ପୂର୍ଣ୍ଣଚନ୍ଦ୍ରଙ୍କ ସହିତ ଥିବା ଦୁଇ ଯୁବକ କିଏ?

ସ୍କୁଲ ପରିସରରେ ଯୁବକଙ୍କୁ ହତ୍ୟା ଘଟଣା, ପୁଲିସର ଖୋଳତାଡ଼ ଆରମ୍ଭ

ଭୁବନେଶ୍ୱର: ନୂଆପଲ୍ଲୀ ଥାନା ଅଧୀନ ଆଇଆର୍‌ସି ଭିଲେଜ ସରକାରୀ ସ୍କୁଲ ପରିସରରେ ପୂର୍ଣ୍ଣଚନ୍ଦ୍ର ନାୟକ ନାମକ ଜଣେ ଯୁବକଙ୍କୁ ହତ୍ୟା ଘଟଣାକୁ ୫ ଦିନ ବିତି ଗଲା। କିନ୍ତୁ ଏଯାଏ ପୁଲିସ ହତ୍ୟାକାରୀ କିଏ ଜାଣି ପାରୁନି। ଏଭଳି ସ୍ଥଳରେ ଆଜି ସନ୍ଧ୍ୟାରେ ପୁଲିସ ପୂର୍ଣ୍ଣଚନ୍ଦ୍ରଙ୍କ ସମ୍ପର୍କୀୟ ମାମୁଁ ପ୍ରଶାନ୍ତ କୁମାର ନାୟକ, ଘନିଷ୍ଠ ସାଙ୍ଗ ଗଣେଶ ଓ ଅନ୍ୟମାନଙ୍କୁ ଥାନାକୁ ଡାକି ପୁଣି ଥରେ ପଚରାଉଚରା କରୁଛି। ସେହିପରି ବିଗ୍‌ବଜାରରୁ ଆଇଆର୍‌ସି ଭିଲେଜ ସ୍କୁଲ ପର୍ଯ୍ୟନ୍ତ ଲାଗି ଥିବା ସମସ୍ତ ସିସି କ୍ୟାମେରା ଯାଞ୍ଚ କରୁଛି। ଯାଞ୍ଚବେଳେ ପୁଲିସକୁ କିଛି ସୁରାକ ମିଳିଛି। ପୂର୍ଣ୍ଣଚନ୍ଦ୍ରଙ୍କ ସହିତ ସେହି ରାତିରେ ଦୁଇ ଜଣ ଥିଲେ। ୩ ଜଣ ସ୍କୁଲ ହତା ଭିତରକୁ ପଶିଥିଲେ। ଜଣେ ପୂର୍ଣ୍ଣ ସହିତ ସାଙ୍ଗ ହୋଇ ଆସୁଥିବାବେଳେ ଅନ୍ୟ ଜଣେ ପଛେପଛେ ଆସୁଥିଲା। ସେହି ଦୁଇ ଯୁବକଙ୍କ ମଧ୍ୟରୁ ଜଣେ ଡେଙ୍ଗା, ଅନ୍ୟ ଜଣେ ମଧ୍ୟମ ଉଚ୍ଚତାର ଯୁବକ ଥିଲେ। ତେବେ ସେହି ଦୁଇ ଯୁବକ କିଏ ? ପୁଲିସ ସେମାନଙ୍କ ପରିଚୟ ଜାଣିବାକୁ ଉଦ୍ୟମ ଆରମ୍ଭ କରିଛି। ସେମାନେ କାହିଁକି ପୂର୍ଣ୍ଣଚନ୍ଦ୍ରଙ୍କ ସହିତ ସ୍କୁଲ ଭିତରକୁ ପଶିଥିଲେ ତାହା ଏବେ ସନ୍ଦେହଜନକ। ଅନ୍ୟପକ୍ଷରେ ପୁଲିସ ସନ୍ଦେହରେ ଜଗତସିଂହପୁର ଅଞ୍ଚଳର ଜଣେ ଯୁବକଙ୍କୁ ଉଠାଇ ଆଣିଛି। ସିସି କ୍ୟାମେରାରେ ଜଣେ ଡେଙ୍ଗା ବ୍ୟକ୍ତି ପୂର୍ଣ୍ଣଚନ୍ଦ୍ରଙ୍କ ସହିତ ମିଶି କରି ଯିବା, ହତ୍ୟାକାଣ୍ଡ ପରେ ପରେ ତାଙ୍କ ପତ୍ନୀ ଶ୍ରଦ୍ଧାଞ୍ଜଳି ଜଣେ ଡେଙ୍ଗା ବ୍ୟକ୍ତିଙ୍କ ସମ୍ପର୍କରେ ସୂଚନା ଦେବା ଏବେ ଘଟଣାକୁ ଅଧିକ ରହସ୍ୟମୟ କରିଛି। ଶ୍ରଦ୍ଧାଞ୍ଜଳି ଘଟଣା ଦିନ କହିଥିଲେ କି, ହତ୍ୟାକାଣ୍ଡର ଦୁଇ ଦିନ ପୂର୍ବରୁ ଜଣେ ଡେଙ୍ଗା ବ୍ୟକ୍ତି ତାଙ୍କ ଘରକୁ ଆସିଥିଲେ। ଆସନ୍ତା ସାଧାରଣ ନିର୍ବାଚନରେ ପୂର୍ଣ୍ଣଚନ୍ଦ୍ର ପ୍ରାର୍ଥୀ ହେବା ନେଇ ଆଲୋଚନା କରିଥିଲେ। ସେହି ଡେଙ୍ଗା ବ୍ୟକ୍ତି ଜଣକ ଗଲା ପରେ ପୂର୍ଣ୍ଣଚନ୍ଦ୍ରଙ୍କ ନିକଟକୁ ଏକ ଧମକପୂର୍ଣ୍ଣ ଫୋନ୍‌ କଲ ଆସିଥିଲା। ତେଣୁ ପତ୍ନୀ ଶ୍ରଦ୍ଧାଞ୍ଜଳି ଏ ନେଇ ସଂପୃକ୍ତ ଡେଙ୍ଗା ବ୍ୟକ୍ତିଙ୍କ ଉପରେ ସନ୍ଦେହ ପ୍ରକଟ କରିଥିଲେ।

