ନନ୍ଦନକାନନ ସଂପ୍ରସାରଣ, ଘୋଷଣାରେ ସୀମିତ…

ଦୁଇ ବର୍ଷ ହେଲା ନାଲିଫିତା ତଳେ ଫାଇଲ୍‌, ନୂଆ ମନ୍ତ୍ରୀଙ୍କ ଉପରେ ପୁରୁଣା ‌ଯୋଜନାର ଭାଗ୍ୟ

ଭୁବନେଶ୍ବର: ନନ୍ଦନକାନନ ପ୍ରାଣୀ ଉଦ୍ୟାନର ଆକାର ତିନି ଗୁଣା ବଢ଼ିବ। ଉଦ୍ୟାନରେ ଜୀବଜନ୍ତୁଙ୍କ ସଂଖ୍ୟା ବି ବଢ଼ିବ। ବାହାର ଚିଡ଼ିଆଖାନା ସହ ବନ୍ୟଜନ୍ତୁ ଅଦଳବଦଳ କରାଯିବ। ଅଧିକ ସଫାରି ବି ଖୋଲିବ। ୨୦୧୭ ମସିହାରେ ରାଜ୍ୟବାସୀଙ୍କୁ ଏଭଳି ସ୍ବପ୍ନ ଦେଖାଇଥିଲା ଜଙ୍ଗଲ ଓ ପରିବେଶ ବିଭାଗ। ବର୍ଷକ ମଧ୍ୟରେ ନନ୍ଦନକାନନର କଳେବର ବୃଦ୍ଧି ପାଇଁ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ ହୋଇଛି ବୋଲି ସେତେବେଳର ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିଜୟଶ୍ରୀ ରାଉତରାୟ ଘୋଷଣା କରିଥିଲେ। ଇତି ମଧ୍ୟରେ ଦୁଇ ବର୍ଷ ବିତିଗଲାଣି। ମନ୍ତ୍ରୀ ବି ବଦଳିଗଲେଣି। ତେବେ ତାଙ୍କ ଘୋଷଣା ଯେଉଁଠି ଥିଲା ସେଇଠି ରହିଛି। ନନ୍ଦନକାନନର ଗୋଟିଏ ଇଞ୍ଚ ବି ଜମି ବଢ଼ିପାରିନି। କେବେ ବଢ଼ିବ ତାହା ବି କେହି କହିପାରୁନାହାନ୍ତି। ଜୀବଜନ୍ତୁଙ୍କ ସଂଖ୍ୟା କାଗଜ କଲମରେ ବଢ଼ିଛି ସତ ତେବେ ଆଶାତୀତ ହୋଇପାରିନି। ଜୀବଜନ୍ତୁ ଅଦଳବଦଳ ବି ସେଭଳି ହୋଇନି। ବିରଳ ପ୍ରଜାତିର ଜୀବଜନ୍ତୁଙ୍କ ସଂଖ୍ୟା ବୃଦ୍ଧି ପାