ମୁକ୍ତେଶ୍ବର ମନ୍ଦିରରେ ପୁସ୍ତକ ପଠନ କାର୍ଯ୍ୟକ୍ରମ: ବାତିଲ କଲା ପର୍ଯ୍ୟଟନ ବିଭାଗ, ଜନସ୍ବାର୍ଥ ମାମଲା ରୁଜୁ

ଭୁବନେଶ୍ବର: ଆସନ୍ତାକାଲି ମୁକ୍ତେଶ୍ବର ମନ୍ଦିର ପରିସରରେ ଥିବା ପୁସ୍ତକ ପଠନ କାର୍ଯ୍ୟକ୍ରମ ବାତିଲ ହୋଇଛି। ସଂରକ୍ଷିତ ଐତିହ୍ୟରେ ବ୍ୟାବସାୟିକ କାର୍ଯ୍ୟକ୍ରମ ଆୟୋଜନ ନେଇ ଥାନାରେ ଏତଲା ହେବା ସହ ଦିଲ୍ଲୀ ପର୍ଯ୍ୟନ୍ତ କଥା ଯିବା ପରେ ପର୍ଯ୍ୟଟନ ବିଭାଗ ଅଫିସିଆଲ ଫେସ୍‌ବୁକ୍‌ ପେଜ୍‌ରେ କ୍ଷମା ପ୍ରାର୍ଥନା କରି କାର୍ଯ୍ୟକ୍ରମକୁ ବାତିଲ କରିଥିବା ସ୍ପଷ୍ଟ କରିଛି। ଅନ୍ୟପଟେ ଏହାକୁ ବ୍ୟାବସାୟିକ କାର୍ଯ୍ୟକ୍ରମ ଦାବି କରି କେନ୍ଦ୍ର ସରକାରଙ୍କ ସମେତ ଶ୍ରୀଲିଙ୍ଗରାଜ ଥାନାରେ ଏତଲା ଦେଇଥିବା ସଂସ୍କୃତି ଗବେଷକ ଅନୀଲ ଧୀର୍‌ ହାଇକୋର୍ଟରେ ଜନସ୍ବାର୍ଥ ମାମଲା (ପିଆଇଏଲ୍‌) ଫାଇଲ କରିଛନ୍ତି। ସଂରକ୍ଷିତ ଐତିହ୍ୟରେ ବିଭାଗ ଏହି ବ୍ୟାବସାୟିକ କାର୍ଯ୍ୟକ୍ରମ ଯୋଜନା କରିଥିବାରୁ ଉପଯୁକ୍ତ ଆଦେଶ ସହ ଆଗକୁ ଏହି ସବୁ କାର୍ଯ୍ୟକ୍ରମ ବନ୍ଦ ପାଇଁ ସେ ଆବେଦନ କରିଛନ୍ତି। ଫଳରେ ପର୍ଯ୍ୟଟନ ବିଭାଗ ପାଇଁ ଅଡୁଆ ବଢ଼ିଛି। ଏସ୍‌ଆଇ(ଭାରତୀୟ ପ୍ରତ୍ନତତ୍ତ୍ବ ସର୍ବେକ୍ଷଣ) ଏହି କାର୍ଯ୍ୟକ୍ରମକୁ ଅନୁମତି ନ ଦେଇ ଏହି ବିବାଦରୁ ଦୂରରେ ରହିଛି। ପର୍ଯ୍ୟଟନ ବିଭାଗ ତାର ଅଫିସିଆଲ ଫେସ୍‌ବୁକ୍‌ ପେଜ୍‌ରେ ଲେଖିଛି ଯେ ପ୍ରସିଦ୍ଧ ଲେଖକ ତଥା ଐତିହାସିକ ଉଇଲିୟମ ଡାଲ୍‌ରିମ୍ପୁଲ ଆସନ୍ତାକାଲି ଓଡ଼ିଶା ଆସୁଛନ୍ତି। ସେ ରାଜ୍ୟ ସରକାରଙ୍କ ପର୍ଯ୍ୟଟନ ବିଭାଗର ଅତିଥି ହୋଇଛନ୍ତି। ତାଙ୍କର ଏଠାରେ ୪ଦିନ କାର୍ଯ୍ୟକ୍ରମ ରହିଛି। ମୁ‌କ୍ତେଶ୍ବର ମନ୍ଦିର ପରିସରରେ ଆସନ୍ତାକାଲି ତାଙ୍କ ଲିଖିତ ଏକ ପୁସ୍ତକ ପଠନ କାର୍ଯ୍ୟକ୍ରମ ରହିଥିଲା। ଏବେ ନିର୍ବାଚନ ପାଇଁ ଆଦର୍ଶ ଆଚରଣ ବିଧି ବଳବତ୍ତର ଥିବାରୁ ଏହି କାର୍ଯ୍ୟକ୍ରମକୁ ବାତିଲ କରିବାକୁ ପଡ଼ିଛି। ଏଥିପାଇଁ ବିଭାଗ ଦୁଃଖ ପ୍ରକାଶ କରୁଛି ବୋଲି ଏହି ଷ୍ଟାଟ୍‌ସ ଅପ୍‌ଡେଟ୍‌ ହୋଇଛି।

