ମୃତ୍ୟୁ ଭେଟି ଦେଉଛି ମୁକୁଳା ଡ୍ରେନ୍‌: ୨୫୦ କିମି ରାସ୍ତା ମରଣଯନ୍ତା

ଭୁବନେଶ୍ୱର: ରାଜଧାନୀର ରାସ୍ତା କଡ଼ରେ ମରଣଯନ୍ତା ବିଛାଯାଇଛି। କେମିତି ସାଧାରଣ ଲୋକ ସହଜରେ ମୃତ୍ୟୁକୁ ଆଲିଙ୍ଗନ କରିବେ ସେ ବ୍ୟବସ୍ଥା ପ୍ରଶାସନ ପକ୍ଷରୁ ହୋଇଛି। ମୁକୁଳା ଡ୍ରେନ୍‌ ଏବେ ଏହି ମୃତ୍ୟୁର ଯନ୍ତା ପାଲଟିଛି। ଯାହା ରାଜଧାନୀବାସୀଙ୍କୁ ଅକାଳ ମୃତ୍ୟୁ ଭେଟି ଦେଉଛି। ଗତ ତିନି ବର୍ଷରେ ୫ରୁ ଅଧିକ ବ୍ୟକ୍ତି ଏହି ମୁକୁଳା ଡ୍ରେନ୍‌ରେ ପଡ଼ି ମରିଥିବାବେଳେ ଶତାଧିକ ଆହତ ହେଲେଣି। କିନ୍ତୁ ପ୍ରଶାସନ ଚେତୁନି। ଲୋକ ମୁକୁଳା ଡ୍ରେନ୍‌ରେ ପଡ଼ି ମରିବା ପରେ ଆଶ୍ୱାସନା ଜଣାଇବାକୁ ନେତା ଓ ଅଧିକାରୀଙ୍କ ସୁଅ ଛୁଟୁଛି। କିନ୍ତୁ ଏହାର ସ୍ଥାୟୀ ସମାଧାନ କରିବାକୁ ବୁଦ୍ଧି ଜୁଟୁନି। ମିଳିଥିବା ସୂଚନା ଅନୁଯାୟୀ, ରାଜଧାନୀରେ ଯେତିକି ରାସ୍ତା ଅଛି ତା’ର ଚାରି ଭାଗରୁ ଭାଗେ ରାସ୍ତାରେ ଡ୍ରେନ୍‌ ନିର୍ମାଣ ହୋଇଛି। ସେଥିରୁ ପୁଣି ଅଧାରୁ ଅଧିକ ମୁକୁଳା। କେଉଁଠି ଡ୍ରେନ୍‌ ତିନି ଫୁଟ ତ କେଉଁଠି ଦୁଇ ଫୁଟ ଗଭୀର। ଏମିତି ଢାଞ୍ଚାରେ କେତୋଟି ଡ୍ରେନ୍‌ ନିର୍ମାଣ ହୋଇଛି, ଯେଉଁଥିରେ ପଡ଼ିଲେ ମୃତ୍ୟୁ ସୁନିଶ୍ଚିତ। କିନ୍ତୁ ଏହି ଡ୍ରେନ୍‌ ଉପରେ ଘୋଡ଼ଣି ପକାଇବାକୁ ପଦକ୍ଷେପ ନିଆଯାଉନି।

ମୁକୁଳା ଡ୍ରେନ୍‌ରେ ପଡ଼ିକି ଗୋଟେ ପରେ ଗୋଟେ ଜୀବନ ଯାଉଛି। ବର୍ଷା ଦିନେ ଡ୍ରେନ୍‌ରେ ପଡ଼ି ଖଣ୍ଡିଆ ଖାବରା ହେଉଥିବା ଲୋକଙ୍କ ସଂଖ୍ୟା ବଢ଼ୁଛି। ହେଲେ ବିଏମ୍‌ସି ଅଧିକାରୀଙ୍କର ଏଥିପ୍ରତି ନିଘା ନାହିଁ। ଯେଉଁଥିପାଇଁ ରାଜଧାନୀରେ ଯେତିକି ଅଞ୍ଚଳରେ ଡ୍ରେନ୍‌ ଅଛି