକ୍ତ ଏମ୍‌ଆରମା‌ନେ ରୋଗୀଙ୍କୁ ଫେରାଇବାକୁ କହୁଛନ୍ତି। ଡାକ୍ତରମାନେ ହିଁ ଏମ୍‌ଆରମାନଙ୍କୁ ଏସବୁ ପାଇଁ ପ୍ରଶ୍ରୟ ଦେଉଥିବା ଅଭିଯୋଗ ହେଉଛି।

ଆଜି ଏଭଳି ଏକ ଘଟଣା କ୍ୟାପିଟାଲ ହସ୍ପିଟାଲରେ ଦେଖିବାକୁ ମିଳିଥିଲା। ଡାକ୍ତର ଜଣକ ନିଜ କାରରେ ବାହାରକୁ ଯାଉଥିବା ବେଳେ ଏମ୍‌ଆରମାନେ ତାଙ୍କୁ ବେଢ଼ି ଯାଇଥିଲେ। ଏକାଥରରେ ୩ଜଣ ଏମ୍‌ଆର କାରର ଆଗ ପଛରେ ରହି ବିଭିନ୍ନ ଔଷଧର ନମୁନା ଦେଖାଇଥିଲେ। ଢେର ସମୟ ଧରି ସଂପୃକ୍ତ ଡାକ୍ତର ଓ ଏମ୍‌ଆରଙ୍କ ମଧ୍ୟରେ ଔଷଧ ନେଇ ଆଲୋଚନା ଚାଲିଥିଲା। ଯଦିଓ ଡ୍ୟୁଟି ସମୟ ବାହାରେ ଡାକ୍ତର ଏମ୍‌ଆରଙ୍କୁ ଭେଟିବାରେ କୌଣସି ନିୟନ୍ତ୍ରଣ ନାହିଁ, ତଥାପି ସବୁ ଔଷଧ ମାଗଣାରେ ମିଳୁଥିବା ବେଳେ ଏମ୍‌ଆର କ’ଣ ପାଇଁ ହସ୍ପିଟାଲ୍‌କୁ ଆସୁଛନ୍ତି। ଯଦି କୌଣସି ଔଷଧର ମାର୍କେଟିଂ ଆବଶ୍ୟକ ପଡ଼ୁଛି ତେବେ ଡାକ୍ତରଙ୍କ ଘର କିମ୍ବା କ୍ବାର୍ଟର୍‌ରେ ଭେଟି ତାଙ୍କୁ ଔଷଧ ସଂପର୍କରେ କାହିଁକି ଜଣାଉ ନାହାନ୍ତି ବୋଲି ସାଧାରଣରେ ଚର୍ଚା ହେଉଛି। ଅପରପକ୍ଷରେ ବହିର୍ବିଭାଗଗୁଡ଼ିକରେ ରୋଗୀଙ୍କ ସୁବିଧା ପାଇଁ ଆଟେଣ୍ଡାଣ୍ଟ ନିଯୁକ୍ତ କରାଯାଇଛି। ମାତ୍ର ଏମ୍‌ଆର୍‌ମାନେ ଗେଟ୍ ପାଖରେ ରହି ରୋଗୀମାନଙ୍କୁ ଲାଇନ୍ କରି ଭିତରକୁ ଛାଡ଼ୁଛନ୍ତି। କିନ୍ତୁ ଆଟେଣ୍ଡାଣ୍ଟ ପଦାରେ ଆରାମରେ ବସୁଛନ୍ତି। କିଛିମାସ ପୂର୍ବରୁ ହସ୍ପିଟାଲ ପରିସରରେ ଡ୍ୟୁଟି ସମୟରେ ଏମ୍‌ଆର୍‌ଙ୍କ ପ୍ରବେଶ ଉପରେ କଟକଣା ଲଗାଇବା ପାଇଁ ଏକ ସ୍କ୍ବାଡ୍ ଗଠନ କରାଯାଇଥିଲା। ଏଥିରେ ହସ୍ପିଟାଲର ଉଚ୍ଚପଦସ୍ଥ ଅଧିକାରୀଙ୍କ ସହିତ ହସ୍ପିଟାଲର ସୁରକ୍ଷାକର୍ମୀ ଓ ଫାଣ୍ଡିର ପୁଲିସ ଅଧିକାରୀ ରହିଥିଲେ। ତେବେ ଏହି ସ୍କ୍ବାଡ୍‌ର ଏବେ ପତ୍ତା ମିଳୁନାହିଁ। ଏହାସହ ହସ୍ପିଟାଲର ବିଭିନ୍ନ ସ୍ଥାନରେ ଏଥିପାଇଁ ପୋଷ୍ଟର୍‌ ମଧ୍ୟ ଲଗାଯାଇଥିଲା। ତଥାପି ସବୁକିଛି ପୂର୍ବଭଳି ଚାଲିଛି।

ହସ୍ପିଟାଲ୍‌ର ପ୍ରତ୍ୟେକ ବୁଧବାର ଡାକ୍ତରମାନଙ୍କ ଏକ ସମ୍ମିଳନୀ ହେଉଛି। ବିଶ୍ବସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ବିଭିନ୍ନ କମ୍ପାନିର ଏମ୍ଆରମାନେ ଏଥିପାଇଁ ଖାଦ୍ୟ ଯୋଗାଉଛନ୍ତି। ବର୍ଷ ବର୍ଷ ଧରି ଏହି ବ୍ୟବସ୍ଥା ହସ୍ପିଟାଲ୍‌ରେ ଚାଲିଛି। ସମସ୍ତେ ଜାଣୁଛନ୍ତି କିନ୍ତୁ ଆଖି ବୁଜି ଦେଇଛନ୍ତି।

କ୍ୟାପିଟାଲ ହସ୍ପିଟାଲ୍‌ର ନିର୍ଦେଶକ ଡା.ଚନ୍ଦ୍ରିକା ପ୍ରସାଦ ଦାସ କହିଛନ୍ତି, ହସ୍ପିଟାଲରେ ଏମ୍‌ଆରମାନଙ୍କ ପ୍ରବେଶ ଉପରେ ରୋକ୍ ଲଗାଯାଇଛି। ହସ୍ପିଟାଲରେ ବୁଲିବା ସମୟରେ କୌଣସି ଏମ୍‌ଆର ମୋର ନଜରକୁ ଆସୁ ନାହାନ୍ତି। ଯଦି କେହି ଦେହ ଖରାପ ସମୟରେ ଡାକ୍ତରଙ୍କ ପାଖକୁ ଯାଇଥାଏ ତେବେ ତାହା ଭିନ୍ନ କଥା। କୌଣସି ସ୍ଥାନରେ ଯଦି ଏମ୍‌ଆର୍‌ ବୁଲିବାର ଯଦି କେହି ଦେଖନ୍ତି ତେବେ ନିର୍ଦେଶକଙ୍କ ମୋବାଇଲରେ ଯୋଗାଯୋଗ କରାଗଲେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଡା.ଦାସ କହିଛନ୍ତି।

ସମ୍ବନ୍ଧିତ ଖବର