ରେଳଧାରଣା କଡ଼ରୁ ଯୁବକଙ୍କ ମୃତଦେହ ମିଳିବା ଘଟଣା: ବ୍ୟବଚ୍ଛେଦ ରିପୋର୍ଟରେ ହତ୍ୟା

ଭୁବନେଶ୍ୱର: ମାଉସୀମା ଛକ ଓଭରବ୍ରିଜ ତଳ ରେଳ ଧାରଣା କଡ଼ରୁ ଜଗା ଦାସ ନାମକ ଜଣେ ଯୁବକଙ୍କ କ୍ଷତାକ୍ତ ମୃତଦେହ ମିଳିବା ଘଟଣାରେ ଆଜି ବ୍ୟବଚ୍ଛେଦ ରିପୋର୍ଟ ଆସିଛି। ରିପୋର୍ଟରେ ସ୍ପଷ୍ଟ ଭାବେ କୁହଯାଇଛି କି ଅତ୍ୟଧିକ ରକ୍ତସ୍ରାବ, ଛାତି ଓ ମୁଣ୍ଡରେ ଆଘାତ କାରଣରୁ ତାଙ୍କର ମୃତ୍ୟୁ ଘଟିଛି। ରେଳବାଇ ଥାନା ପୁଲିସ ଏହା ଏକ ହତ୍ୟା ବୋଲି ଜାଣିବା ପରେ ମାମଲାକୁ ବଡ଼ଗଡ଼ ଥାନାକୁ ହସ୍ତାନ୍ତର କରିବାକୁ ଯୋଜନା କରିଛି। ଏଥିପାଇଁ ରେଳବାଇ ଏସ୍‌ପି ବନ ବିହାରୀ ସାହୁ ଡିସିପି ଅନୁପ ସାହୁଙ୍କୁ ଚିଠି ଲେଖିଛନ୍ତି। ଚିଠିରେ କୁହାଯାଇଛି, ଯେଉଁଠି ଜଗାର ମୃତଦେହ ପଡ଼ିଥିଲା ତାହା ବଡ଼ଗଡ଼ ଅଞ୍ଚଳରେ ଆସୁଛି। ରେଳବାଇ ପୁଲିସ ପ୍ରଥମେ ଭାବିଥିଲା, ଜଗା ଟ୍ରେନ୍‌ରୁ ଗଳି ପଡ଼ିଛନ୍ତି କିମ୍ବା ଟ୍ରେନ୍‌ରେ ପିଟି ହୋଇ ମୃତ୍ୟୁ ବରଣ କରିଛନ୍ତି। ତେଣୁ ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରିଥିଲା। ମାତ୍ର ବ୍ୟବଚ୍ଛେଦ ରିପୋର୍ଟରେ ହତ୍ୟା ବୋଲି ଜଣାପଡ଼ିବା ପରେ ଏହି ମାମଲାର ତଦନ୍ତ କରିବାକୁ କମିସନରେଟ୍‌ ପୁଲିସକୁ କୁହାଯାଇଛି।

ପ୍ରକାଶଥାଉକି, ରବିବାର ପୂର୍ବାହ୍ଣ ପ୍ରାୟ ୧୧ଟା ବେଳେ ରେଳଲାଇନ ପାଖରେ ଜଗାଙ୍କ ରକ୍ତାକ୍ତ ମୃତଦେହ ପଡ଼ିଥିବା ସ୍ଥାନୀୟ ଲୋକ ଦେଖିବାକୁ ପାଇଥିଲେ। ଜଗାଙ୍କ ଦେହରେ ହଣା ଦାଗ ଥିବାରୁ ପରିପାର୍ଶ୍ୱିକ ସ୍ଥିତରୁ ଏହା ଏକ ହତ୍ୟାକାଣ୍ଡ ବୋଲି ପରିବାର ଲୋକ ଅଭିଯୋଗ କରିଥିଲେ। ରେଳବାଇ ଥାନା ଇନ୍ସପେକ୍ଟର ଭରତ ସାହୁ କହିଛନ୍ତି, ମୃତଦେହ ଟ୍ରେନ୍‌ ଲାଇନ୍‌ଠାରୁ ୧୦ ଫୁଟ୍‌ ଦୂରରେ ପଡ଼ିଥିବାରୁ ଏହାର ତଦନ୍ତ ସ୍ଥାନୀୟ ଥାନା ପୁଲିସ କରିବାର ନିୟମ ରହିଛି।

ସମ୍ବନ୍ଧିତ ଖବର