ସେଥିରୁ ଅଧିକାଂଶ ଏବେ ମୁକୁଳା ଛଡ଼ାଯାଇଛି। କୌଣସି ଡ୍ରେନ୍‌ ମୁକୁଳା ପଡ଼ିବନି, ଡ୍ରେନ୍‌ ନିର୍ମାଣ ହେବା ପରେ ଏହା ଉପରେ ସ୍ଲାବ୍‌ ପକାଇବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ ଅଛି। ହେଲେ ରାଜଧାନୀରେ ଯେଉଁଠିକୁ ଚାହିଁବ ସେଠି ଡ୍ରେନ୍‌ ମୁକୁଳା। ନିୟମ ଅନୁଯାୟୀ ଯେଉଁଠି ରାସ୍ତା ହେବ, ତାହା କଡ଼ରେ ଡ୍ରେନ୍‌ ହେବ। ହେଲେ ଏବେବି ବହୁ ରାସ୍ତା ଅଛି ଯେଉଁଠି ଡ୍ରେନ୍‌ ନାହିଁ। ରାଜଧାନୀରେ ଜାତୀୟ ରାଜପଥ, ପୂର୍ତ୍ତ ଓ ବିଏମ୍‌ସିର ୧୬୫୭କିମି ରାସ୍ତା ଥିବାବେଳେ ପ୍ରାୟ ୪୧୦କିମି ଡ୍ରେନ୍‌ ହୋଇଛି। ଯେଉଁଥିରୁ ପ୍ରାୟ ୨୫୦କିମି ଡ୍ରେନ୍‌ ମୁକୁଳା ପଡ଼ିଛି। ହେଲେ ବିଏମ୍‌ସି ଅଧିକାରୀ କହୁଛନ୍ତି ଆମର ବଜେଟ୍‌ ଅନୁଯାୟୀ ଡ୍ରେନ୍‌ ନିର୍ମାଣ କରୁଛୁ। ଆଗରୁ ନିୟମ ନ ଥିଲା ଡ୍ରେନ୍‌ ଉପରେ ସ୍ଲାବ୍‌ ପକାଇବାକୁ। ଗତ ଦୁଇବର୍ଷ ହେଲା ନିୟମ ହୋଇଛି ଯେଉଁ ଡ୍ରେନ୍‌ ନିର୍ମାଣ ହେବ ତାହା ଉପରେ ସ୍ଲାବ୍‌ ପଡ଼ିବ। ତେଣୁ ଏବେ ନୂଆ ଡ୍ରେନ୍‌ ନିର୍ମାଣ ସହ ପୁରୁଣା ଡ୍ରେନ୍‌ର ମରାମତି ହେଉଛି ଏବଂ ସ୍ଲାବ୍‌ ପଡ଼ୁଛି। କିନ୍ତୁ ସବୁ ଡ୍ରେନ୍‌ରେ ସ୍ଲାବ୍‌ ପକାଇ ହେଉନି।

କର୍ପୋରେଟର ଓ ଇଞ୍ଜିନିୟର ସଲାସୁତରା
ପୁରୁଣା ଡ୍ରେନ୍‌ ମରାମତି କରି ନୂଆ ଡ୍ରେନ୍‌ ବିଲ୍‌ ନେଇଛନ୍ତି
ରାଜଧାନୀରେ ମୁକୁଳା ଡ୍ରେନ୍‌ ପଡ଼ିବା ପଛରେ ବିଏମ୍‌ସି, ପୂର୍ତ୍ତ ଏବଂ ଜାତୀୟ ରାଜପଥ କର୍ତ୍ତୃପକ୍ଷ ଯେତିକି ଦାୟୀ ତାହାଠାରୁ ଢେର୍‌ ଅଧିକ ଦାୟୀ କର୍ପୋରେଟରମାନେ। କର୍ପୋରେଟରମାନେ ଏଠି ମୁଖ୍ୟ କାର୍ପଟଦାର ସାଜିଥିବାରୁ ଦୀର୍ଘ ବର୍ଷ ହେଲା ଏହି ସମସ୍ୟା ଦୂର ହେଉନି। ଗଳି କନ୍ଦିରେ ଡ୍ରେନ୍‌ ନିର୍ମାଣ କରିବା ଦାୟିତ୍ୱ ବିଏମ୍‌ସିର। ପ୍ରମୁଖ ରାସ୍ତାରେ ଡ୍ରେନ୍‌ ନିର୍ମାଣ କାର୍ଯ୍ୟ ପୂର୍ତ୍ତ ବିଭାଗର। ଜାତୀୟ ରାଜପଥ କଡ଼ରେ ଜାତୀୟ ରାଜପଥ କର୍ତ୍ତୃପକ୍ଷ ଡ୍ରେନ୍‌ ନିର୍ମାଣ କରିବେ। କିନ୍ତୁ କର୍ପୋରେଟର୍‌ମାନେ ସେମାନଙ୍କ ଇଚ୍ଛାରେ ନିଜ ଅଞ୍ଚଳରେ ଡ୍ରେନ୍‌ ନିର୍ମାଣ କରାଉଛନ୍ତି। ପୂର୍ତ୍ତ ବିଭାଗର ଯନ୍ତ୍ରୀଙ୍କ ସହ ସଲାସୁତରା କରି ଗଳିକନ୍ଦିରେ ଡ୍ରେନ୍‌ ନିର୍ମାଣ କରୁଛନ୍ତି। କେତେକ ସ୍ଥାନରେ ମୁକୁଳା ଡ୍ରେନ୍‌ କରି କଭର୍‌ ଡ୍ରେନ୍‌ ବିଲ୍‌ କରୁଛନ୍ତି। ସେହିପରି ବିଏମ୍‌ସି ଅଞ୍ଚଳରେ ବି ହେଉଛି। ଏଠାରେ ଯେତିକି ଡ୍ରେନ୍‌ ମୁକୁଳା ପଡ଼ିଛି ତାହା ଉପରେ କିପରି ଘୋଡ଼ଣି ପଡ଼ିବ ଚିନ୍ତା ନକରି ଅର୍ଥ ବାଟମାରଣା ପାଇଁ ପ୍ରତିବର୍ଷ ପୁରୁଣା ଡ୍ରେନ୍‌କୁ ପଲସ୍ତରା କରି ବିଲ୍‌ କରାଯାଉଛି। ଏପରିକି ରାସ୍ତା ଭଲ ଥିଲେ ବି ତାହା ଉପରେ ବର୍ଷକୁ ଦୁଇଥର ପିଚୁ ପରସ୍ତ ପକାଇ ବିଲ୍‌ କରୁଛନ୍ତି। କର୍ପୋରେଟର୍‌ଙ୍କ ପ୍ରତ୍ୟେକ୍ଷ ତତ୍ତ୍ୱାବଧାନରେ ଏହିପରି ଜାଲିଆତି ହେଉଥିବାରୁ ବିଏମ୍‌ସିର କେତେକ ଅଧିକାରୀ ଜାଣିଶୁଣି ଚୁପ୍‌ ରହୁଛନ୍ତି।

ବିଏମ୍‌ସିର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଏବେ ପ୍ରତି ଓ୍ଵାର୍ଡକୁ ବର୍ଷକୁ ଦେଢ଼ କୋଟି ଟଙ୍କା ମିଳୁଛି। ଯଦି କର୍ପୋରେଟର୍‌ ଚାହିଁବେ ଦୁଇ ବର୍ଷରେ ସେମାନଙ୍କ ଓ୍ଵାର୍ଡରେ କୌଣସି ମୁକୁଳା ଡ୍ରେନ୍‌ ରହିବନି। କିନ୍ତୁ ଡ୍ରେନ୍‌ ଭୁଶୁଡ଼ି ପଡ଼ିଛି, ମୂଷା ଗାତ କରିଛି କହି ପ୍ରତିବର୍ଷ ନିର୍ଦ୍ଦିଷ୍ଟ କେତୋଟି ଅଞ୍ଚଳରେ ଡ୍ରେନ୍‌ ମରାମତି କରାଯାଉଛି। ଗତ ତିନିବର୍ଷରେ ବିଏମ୍‌ସି ଡ୍ରେନ୍‌ ପାଇଁ ୪୫କୋଟି ୬୬ଲକ୍ଷ ୭ହଜାର ୮୭୦ଟଙ୍କା ଖର୍ଚ୍ଚ କଲାଣି। ୨୦୧୫-୧୬ରେ ୯,୬୩,୭୭,୦୭୨ଟଙ୍କା, ୨୦୧୬-୧୭ରେ ୧୧,୩୫,୧୫,୮୫୮ଟଙ୍କା, ୨୦୧୭-୧୮ରେ ଡ୍ରେନ୍‌ ନିର୍ମାଣ ପାଇଁ ୨୪,୬୭,୧୪,୯୪୦ଟଙ୍କା ଖର୍ଚ୍ଚ ହୋଇଛି। କିନ୍ତୁ କେତେ କିଲୋମିଟର ଡ୍ରେନ୍‌ ନିର୍ମାଣ ହୋଇଛି, କେତେ ସ୍ଲାବ୍‌ ପଡ଼ିଛି ତା’ର ହିସାବ ଇଞ୍ଜିନିୟରଙ୍କ ପାଖରେ ନାହିଁ।

ପୂର୍ତ୍ତ ବିଭାଗର ୬୭କିମି ଡ୍ରେନ୍‌ ଉପରେ ସ୍ଲାବ୍‌ ନାହିଁ
ରାଜଧାନୀରେ ପୂର୍ତ୍ତ ବିଭାଗର ମୋଟ୍‌ ୫୧୮.୧୮୩କିମି ରାସ୍ତା ଥିବାବେଳେ ସବୁ ରାସ୍ତା କଡ଼ରେ ଡ୍ରେନ୍‌ କରିବାର ନିୟମ ଅଛି। ହେଲେ ୨୨୮.୮୩କିମିର ଡ୍ରେନ୍‌ ଅଛି। ୧୬୨.୮୪କିମି ଡ୍ରେନ୍‌ ଉପରେ ସ୍ଲାବ୍‌ ଅଛି। ବିନା ସ୍ଲାବ୍‌ରେ ୬୬.୭୮୩କିମି ଡ୍ରେନ୍‌ ଅଛି। ଏଥିରୁ ଭୁବେନଶ୍ୱରରେ ଆର୍‌ଆଣ୍ଡ୍‌ବି ଡିଭିଜନ-୧ ଅଧୀନରେ ୯୧.୩୮କିମି ରାସ୍ତା ଥିବାବେଳେ ୨୯.୨୮ କିମିର ଡ୍ରେନ୍‌ ଅଛି। ୨୪.୨୧୦କିମି ଡ୍ରେନ୍‌ ଉପରେ ସ୍ଲାବ୍‌ ଅଛି। ବିନା ସ୍ଲାବରେ ୫.୨୧୦କିମି ଡ୍ରେନ୍‌ ଅଛି। ସେହିପରି ଆର୍‌ଆଣ୍ଡ୍‌ବି ଡିଭିଜନ-୨ ଅଧୀନରେ ୧୧୯.୯୮କିମି ରାସ୍ତା ଥିବାବେଳେ ୫୭.୨୬ କିମିର ଡ୍ରେନ୍‌ ଅଛି। ୩୮.୦୮୦କିମି ଡ୍ରେନ୍‌ ଉପରେ ସ୍ଲାବ୍‌ ଅଛି। ବିନା ସ୍ଲାବରେ ୧୯.୧୮୦କିମି ଡ୍ରେନ୍‌ ଅଛି। ଆର୍‌ଆଣ୍ଡ୍‌ବି ଡିଭିଜନ-୩ ଅଧୀନରେ ୨୦୬.୮୫୯କିମି ରାସ୍ତା ଥିବାବେଳେ ୯୦.୧୮୦ କିମିର ଡ୍ରେନ୍‌ ଅଛି। ୭୨.୮୫୫କିମି ଡ୍ରେନ୍‌ ଉପରେ ସ୍ଲାବ୍‌ ଅଛି। ବିନା ସ୍ଲାବରେ ୧୭.