ଖଣ୍ଡଗିରି ମେଳା, ମଞ୍ଚରେ ମୁମ୍ବାଇ, ଋଷିଆ ଶିଳ୍ପୀ

ଭୁବନେଶ୍ବର: ଖଣ୍ଡଗିରି ଯାତ୍ରା ମହାକୁମ୍ଭରେ ଦ୍ବିତୀୟ ପର୍ଯ୍ୟାୟ ଲଢ଼େଇ ଜମି ଆସୁଛି। ଆଉ ମାତ୍ର ୫ ରାତି ଯାତ୍ରା ଉପଭୋଗ କରିବାର ସୁଯୋଗ ମିଳିବ। ତେଣୁ ଧୀରେଧୀରେ ସବୁ ପେଣ୍ଡାଲ୍‌ରେ ହାଉସ୍‌ଫୁଲ୍‌ ଦର୍ଶକଙ୍କୁ ଦେଖିବାକୁ ମିଳିଛି। ଜାଗମରା ମେଳଣ ପଡ଼ିଆରେ ସଂଗୀତ ଓ ନୃତ୍ୟ କାର୍ଯ୍ୟକ୍ରମରେ ଋଷିଆନ ନୃତ୍ୟଶିଳ୍ପୀଙ୍କ ଝଲକ ଅନୁଭବ କରିଛନ୍ତି ଦର୍ଶକ। ସେହିପରି ମହତାବ ପେଣ୍ଡାଲ୍‌ରେ ଯାତ୍ରାଶ୍ରୀ ବିଶ୍ବଦରବାରରେ ମୁମ୍ବାଇ ସୁନ୍ଦରୀ ତଥା ଆଇଟମ୍‌ ନୃତ୍ୟଶିଳ୍ପୀଙ୍କ ଦମ୍‌ଦାର ନୃତ୍ୟ ମନ ହରି ନେଇଛି। କଳିଙ୍ଗ ମଂଚରେ ମଧ୍ୟ ଓଲିଉଡ୍‌ର କିଛି କଳାକାରଙ୍କୁ ଦେଖିବାକୁ ମିଳିଛି। ‌ଆଜି ଯାତ୍ରା ସଚ୍ଚିଦାନନ୍ଦମ ତା’ର ବହୁଚର୍ଚ୍ଚିତ ନାଟକ ‘ରେପ୍‌ ଆଣ୍ଡ୍‌ ମର୍ଡର’ ମଂଚସ୍ଥ କରି ଦର୍ଶକଙ୍କୁ‌ ରୋମାଞ୍ଚିତ କରିଛି। ହର ବାରିକଙ୍କ ନିର୍ଦେଶିତ ଏହି ନାଟକରେ ବିଶେଷକରି ଯାତ୍ରା ଟାଇଗର ସଂଜୟ ଭୋଳଙ୍କ ଦମ୍‌ଦାର ଅଭିନୟ ଚମକ ଭରିଛି। ଆସନ୍ତାକାଲି ମଧ୍ୟ ଏହି ନାଟକ ରିପିଟ୍‌ ହେବ ବୋଲି ମହେନ୍ଦ୍ର ଗୁରୁ ସୂଚନା ଦେଇଛନ୍ତି। ସେହିପରି ଖଣ୍ଡଗିରି ପାର୍କିଂ ପଡ଼ିଆରେ କୋଣାର୍କ ଗଣନାଟ୍ୟରେ ଦୈତାରୀ ପଣ୍ଡାଙ୍କ ଅଭିନୟ ଦେଖିବାକୁ ଦର୍ଶକଙ୍କ ମଧ୍ୟରେ ଉତ୍ସାହ ପରିଲକ୍ଷିତ ହୋଇଛି। ମହତାବ ପେଣ୍ଡାଲ୍‌ରେ ପ୍ରଥମ ରାତିରେ ମଂଚସ୍ଥ ନାଟକ ‘ଭଲ ପାଇବାକୁ ଭଲ ଲାଗୁଛି’ର କାହାଣୀ ବାଃବାଃ ସାଉଁଟିଛି। କୈଳାସ ବେହେରା, ଶୁଭେନ୍ଦୁ, ଟିକିନା, ସୁକାନ୍ତି ଓ ଗୌରୀଙ୍କ ଅଭିନୟ‌ରେ ବିଭୋର୍‌ ହୋଇଛନ୍ତି ଦର୍ଶକ। ଏହି ନାଟକ ଆସନ୍ତାକାଲି ମଧ୍ୟ ମଂଚସ୍ଥ ହେବ ବୋଲି ମହତାବ ଯାତ୍ରା ଆୟୋଜକ କମିଟିର ସଭାପତି କୃଷ୍ଣଚନ୍ଦ୍ର ଜେନା ଏବଂ ସମ୍ପାଦକ ନୃସିଂହ ପ୍ରସାଦ ସୁନ୍ଦରାୟ ସୂଚନା ଦେଇଛନ୍ତି। ଇନ୍ଦ୍ରମହଲର ନାଟକ ‘ଉର୍ବଶୀ ଆସୁଛି ଇନ୍ଦ୍ରମହଲ’ ଦର୍ଶକଙ୍କୁ ବାନ୍ଧି ରଖିଥିବା ବେଳେ ଆକର୍ଷଣୀୟ ମେଲୋଡି ଓ ନୃତ୍ୟ କାର୍ଯ୍ୟକ୍ରମ ଦର୍ଶକଙ୍କ ମନ ଜିଣିଛି। ଆସନ୍ତାକାଲି ମଧ୍ୟ ଏହି ନାଟକ ରିପିଟ୍‌ ହେବ ବୋଲି ଜୟଦୁର୍ଗା ସାଂସ୍କୃତିକ ପରିଷଦର ସଭାପତି ବିଜୟ ଜେନା କହିଛନ୍ତି। ରଙ୍ଗମହଲର ନାଟକ ‘ଅଧେ ତୋର, ଅଧେ ମୋର’ରେ ସୁବାସ, ବାସୁ ମାଇତି, ବ୍ରଜ ପାଣି, ଚିତ୍ତ-ଅନିମା, ଆକାଶ-ଜହ୍ନ ମନ କିଣିଛନ୍ତି। ଘାଟିକିଆ ପେଣ୍ଡାଲ୍‌ରେ ତୁଳସୀ ଗଣନାଟ୍ୟ ମଧ୍ୟ ସମାନ ନାଟକ ରିପିଟ୍‌ କରିବ ବୋଲି ସୂଚନା ମିଳିଛି।

ସମ୍ବନ୍ଧିତ ଖବର