ବାସ୍ତବରେ ଏହି କାର୍ଯ୍ୟକ୍ରମ ମୁକ୍ତେଶ୍ବର ମନ୍ଦିର ପରିସରରେ ହେବା ପାଇଁ କାର୍ଯ୍ୟସୂଚୀ ପ୍ରକାଶ ପାଇବା ପ‌ରେ ବିବାଦ ମୁଣ୍ଡ ଟେକିଥିଲା। ମନ୍ଦିର ଏକ ସଂରକ୍ଷିତ ଐତିହ୍ୟ ହୋଇଥିବାରୁ ଏଠାରେ ଏପରି କାର୍ଯ୍ୟକ୍ରମ ଆୟୋଜନ ବେଆଇନ ଦର୍ଶାଇ ସଂସ୍କୃତି ଗବେଷକ ଶ୍ରୀ ଧିର୍‌ ଶ୍ରୀଲିଙ୍ଗରାଜ ଥାନାରେ ଏତଲା ଦେବା ସହ ଏଏସ୍‌ଆଇକୁ ଚିଠି ଲେଖିଥିଲେ। ସେ ଦର୍ଶାଇଥିଲେ, ଏଠାରେ ଯେଉଁ କାର୍ଯ୍ୟକ୍ରମ ହେବାକୁ ଯାଉଛି, ତାହା ସମ୍ପୂର୍ଣ୍ଣ ବ୍ୟାବସାୟିକ। ଏହା ଉଇଲିୟମ ଡାଲ୍‌ରିମ୍ପୁଲଙ୍କ ଲିଖିତ ତଥା ବ୍ଲୁମ୍‌ସ୍‌ ବରି ପ୍ରକାଶନ ଦ୍ବାରା ପ୍ରକାଶିତ ପୁସ୍ତକ ‘ନାଇନ୍‌ ଲାଇଭ୍‌ସ୍‌’ର ପ୍ରଚାରପ୍ରସାର ପାଇଁ ଉଦ୍ଦିଷ୍ଟ। ମୁକ୍ତେଶ୍ବର ମନ୍ଦିର ଏକ ସଂରକ୍ଷିତ ଐତିହ୍ୟ। ଏହାକୁ ଏଭଳି କାର୍ଯ୍ୟକ୍ରମ ପାଇଁ ବ୍ୟବହାର କରା ଯାଇପାରିବ ନାହିଁ। କାର୍ଯ୍ୟକ୍ରମ ଆୟୋଜନ ହେଲେ ଐତିହ୍ୟ ସଂରକ୍ଷଣ ଆଇନ-୧୯୫୬ ଉଲ୍ଲଂଘନ ହେବ। ଏତଦ୍‌ବ୍ୟତୀତ ମନ୍ଦିରର ରୀତିନୀତି ମଧ୍ୟ ପ୍ରଭାବିତ ହେବ। ଲୋକଙ୍କ ସମାଗମ ଐତିହ୍ୟ ପ୍ରତି ବିପଦ ସୃଷ୍ଟି କରିବ ବୋଲି ସେ ଦର୍ଶାଇଥିଲେ। ଏହି ବିବାଦ ମୁଣ୍ଡ ଟେକିବା ପରେ ଏଏସ୍‌ଆଇ ଅନୁମତି ଦେଇନଥିବା ବେଳେ ଆଦର୍ଶ ଆଚରଣ ବିଧି ଆଳରେ ପର୍ଯ୍ୟଟନ ବିଭାଗ କାର୍ଯ୍ୟକ୍ରମ ବାତିଲ କରିବାକୁ ବାଧ୍ୟ ହୋଇଛି। ଏନେଇ ଅଭିଯୋଗକାରୀ ତଥା ଗବେଷକ ଶ୍ରୀ ଧୀର କହିଛନ୍ତି, ଏହି କାର୍ଯ୍ୟକ୍ରମ ଘୋଷଣା ହେବା ପୂର୍ବରୁ ଆଦର୍ଶ ଆଚରଣବିଧି ବଳବତ୍ତର ରହିଥିଲା। ଏହାପରେ ବି କିପରି କାର୍ଯ୍ୟକ୍ରମ ଧାର୍ଯ୍ୟ ହୋଇଥିଲା ବୋଲି ସେ ପ୍ରଶ୍ନ କରିଛନ୍ତି। ସେହିପରି କାର୍ଯ୍ୟକ୍ରମର ଗୋଟିଏ ଦିନ ପୂର୍ବରୁ ବିଭାଗର କିଭଳି ନିଦ ଭାଙ୍ଗିଗଲା ତାହା ଆମକୁ ଆଶ୍ଚର୍ଯ୍ୟ କରିଛି। ଭବିଷ୍ୟତରେ ଏଭଳି ଐତିହ୍ୟକୁ ଯେପରି ବ୍ୟବସାୟରେ ନ ଲଗାଯିବ, ସେ ନେଇ ଜନସ୍ବାର୍ଥ ମାମଲା ଦାୟର୍‌ ହୋଇଛି।

ସମ୍ବନ୍ଧିତ ଖବର