୩୨୫କିମି ଡ୍ରେନ୍‌ ଅଛି। ଆର୍‌ଆଣ୍ଡ୍‌ବି ଡିଭିଜନ-୪ ଅଧୀନରେ ୯୯.୯୬୪କିମି ରାସ୍ତା ଥିବାବେଳେ ୫୨.୧୦୫କିମିର ଡ୍ରେନ୍‌ ଅଛି। ୨୭.୬୯୩କିମି ଡ୍ରେନ୍‌ ଉପରେ ସ୍ଲାବ୍‌ ଅଛି। ବିନା ସ୍ଲାବରେ ୨୫.୦୬୮କିମି ଡ୍ରେନ୍‌ ଅଛି।

ତିନି ବର୍ଷରେ ୫ ମଲେଣି, ଶତାଧିକ ଆହତ
ବିଏମ୍‌ସି ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ୨୦୧୫ ମସିହାରେ ନୂଆପଲ୍ଲୀରେ ଜଣେ ଛାତ୍ରଙ୍କର ଡ୍ରେନ୍‌ରେ ପଡ଼ି ମୃତ୍ୟୁ ହୋଇଥିବାବେଳେ ଗତ ବର୍ଷ ଚନ୍ଦ୍ରଶେଖରପୁର ଅଞ୍ଚଳରେ ଦୁଇ ଜଣ ଏବଂ ସଚିବାଳୟ ପଛ ପାର୍ଶ୍ୱରେ ଜଣଙ୍କର ମୃତ୍ୟୁ ହୋଇଥିଲା। ଗତ ସପ୍ତାହରେ ସିଆର୍‌ପି ଛକ ନିକଟରେ ଜଣେ ବୃଦ୍ଧାଙ୍କର ରାସ୍ତା କଡ଼ ଡ୍ରେନ୍‌ରେ ପଡ଼ି ମୃତ୍ୟୁ ହୋଇଥିଲା। ତିନି ବର୍ଷରେ ୫ଜଣଙ୍କର ମୃତ୍ୟୁ ହୋଇଥିବା ନେଇ ଅଧିକାରୀଙ୍କ ପାଖରେ ସୂଚନା ଥିଲେ ହେଁ ଏହାଠାରୁ ଅଧିକ ଲୋକ ମରିଛନ୍ତି। ଏପରିକି କେବଳ ବର୍ଷା ଋତୁ ନୁହେଁ ବର୍ଷତମାମ୍‌ ପ୍ରତ୍ୟେକ ଦିନ ମୁକୁଳା ଡ୍ରେନ୍‌ରେ ପଡ଼ି ଲୋକ ଗୁରୁତର ହେଉଛନ୍ତି। ଡ୍ରେନ୍‌ ଓ ରାସ୍ତା ନିର୍ମାଣରେ ବ୍ୟାପକ ତ୍ରୁଟି ଯୋଗୁଁ ଏଥିରେ ସହଜରେ ଜଳ ନିଷ୍କାସନ ହୋଇପାରୁନି। ଯେଉଁଥିପାଇଁ ବର୍ଷା ଦିନେ ରାସ୍ତାରେ କି ଡ୍ରେନ୍‌ରେ ପାଣି ଚାଲୁଛି ଜଣାପଡ଼ୁନି। ରାସ୍ତାରେ ଯାଉଥିବା ଲୋକ ହଠାତ୍‌ ଡ୍ରେନ୍‌ରେ ଗଳି ପଡ଼ୁଛନ୍ତି। ସେହିପରି କେତେକ ଅଞ୍ଚଳରେ ଅଣ ଓସାରିଆ ସ୍ଥାନରେ ଡ୍ରେନ୍‌ ନିର୍ମାଣ ହୋଇଥିଲେ ହେଁ ସେଥିରେ ସ୍ଲାବ୍‌ ପଡ଼ିନି। ଯେଉଁଥିରେ ପଡ଼ି ପ୍ରତ୍ୟେକ ଦିନ ଲୋକ ଆହତ ହେଉଛନ୍ତି।

ସମ୍ବନ୍ଧିତ ଖବର