ସ୍କୁଲ ପରିସରରେ ଯୁବକଙ୍କୁ ହତ୍ୟା: କାରଣ ଖୋଜୁଛି ପୁଲିସ

ଭୁବନେଶ୍ୱର: ନୂଆପଲ୍ଲୀ ଥାନା ଅଧୀନ ସରକାରୀ ସ୍କୁଲ ପରିସରରେ ପୂର୍ଣ୍ଣଚନ୍ଦ୍ର ନାୟକ ହତ୍ୟା ଘଟଣାକୁ ୩୬ ଘଣ୍ଟାରୁ ଅଧିକ ସମୟ ବିତି ଯାଇଥିଲେ ହେଁ ପୁଲିସ ହତ୍ୟାକାରୀଙ୍କ ଟେର୍‌ ପାଇନି। କାହିଁକି ପୂର୍ଣ୍ଣଚନ୍ଦ୍ରଙ୍କୁ ହତ୍ୟା କରାଗଲା, କିଏ ହତ୍ୟା କଲା, କାହାକୁ ସନ୍ଦେହ କରି ତଦନ୍ତ ଆଗକୁ ନେବ; ତାହା ପୁଲିସ ଜାଣି ପାରୁ ନାହିଁ। ତେବେ ଏହି ହତ୍ୟାକାଣ୍ଡର ପର୍ଦାଫାସ କରିବା ପାଇଁ ପୁଲିସ ପୂର୍ଣ୍ଣଚନ୍ଦ୍ରଙ୍କ ମୋବାଇଲ୍‌ ଉପରେ ହିଁ ଭରସା କରିଛି। ତାଙ୍କ ମୋବାଇଲ୍‌ ଫୋନ୍‌କୁ ଘଟଣା ଦିନ କିଏ କିଏ ଫୋନ୍‌ କରିଥିଲେ, ସେ ଦିନ ରାତିରେ ସେ କାହା ସହିତ ଥିଲେ, ଏହି ତଥ୍ୟ ପାଇବା ପାଇଁ ପୁଲିସ କଲ୍‌ ଡିଟେଲ୍ସ ମଗାଇଛି। ସେହିପରି ସ୍କୁଲ୍‌କୁ ଲାଗି କରିଥିବା କେତେକ ସଂସ୍ଥାର ସିସି କ୍ୟାମେରା ଯାଞ୍ଚ ଆରମ୍ଭ କରିଛି ପୁଲିସ। ସୋମବାର ସନ୍ଧ୍ୟାରେ ପୂର୍ଣ୍ଣଚନ୍ଦ୍ର ବିଗ୍‌ ବଜାର ସମ୍ମୁଖରେ ଥିବା ତାଙ୍କ ମାମୁଁଙ୍କ ଚାଟ୍‌ ଦୋକାନରେ ଥିଲେ। ସେଠାରୁ ସେ କାହା ସହିତ ଘରକୁ ଫେରିଲେ ତା’ର ସିସି କ୍ୟାମେରା ମଧ୍ୟ ଯାଞ୍ଚ ହେଉଛି। ଏହା ଛଡ଼ା ପୁଲିସ ସାଲିଆ ସାହି ତାରିଣୀନଗରକୁ ଯାଇ ସ୍ଥାନୀୟ ଲୋକଙ୍କୁ ପୂର୍ଣ୍ଣଚନ୍ଦ୍ରଙ୍କ ଚରିତ୍ର, ସାଙ୍ଗସାଥୀମାନଙ୍କ ସମ୍ପର୍କରେ ପଚରାଉଚରା କରୁଛି। ଏହି ହତ୍ୟାକାଣ୍ଡର ତଦନ୍ତରେ ସାମିଲ୍‌ ଥିବା ଜଣେ ଅଧିକାରୀ କହିଛନ୍ତି, ପୁଲିସ ବିଭିନ୍ନ ଦିଗକୁ ନେଇ ଅନୁସନ୍ଧାନ ଆରମ୍ଭ କରିଛି। ଗୋଟିଏ ଆଡ଼ୁ ଖିଅ ମିଳିଗଲେ ହତ୍ୟାକାରୀ ନିଶ୍ଚୟ ଧରାପଡ଼ିବ। ହତ୍ୟା ଘଟଣାର ବିଭିନ୍ନ ଦିଗ ଉପରେ ପୁଲିସ ତଦନ୍ତ ଚଳାଇଛି।

ବିଗ୍‌ ବଜାର ସମ୍ମୁଖରେ ସରକାରୀ ଜମି ଦଖଲ
ପୂର୍ଣ୍ଣଚନ୍ଦ୍ରଙ୍କ ମାମୁଁ ପ୍ରଶାନ୍ତ କୁମାର ନାୟକ ଚାଟ୍‌ ଦୋକାନ କରିଥିଲେ। କିନ୍ତୁ ପୂର୍ଣ୍ଣଚନ୍ଦ୍ର ବିଗ୍‌ବଜାର ଓ ଭି’ ଟୁ ଆଗରେ କେତେକ ଜାଗା ଦଖଲରେ ରଖିଥିଲେ। ଏହି ଜାଗାକୁ କେତେକ ଉଠା ବ୍ୟବସାୟୀ ନେବାକୁ ଚାହୁଥିଲେ। କିନ୍ତୁ ପୂର୍ଣ୍ଣଚନ୍ଦ୍ର ଛାଡ଼ିବାକୁ ନାରାଜ ଥିଲେ। ଯେଉଁ କାରଣରରୁ ସେମାନଙ୍କ ସହିତ ବଚସା ହୋଇଥିଲା। ପୁଲିସ ସେ ଦିଗରେ ମଧ୍ୟ ପଚରାଉଚରା ଆରମ୍ଭ କରିଛି।

କର୍ପୋରେଟର୍‌ଙ୍କ ସହଯୋଗୀ ଥିବାରୁ
ପୂର୍ଣ୍ଣଚନ୍ଦ୍ର ସ୍ଥାନୀୟ ଜଣେ କର୍ପୋରେଟର୍‌ଙ୍କ ଏକଦମ ପାଖ ଲୋକ ଥିଲେ। ସେ ସ୍ୱଚ୍ଛ ଭାରତ ଅଭିଯାନ ସ୍କିମ୍‌ରେ ଆସୁଥିବା ଶୌଚାଳୟ କାମ ନେଇଥିଲେ। ଏହି ଠିକା କାମକୁ ନେଇ କର୍ପୋରେଟର୍‌ଙ୍କର ଅନ୍ୟ ଜଣେ ସମ୍ପର୍କୀୟଙ୍କ ସହିତ ପୂର୍ଣ୍ଣଚନ୍ଦ୍ରଙ୍କର ମଧ୍ୟ ଶତ୍ରୁତା ଲାଗି ରହିଥିଲା। ଏହା ବି ପୁଲିସ ତଦନ୍ତରେ ସାମିଲ୍‌ ହୋଇଛି। ପୁଲିସ ସେହି ବ୍ୟକ୍ତିଙ୍କ ଉପରେ ମଧ୍ୟ ନଜର ରଖିଛି।

ଗାଁରେ ମଧ୍ୟ ସ୍କୁଲ୍‌ ଖୋଲିଥିଲେ ପୂର୍ଣ୍ଣଚନ୍ଦ୍ର
୨୦୦୩ରେ ବନମାଳିପୁର ଅଞ୍ଚଳରେ ମଧ୍ୟ ଗୋଟିଏ ସ୍କୁଲ ଖୋଲିଥିଲେ ପୂର୍ଣ୍ଣଚନ୍ଦ୍ର। ୫ଜଣ ସାଙ୍ଗ ହୋଇ ସେହି ସ୍କୁଲ ଚଳାଉଥିଲେ। ହଠାତ ପୂର୍ଣ୍ଣଚନ୍ଦ୍ର ସ୍କୁଲ ଛାଡ଼ି ଭୁବନେଶ୍ୱର ଚାଲି ଆସିଥିଲେ। କାହିଁକି ପୂର୍ଣ୍ଣଚନ୍ଦ୍ର ସ୍କୁଲ ଛାଡ଼ିଥିଲେ, ତାହା ଉପରେ ମଧ୍ୟ ପୁଲିସ ଆଖି ପଡ଼ିଛି। ସେଠାରେ କାହା ସହିତ କିଛି ଗଣ୍ଡଗୋଳ ଘଟିଥିଲା କିମ୍ବା ନାହିଁ, ତାହା ଜାଣିବାକୁ ପୁଲିସର ଏକ ଟିମ୍‌ ବନମାଳିପୁର ଯାଇଛି।

