ମୃତ ଲୋକ ଭୋଟର୍‌ ଲିଷ୍ଟରେ ଜୀବିତ, ୪୦ ବର୍ଷ ହେଲା ଭୋଟ୍‌ ଦେଇ ଆସୁଥିବା ଲୋକଙ୍କର ନାଁ ନାହିଁ

ଭୁବନେଶ୍ବର : ବୋତଣ୍ଡା ଗ୍ରାମର ଶାନ୍ତି ବେହେରାଙ୍କର ବର୍ଷେ ହେଲା ମୃତ୍ୟୁ ହେଲାଣି। କିନ୍ତୁ ଭୋଟର ଲିଷ୍ଟରେ ସେ ଜୀବିତ। ଅଥଚ ତାଙ୍କ ଯା’ ସୁଷମା ବେହେରା ଜୀବିତ ଥିଲେ ବି ତାଙ୍କ ନାଁ ଭୋଟର ତାଲିକାରେ ନାହିଁ। ସୁଷମା ଆଜି ମତଦାନ କେନ୍ଦ୍ରରେ ଦୀର୍ଘ ସମୟ ପର୍ଯ୍ୟନ୍ତ ଲମ୍ବା ଧାଡ଼ିରେ ଛିଡ଼ା ହେବା ପରେ ଯେତେବେଳେ ପୁଲିଂ ଅଧିକାରୀଙ୍କ ନିକଟରେ ପହଞ୍ଚିଲେ ସେତେବେଳେ ପୁଲିଂ ଅଧିକାରୀ ତାଙ୍କୁ ତାଙ୍କ ନାମ ଓ ଭୋଟ୍‌ ପରିଚୟପତ୍ର ମାଗିଲେ। ସୁଷମା ଭୋଟ୍‌ ପରିଚୟପତ୍ର ଦେଖାଇଲେ। କିନ୍ତୁ ପୁଲିଂ ଅଧିକାରୀ କହିଲେ ତୁମ ନାମ ତାଲିକାରେ ନାହିଁ। ତେଣୁ ତୁମେ ଭୋଟ୍‌ ଦେଇପାରିବନି। ଏହାପରେ ତାଙ୍କ ସମ୍ପର୍କୀୟ ତାଲିକା ଦେଖିଲା ବେଳକୁ ସତରେ ବି ସୁଷମାଙ୍କ ନାମ ନାହିଁ। ଅଥଚ ବର୍ଷକ ତଳୁ ମୃତ୍ୟୁବରଣ କରିଥିବା ଶାନ୍ତିଙ୍କ ନାମ ଅଛି। ଏହାପରେ ସୁଷମା ଭୋଟ୍‌ ନଦେଇ ଘରକୁ ଫେରିଥିଲେ।

