‘ମୂର୍ଚ୍ଛନା’ର ବାର୍ଷିକ ଉତ୍ସବ ଓ ସଙ୍ଗୀତ ସଂଧ୍ୟା: ଗୀତିକାର ସଚ୍ଚି ମହାନ୍ତିଙ୍କୁ ‘ମୂର୍ଚ୍ଛନା ସମ୍ମାନ’

ଭୁବନେଶ୍ୱର: ‘ଜଗବନ୍ଧୁ ହେ ଜଗବନ୍ଧୁ…’, ‘ମେଘ ବରଷିଲା ଟୁପୁରୁ ଟୁପୁରୁ…’, ‘ଆରେ ମିତ ଆ ସଙ୍ଗାତ…’, ‘ତୁ ଏକ ନିରୀହ ଫୁଲ…’ ଭଳି ସଙ୍ଗୀତର ଆସର ଜିମିଥିଲା ଆଜି ଜୟଦେବ ଭବନ ପରିସରରେ। ଓଡ଼ିଆ ଚଳଚ୍ଚିତ୍ରର ବିଭିନ୍ନ ରୋମାଣ୍ଟିକ୍‌ ସଙ୍ଗୀତକୁ ନେଇ ଶ୍ରୀକାନ୍ତ ଦାସ, ଦେବାଶିଷ ମହାପାତ୍ର, ଅଙ୍କିତା ଦାସଙ୍କ ସମେତ ୮ ଜଣ କଣ୍ଠଶିଳ୍ପୀ ଶ୍ରୋତାଙ୍କୁ ବିମୋହିତ କରିଥିଲେ। ଅବସର ଥିଲା ସଙ୍ଗୀତକାର ଅକ୍ଷୟ ମହାନ୍ତିଙ୍କ ସାଂସ୍କୃତିକ ଅନୁଷ୍ଠାନ ‘ମୂର୍ଚ୍ଛନା’ର ୧୫ତମ ବାର୍ଷିକ ଉତ୍ସବ ଓ ସଙ୍ଗୀତ ସଂଧ୍ୟା। ଏଥିରେ ୨୦ରୁ ଅଧିକ କଳାକାର ଯୋଗଦେଇ ବିଭିନ୍ନ ସଙ୍ଗୀତ ପରିବେଷଣ କରିଥିଲେ। କାର୍ଯ୍ୟକ୍ରମରେ ସଙ୍ଗୀତ ସାଧନା ପାଇଁ ବିଶିଷ୍ଟ ସଙ୍ଗୀତ ନିର୍ଦେଶକ ଅରୁଣ ମହାନ୍ତିଙ୍କୁ ‘ମୂର୍ଚ୍ଛନା ସଙ୍ଗୀତକାର ସମ୍ମାନ’ ଓ ଜୀବନବ୍ୟାପୀ ସାଧନା ପାଇଁ ଗୀତିକାର ସଚ୍ଚି ମହାନ୍ତିଙ୍କୁ ‘ମୂର୍ଚ୍ଛନା ସମ୍ମାନ’ରେ ସମ୍ମାନିତ କରାଯାଇଥିଲା। ଏହି ଅବସରରେ ମୂର୍ଚ୍ଛନାର ମୁଖପତ୍ର ‘ଗୁଞ୍ଜନ’ ଉନ୍ମୋଚିତ ହୋଇଥିଲା। କାର୍ଯ୍ୟକ୍ରମରେ ସାଂସଦ ପ୍ରତାପ କେଶରୀ ଦେବ, ସାଧାରଣ ପ୍ରଶାସନ ଓ ଜନ ଅଭିଯୋଗ ବିଭାଗର ଅତିରିକ୍ତ ଶାସନ ସଚିବ ଦିଲ୍ଲୀପ ରାଉତରାୟ, ଅନୁଷ୍ଠାନର ସଂପାଦକ ଅଜିତ ମହାନ୍ତି ଯୋଗ ଦେଇ କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରିଥିଲେ। ଅନୁଷ୍ଠାନ ପକ୍ଷରୁ ବାଦ୍ୟଯନ୍ତ୍ର ପ୍ରତିଯୋଗିତାରେ କୃତୀ ଛାତ୍ରଛାତ୍ରୀଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା। ମୂର୍ଚ୍ଛନାର ସଭାପତି ବୈଷ୍ଣବ ପ୍ରସାଦ ମହାନ୍ତି କାର୍ଯ୍ୟକ୍ରମରେ ସଭାପତିତ୍ୱ କରିଥିଲେ। ଦେବପ୍ରସାଦ ଦାସ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିବା ବେଳେ ହେମନ୍ତ ପରମଗୁରୁ, ରବୀନ୍ଦ୍ର ମହାନ୍ତି, ତୁଷାରକାନ୍ତ ଚୌଧୁରୀ, ଶତରୁପା, ପ୍ରଣୟ ଜେଠୀ ସହଯୋଗ କରିଥିଲେ। ଶେଷରେ ଉପସଭାପତି ଗୋଲକ ଚରଣ ମାର୍ଥା ଧନ୍ୟବାଦ ଦେଇଥିଲେ।

ସମ୍ବନ୍ଧିତ ଖବର