ସେହି ରାତିରେ ପୂର୍ଣ୍ଣଚନ୍ଦ୍ରଙ୍କ ସହିତ କିଏ ଥିଲା ତାଙ୍କୁ ଚିହ୍ନଟ କରିବାକୁ ତାଙ୍କ ମାମୁଁଙ୍କୁ ପଚରାଉଚରା କରୁଛି ପୁଲିସ। ଏହା ଛଡ଼ା ପୂର୍ଣ୍ଣଚନ୍ଦ୍ରଙ୍କ ସହିତ କିଏ କିଏ ମିଶୁଥିଲେ, ସେମାନେ କ’ଣ କରନ୍ତି ଏ ବିଷୟରେ ମଧ୍ୟ ପୁଲିସ ଖୋଳତାଡ଼ କରୁଛି। ଡିସିପି ଅନୁପ ସାହୁ ସନ୍ଧ୍ୟାରେ ନୂଆପଲ୍ଲୀ ଥାନାକୁ ଯାଇ ତଦନ୍ତର ଅନୁଧ୍ୟାନ କରିଛନ୍ତି। ନୂଆପଲ୍ଲୀ ହତ୍ୟାକାଣ୍ଡ ଘଟଣାରେ ପୁଲିସକୁ ସଫଳତା ମିଳି ନଥିବା ବେଳେ ମଞ୍ଚେଶ୍ୱର ଥାନା ସମ୍ମୁଖ ହୋଟେଲ ହାଇେଓ୍ଵ ଇନ୍‌ ଭିତରେ ଲକ୍ଷ୍ମୀପ୍ରିୟା ବିଶ୍ୱାଳ ନାମକ ଜଣେ ମହିଳାଙ୍କୁ ତାଙ୍କ ପ୍ରେମିକ ହତ୍ୟା କରିବା ଏବେ କମିସନରେଟ୍‌ ପୁଲିସ ପାଇଁ ଚିନ୍ତାର ବିଷୟ ହୋଇଛି।

ସମ୍ବନ୍ଧିତ ଖବର