କେବଳ ଏହି ଗୋଟିଏ ଘଟଣା ନୁହେଁ। ସେହି ବୋତଣ୍ଡା ଗ୍ରାମର ୬୩ବର୍ଷୀୟ ପ୍ରଭାସିନୀ ସୁନ୍ଦରରାୟ ଦୀର୍ଘ ୪୦ବର୍ଷ ହେଲା ପ୍ରତି ନିର୍ବାଚନରେ ଭୋଟ୍‌ ଦେଇ ଆସୁଥିଲେ ହେଁ ଚଳିତବର୍ଷ ଭୋଟ୍‌ ଦେବାରୁ ବଞ୍ଚିତ ହୋଇଛନ୍ତି। ଏପରିକି ତାଙ୍କ ପରିବାରର ସମସ୍ତଙ୍କ ନାମ ଭୋଟର ତାଲିକାରେ ଥିବାବେଳେ ଦୁର୍ଭାଗ୍ୟବଶତଃ ତାଙ୍କ ନାଁ ନଥିଲା। ତାଲିକାରେ ପ୍ରଭାସିନୀଙ୍କ ଘର ନାମ ଥିଲା, ତାଙ୍କ ପରିଚୟପତ୍ର ନମ୍ବର ଓଆର୍‌/୦୯/୦୫୧/୩୬୨୧୪୦ ବି ଥିଲା। ହେଲେ ଏହି ନମ୍ବରରେ ନାମ ଥିବା ମହିଳା ଜଣଙ୍କ ଥିଲେ ଏସ୍‌.ନାରାୟଣ ଆମ୍ମା। ତାଙ୍କ ସ୍ବାମୀଙ୍କ ନାମ ଏସ୍‌. ଗୁରୁମୂର୍ତ୍ତି। ଏହିଭଳି ନାମର କୌଣସି ମହିଳା ବୋତଣ୍ଡା ଗ୍ରାମରେ ନଥିବାବେଳେ ତାଙ୍କ ନାମ କିପରି ଭୋଟର ତାଲିକାକୁ ଆସିଲା ସେନେଇ ଅନେକ ପ୍ରଶ୍ନ ଉଠିଛି। ଏନେଇ ପ୍ରଭାସିନୀଙ୍କ ପରିବାର ଲୋକ ପ୍ରିଜାଇଡିଂ ଅଧିକାରୀଙ୍କୁ ପଚାରିବାରୁ ସେ କହିଥିଲେ ଯେ, ଭୋଟର ତାଲିକା ପ୍ରସ୍ତୁତ ହେବା ବେଳେ ଯେଉଁମାନେ ଡାଟା ଏଣ୍ଟ୍ରି କରୁଛନ୍ତି ସେମା‌ନେ ଭୁଲ୍‌ କରିଥାଇପାରନ୍ତି। ହେଲେ ତାଲିକାରେ ତାଙ୍କ ନାମ ନଥିବାରୁ ଆମେ ଭୋଟ୍‌ ଦେବାକୁ ଅନୁମତି ଦେଇପାରିବୁନି।

କେବଳ ଏତିକି ନୁହେଁ ବହୁ ମୃତ ଲୋକଙ୍କର ନାମ ଭୋଟର ତାଲିକାରେ ଥିବାବେଳେ ନିୟମିତ ଭୋଟ୍‌ ଦେଉଥିବା ଲୋକଙ୍କର ନାମ ନାହିଁ। ଏପରିକି କେତେକ ଲୋକ ନିର୍ବାଚନ ପୂର୍ବରୁ ପଡ଼ିଥିବା ଶିବିରରେ ନାମ ପଞ୍ଜୀକରଣ କରିଥିବାବେଳେ କେତେକ ଅନଲାଇନ୍‌ରେ ନାମ ପଞ୍ଜୀକରଣ କରିଥିଲେ। ହେଲେ ଭୋଟର ତାଲିକାରେ ନାମ ଉଠି ନଥିଲା।

ଭୋଟ୍‌ ଦେବାକୁ ଯିବା ପୂର୍ବରୁ ବହୁ ଲୋକ ଭାରତୀୟ ନିର୍ବାଚନ ଆୟୋଗଙ୍କ ୱେବସାଇଟ୍‌ରୁ ସେମାନଙ୍କ ନାମ, କ୍ରମିକ ନମ୍ବର, ଭୋଟ୍‌ ଦେବାକୁ ଥିବା ବୁଥ୍‌ ନମ୍ବର, ବୁଥ୍‌ ସ୍ଥାନ ସବିଶେଷ ତଥ୍ୟ ଥିଲା। ହେଲେ ମତଦାନ କେନ୍ଦ୍ରରେ ପହଞ୍ଚିଲା ବେଳକୁ କିଛି ନଥିଲା। ଭୋଟ୍‌ ଦେବା ଦୂରର କଥା‌ ମତଦାନ କେନ୍ଦ୍ର ନିକଟରେ ବି ଛିଡ଼ା ହୋଇପାରିଲେନି।

ସମ୍ବନ୍ଧିତ ଖବର