ନନ୍ଦନକାନନରେ ୨୦ ଦିନରେ ମଲେଣି ୨ ହାତୀ, ୪ ଛୁଆ ହାତୀଙ୍କ ଜୀବନକୁ ବିପଦ

ଝୁଣା ଓ ହଳଦୀ ଧୂଆଁ ଦେବାକୁ ଯୋଜନା

ବାରଙ୍ଗ : ଅଗଷ୍ଟ ୨୬ରେ ହାତୀ ଜୁଲି (୧୦ବର୍ଷ) ମରିଥିଲା। ସେପ୍ଟେମ୍ବର ୧୪ରେ ହାତୀ ଚନ୍ଦନ (୯ବର୍ଷ) ମଲା। ଦୁଇଟି ଯାକ ଛୁଆ ହାତୀଙ୍କର ମୃତ୍ୟୁର କାରଣ ହେଉଛି ହର୍‌ପେସ୍ ଭାଇରସ୍ ଆକ୍ୟୁଟ ହାମରାଇଟିଜ୍ ସଂକ୍ରମଣ ଜନିତ ରୋଗ। ଦୁଇଟି ଛୁଆ ହାତୀଙ୍କ ଜୀବନ ନେଇଥିବା ଏହି ରୋଗ କେବଳ ଛୁଆ ହାତୀଙ୍କୁ ହୋଇଥାଏ ବୋଲି ପ୍ରାଣୀ ବିଶେଷଜ୍ଞ କହିବା ପରେ ନନ୍ଦନକାନନରେ ଥିବା ମୋଟ ୬ହାତୀରୁ ୪ଟି ଛୁଆ ହାତୀଙ୍କ ଜୀବନ ପ୍ରତି ବିପଦ ବଢ଼ି ଯାଇଛି। ଏହି ଭାଇରସ୍‌ର ପୂର୍ବ ରେକର୍ଡ ଦେଖିଲେ ନନ୍ଦନକାନନ କର୍ତ୍ତୃପକ୍ଷ ଏବେ ୪ ଛୁଆ ହାତୀଙ୍କୁ କିପରି ଏହା କବଳରୁ ବଞ୍ଚାଉଛନ୍ତି ତାହା ଉପରେ ସମସ୍ତଙ୍କ ନଜର।

ଓଡ଼ିଶା ପ୍ରାଣୀ ବୈଷୟିକ ଗବେଷଣା କେନ୍ଦ୍ର ନିଦାନ ବିଭାଗର ପ୍ରଫେସର ଡା. ସୁଶେଣ ପଣ୍ଡାଙ୍କ କହିବାନୁଯାୟୀ, ହର‌ପେସ୍ ଭାଇରସ୍ ସାଧାରଣତଃ କମ୍ ବୟସର ହାତୀଙ୍କୁ ଆକ୍ରମଣ କରିଥାଏ। ହାତୀଙ୍କ ସ୍ବଭାବରେ ହଠାତ୍ ପରିବର୍ତ୍ତନ ଆସୁନଥିବାରୁ ଏହାକୁ ଆରମ୍ଭରୁ ଠଉରାଇବା ସମ୍ଭବ ହୁଏନି। ଏହି ଭାଇରାସ୍‌ ଆକ୍ରମଣ କରିବା ପୂର୍ବରୁ ଏହାର ପ୍ରତିଷେଧକ ଚିକିତ୍ସା ବ୍ୟବସ୍ଥା ଅଛି। କିନ୍ତୁ ଆକ୍ରମଣ କରିବା ପରେ ନିଦାନ ନାହିଁ। ତେଣୁ ହାତୀଙ୍କୁ ବଞ୍ଚାଇବା କଷ୍ଟକର ହୋଇପଡ଼ୁଛି।

