କଣ୍ଠର ଯାଦୁ ଦେଖାଇଲେ ବାଦ୍ୟଯନ୍ତ୍ର ଶିଳ୍ପୀ

ସୁର ତରଙ୍ଗ ପକ୍ଷରୁ ବାଦ୍ୟ ଶିଳ୍ପୀ ସମାରୋହ

ଭୁବନୋଶ୍ୱର: କିଏ କେବେ ଦେଖିଛ କି କଳାକାର କାନ୍ଦିବାର…, ଭିଗି ଭିଗି ରାତୋ ମେଁ…, ଏ ଦିଲ୍‌ ହେ କି ମାନ୍‌ତା ନେହି…, ନୀଲେ ନୀଲେ ଅମ୍ବର ପେ… ଏମିତି ଅନେକ ମନଚ୍ଛୁଆଁ ଓଡ଼ିଆ ଓ ହିନ୍ଦୀ ଗୀତକୁ ନେଇ ସୁର ତରଙ୍ଗ ପକ୍ଷରୁ ବାଦ୍ୟ ଶିଳ୍ପୀ ସମାରୋହ ସିଜିନ୍‌-୪ ଆଜି ଜୟଦେବ ଭବନରେ ଆୟୋଜିତ ହୋଇଥିଲା। କାର୍ଯ୍ୟକ୍ରମରେ ୨୫ଟି ହିନ୍ଦୀ ଓ ଓଡ଼ିଆ ଗୀତକୁ ଦର୍ଶକଙ୍କୁ ଭେଟି ଦେଇଥିଲେ ଶିଳ୍ପୀମାନେ। ଗୋଟିଏ ପରେ ଗୋଟିଏ ସୁନ୍ଦର ଗୀତ ଶୁଣି ଦର୍ଶକମାନେ ହଜି ଯାଇଥିଲେ ସଙ୍ଗୀତ ଦୁନିଆରେ। ଏହି ସଙ୍ଗୀତ ଆସରର ଭିନ୍ନତା ଥିଲା ଯେ ସବୁବେଳେ ମଞ୍ଚରେ ବାଦ୍ୟଯନ୍ତ୍ର ବଜାଉଥିବା ଶିଳ୍ପୀମାନେ ଏଠି କଣ୍ଠଶିଳ୍ପୀ ସାଜିଥିଲେ। ସେମାନଙ୍କ କଣ୍ଠର ଯାଦୁରେ ଶ୍ରୋତାମାନେ ବାନ୍ଧି ହୋଇଯାଇଥିଲେ। ସେମାନେ ପ୍ରମାଣ କରିଦେଇଥିଲେ ଯେ କେବଳ ବାଦ୍ୟଯନ୍ତ୍ର ବାଦନରେ ନୁହେଁ, ଗୀତ ଗାଇବାରେ ମଧ୍ୟ ସେମାନଙ୍କର ଦକ୍ଷତା ଅଛି। ଆଜିର କାର୍ଯ୍ୟକ୍ରମରେ ଅତିଥି ଭାବେ ଯୋଗ ଦେଇଥିଲେ ଭୁବନେଶ୍ୱର ଉତ୍ତର ବିଧାୟକ ପ୍ରିୟଦର୍ଶୀ ମିଶ୍ର, ଖଦି ବୋର୍ଡର ଅଧ୍ୟକ୍ଷ ତେଜେଶ୍ୱର ପରିଡ଼ା, ବିଶ୍ୱ ହିନ୍ଦୁ ପରିଷଦର କାର୍ଯ୍ୟକାରୀ ସଭାପତି ଡଃ ବି ଏନ୍‌ ପଟ୍ଟନାୟକ, ଲକ୍ଷ୍ମୀକାନ୍ତ ପାଲିତ, ବାବୁ ପାଣିଗ୍ରାହୀ, ବ୍ରଜ କିଶୋର ଦାସ ଓ ଦିଲ୍ଲୀପ ଦାସ। ଏହି ଅବସରରେ ଚିନ୍ତାମଣି ମିଶ୍ରଙ୍କୁ ବାଦ୍ୟ ରତ୍ନ ଏବଂ ସଞ୍ଜୟ କୁମାର ମହାନ୍ତିଙ୍କୁ ସୁର ତରଙ୍ଗ ଗୌରବ ସମ୍ମାନରେ ସମ୍ମାନିତ କରାଯାଇଥିଲା। କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ଶ୍ରୀନିବାସ ଘଟୁଆରୀ ଓ ଧନ୍ୟବାଦ ଦେଇଥିଲେ ସୁର୍‌ ତରଙ୍ଗର ସମ୍ପାଦକ ପିୟୂଷ ମହାନ୍ତି।

ସମ୍ବନ୍ଧିତ ଖବର