ସ୍କୁଲ୍‌କୁ ବିରୋଧ କରୁଥିଲେ ବସ୍ତିବାସିନ୍ଦା
ତାରିଣୀ ନଗର ଜାଭିଅର ରୋଡ୍‌ରେ ‘ବିଦ୍ୟାଶ୍ରୀ ପବ୍ଲିକ ସ୍କୁଲ’ ନାମରେ ଏକ ସ୍କୁଲ ଚଳାଉଥିଲେ ପୂର୍ଣ୍ଣଚନ୍ଦ୍ର। ଯାହାକି ସରକାରୀ ଜାଗାରେ ଥିଲା। ଅନେକ ଏହାକୁ ବିରୋଧ କରୁଥିଲେ। ଏପରିକି କେତେକ ଆସାମାଜିକ ଯୁବକ ତାଙ୍କ ଉପରେ ଏଥିପାଇଁ ଚାପ ମଧ୍ୟ ପକାଇଥିଲେ। କିଏ ସେହି ଅସାମାଜିକ ଯୁବକ, ଯେଉଁମାନେ ପୂର୍ଣ୍ଣଚନ୍ଦ୍ରଙ୍କୁ ଟଙ୍କା ମାଗୁଥିଲେ? ପୁଲିସ ସେ ଦିଗରେ ମଧ୍ୟ ଖୋଳତାଡ଼ ଆରମ୍ଭ କରିଛି।

ନିର୍ବାଚନରେ ପ୍ରାର୍ଥୀ ହେବା ଯୋଜନା ହୋଇପାରେ କାରଣ
ପୂର୍ଣ୍ଣଚନ୍ଦ୍ର ରାଜନୀତି କରିବାକୁ ଚାହୁଥିଲେ। ଏପରିକି ସେ ଗତ ପଞ୍ଚାୟତ ନିର୍ବାଚନରେ ଗାଁରେ ସରପଞ୍ଚ ପ୍ରାର୍ଥୀ ହୋଇଥିଲେ। କିନ୍ତୁ ନିର୍ବାଚନ ହାରି ଯାଇଥିଲେ। ଏହା ପରେ ସେ ଭୁବନେଶ୍ୱରରୁ ସାଂସଦ ଭାବେ ପ୍ରାର୍ଥୀ ହେବାକୁ ମନ ବଳାଇଥିଲେ। ଏଥିପାଇଁ ଲିଫଲେଟ୍‌ ଓ ପୁସିଂକାର୍ଡ ମଧ୍ୟ ଛପାଇ ସାରିଥିଲେ। ବସ୍ତିବାସିନ୍ଦାଙ୍କୁ ନେଇ ଶୋଭାଯାତ୍ରା ମଧ୍ୟ କରିଥାନ୍ତେ। ସମ୍ଭବତଃ ଏହି କାରଣକୁ ନେଇ ତାଙ୍କୁ କେହି ଟାର୍ଗେଟ କରି ଥାଇ ପାରନ୍ତି। ପୁଲିସ ମଧ୍ୟ ଏ ଦିଗକୁ ଏଡ଼ାଇ ଯାଇ ପାରୁନାହିଁ। କାରଣ ପୂର୍ଣ୍ଣଚନ୍ଦ୍ରଙ୍କ ପତ୍ନୀ ଶ୍ରଦ୍ଧାଞ୍ଜଳି ମଧ୍ୟ ଏଭଳି ଅଭିଯୋଗ କରି ଆସୁଛନ୍ତି।

ସମ୍ବନ୍ଧିତ ଖବର