ପୂର୍ବରୁ ହାତୀ ଚନ୍ଦନ ମରିଥିଲା। ଆମେ ସଂକ୍ରମଣ ଯେପରି ନ ବ୍ୟାପିବ, ସେଥିପାଇଁ ଗାତ ଖୋଳି ଲୁଣ ଓ କେମିକାଲ ଦେଇ ପୋତିଥିଲୁ। ହେଲେ ଏହି ଭାଇରସ୍ ଶନିବାର ପୁଣି ଏକ ହାତୀର ଜୀବନ ନେଲା। ତେଣୁ ଛୁଆ ହାତୀଙ୍କୁ ବଞ୍ଚାଇବା ଏବେ ଚାଲେଞ୍ଜ। ନନ୍ଦନକାନନରେ ଏବେ ୬ଟି ହାତୀ ଥିବା ବେଳେ ପ୍ରେମା ଓ ବାସନ୍ତୀର ବୟସ ୫୫ ବର୍ଷ। ଗୌରୀକୁ ୬ବର୍ଷ, କମଳାକୁ ୬ବର୍ଷ, ମାମାକୁ ୨ବର୍ଷ, ହୀରାକୁ ୨୦ ବର୍ଷ ହୋଇଥିବାରୁ ଏହି ୪ଟି ହାତୀଙ୍କ ଜୀବନ ପ୍ରତି ବିପଦ ଥିବା ନନ୍ଦନକାନନ କର୍ତ୍ତୃପକ୍ଷ ଅନୁଭବ କରିସାରିଲେଣି। ତେଣୁ ସମସ୍ତ ହାତୀଙ୍କୁ ହାତୀ ସଫାରିରୁ ସ୍ଥାନାନ୍ତର କରିବାକୁ ଯୋଜନା କରିଛନ୍ତି। ହେଲେ ହାତୀଙ୍କୁ କେଉଁଠି ରଖି‌ବେ, ତାହା ଏବେ କର୍ତ୍ତୃପକ୍ଷଙ୍କ ଚିନ୍ତା ବଢ଼ାଇଛି। ହାତୀ ଅଧିକ ଖାଦ୍ୟ ଖାଉଥିବାରୁ ସେମାନେ ବୁଲିବା ପାଇଁ ଅଧିକ ଜାଗା ଦରକାର। ନଚେତ୍ ତାଙ୍କର ପେଟଜନିତ ରୋଗ ହେବାର ଭୟ ରହିଛି। ତେଣୁ ନନ୍ଦନକାନନ କର୍ତ୍ତୃପକ୍ଷ ୬ଟି ହାତୀଙ୍କୁ ଏବେ ନନ୍ଦନକାନନ ଭିତରେ ରଖିବେ ନା ବାହାରେ ରଖି‌ବେ, ସେନେଇ ଦ୍ବନ୍ଦ୍ବରେ ପଡ଼ିଛନ୍ତି। ହାତୀ ନନ୍ଦନକାନନରେ ରହିଲେ ଏହି ଭାଇରସ୍ ସଂକ୍ରମଣ ଆଶଙ୍କାକୁ ଏଡ଼ାଇ ହେବନି। ତେଣୁ ହାତୀଙ୍କୁ ନନ୍ଦନକାନନ ବାହାରକୁ ସ୍ଥାନାନ୍ତର କରିବେ ନା ଭାଇରସ୍ ଯେପରି ନ ବ୍ୟାପିବ, ପ୍ରତିଷେଧକ ବ୍ୟବସ୍ଥା କରିବେ ସେନେଇ କର୍ତ୍ତୃପକ୍ଷ ବିଶେ‌ଷଜ୍ଞଙ୍କ ସହ ଆଲୋଚନା କରୁଛନ୍ତି। ହାତୀଙ୍କୁ ସ୍ଥାନାନ୍ତର କରିବା ନେଇ କର୍ତ୍ତୃପକ୍ଷ ଦ୍ବନ୍ଦ୍ବରେ ପଡ଼ିଥିବା ବେଳେ ନିଷ୍ପତ୍ତି ନେବାରେ ବିଳମ୍ବ ହେଲେ ନନ୍ଦନକାନନରୁ ହାତୀ ବଂଶ ଲୋପ ପାଇଯିବାର ଭୟ ବି ଘାରିଲାଣି।

ଝୁଣା ଓ ହଳଦୀ ଧୂଆଁ ଦେବାକୁ ଯୋଜନା

ନନ୍ଦନକାନନ କର୍ତ୍ତୃପକ୍ଷ ହରପେସ୍ ଭାଇରସ୍‌ ଯେପରି ନ ବ୍ୟାପିବ, ସେନେଇ ବିଶେଷଜ୍ଞଙ୍କ ସହ ଆଲୋଚନା କରୁଥିବା ବେଳେ ଦେଶୀ ଉପାୟ ଆପଣାଇବାକୁ ଯୋଜନା କରୁଛନ୍ତି। ଏଥିରେ ହାତୀ ସଫାରି ସମେତ ପୂରା ନନ୍ଦନକାନନରେ ଝୁଣା ଓ ହଳଦୀ ମିଶା ଧୂଆଁ ଦେବାକୁ ଚିନ୍ତା କରୁଛନ୍ତି। ଝୁଣା ଧୂଆଁ ଅଠାଳିଆ ହୋଇଥିବାରୁ ଏହା ନନ୍ଦନକାନନରେ ଥିବା ଭାଇରସ୍‌ ବ୍ୟାପିବାରେ ରୋକ୍‌ ଲଗାଇପାରେ। ଏହାସହ ହଳଦୀ ରୋଗ ପ୍ରତିରୋଧକ ଶକ୍ତି ବଢ଼ାଉ ଥିବାରୁ ଏହାଦ୍ବାରା ହାତୀ ଓ ଅନ୍ୟ ପ୍ରାଣୀଙ୍କ ରୋଗ ପ୍ରତିରୋଧକ ଶକ୍ତି ବଢ଼ିବ ବୋଲି କର୍ତ୍ତୃପକ୍ଷ ଚିନ୍ତା କରୁଛନ୍ତି। ହେଲେ କର୍ତ୍ତୃପକ୍ଷ କ’ଣ ପଦକ୍ଷେପ ନେଉଛନ୍ତି ତାହା ଦେଖିବା ବାକି ରହିଲା।

ସମ୍ବନ୍ଧିତ ଖବର