ଏମିତି ବି ମୃତ୍ୟୁ ଡାକିନିଏ…

ଚିକିତ୍ସାଧୀନ ସ୍ୱାମୀଙ୍କୁ ଭେଟିବା ପୂର୍ବରୁ ଦୁର୍ଘଟଣା

ଖଣ୍ଡଗିରି: ହସ୍ପିଟାଲରେ ଚିକିତ୍ସାଧୀନ ସ୍ୱାମୀଙ୍କୁ ଦେଖା କରିବା ପାଇଁ ଘରୁ ବାହାରିଥିଲେ ସେବତୀ ଶର୍ମା(୬୫)। କିନ୍ତୁ ବାଟରେ ତାଙ୍କୁ ହିଁ ଅପେକ୍ଷା କରି ବସିଥିଲା ମୃତ୍ୟୁ। ଜାତୀୟ ରାଜପଥ ପାର୍‌ ହେଉ ହେଉ ମାଡ଼ି ଆସିଲା କାର୍‌ ଓ ମହିଳାଙ୍କୁ ଖୁବ୍‌ ଜୋର୍‌ରେ ଧକ୍କା ଦେଲା। ଫଳରେ ଘଟଣାସ୍ଥଳରେ ହିଁ ତାଙ୍କର ପ୍ରାଣବାୟୁ ଉଡ଼ିଗଲା। ରବିବାର ଅପରାହ୍ଣ ପ୍ରାୟ ୪ଟା ସମୟରେ ୧୬ ନମ୍ବର ଜାତୀୟ ରାଜପଥ ତମାଣ୍ଡୋ ବଜାରରେ ଘଟିଥିବା ଏହି ଦୁର୍ଘଟଣା ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳାଇ ଦେଇଛି।

କେନ୍ଦ୍ରାପଡ଼ା ଜିଲ୍ଲା ଆଳି ଥାନା ଚଣ୍ଡିଆଗଡ଼ ମାଳପାଟଣା ଗାଁର ସେବତୀ ଶର୍ମା ତାଙ୍କ ପୁଅ ସନ୍ତୋଷଙ୍କ ସହ କିଛି ବର୍ଷ ହେବ ତମାଣ୍ଡୋରେ ଭଡ଼ାଘରେ ରହିଆସୁଥିଲେ। ପୁଅ ସନ୍ତୋଷ ଏକ ଘରୋଇ କଲେଜରେ ଅଧ୍ୟାପକ ଭାବେ କାମ କରନ୍ତି। ଗତ କିଛି ଦିନ ସେବତୀଙ୍କ ସ୍ୱାମୀ ଉଦୟନାଥ ଶର୍ମା ସମ୍‌ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି। ତେଣୁ ଆଜି ସେବତୀ ସ୍ୱାମୀଙ୍କୁ ଦେଖା କରିବାକୁ ହସ୍ପିଟାଲ ଯିବା ପାଇଁ ଘରୁ ବାହାରି ଆସିଥିଲେ। ତମାଣ୍ଡୋ ଛକରୁ ଅଟୋଯୋଗେ ସେ ହସ୍ପିଟାଲକୁ ଯାଇଥାଆନ୍ତେ। ମାତ୍ର ରାଜପଥ ପାର୍‌ ହେଉଥିବା ସମୟରେ ଭୁବନେଶ୍ୱରରୁ ଖୋର୍ଧା ଦିଗରେ ଯାଉଥିବା ଏକ କାର୍‌(ଓଡି୦୭ପି-୫୯୬୯) ତାଙ୍କୁ ମଝି ରାସ୍ତାରେ ହିଁ ଧକ୍କା ଦେଇଥିଲା। ଫଳରେ ସେବତୀ ସେହିଠାରେ ହିଁ ପ୍ରାଣ ହରାଇଥିଲେ। ଦୁର୍ଘଟଣା ଘଟାଇଥିବା କାର୍‌ଟି ସେହିଠାରେ ଅଟକି ଥିଲା ଓ ଡ୍ରାଇଭର ତମାଣ୍ଡୋ ଥାନାରେ ଆତ୍ମସମର୍ପଣ କରିଥିଲା। ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ବ୍ୟବଚ୍ଛେଦ ପାଇଁ ହସ୍ପିଟାଲକୁ ପଠାଇଥିଲା।

ସମ୍ବନ୍ଧିତ ଖବର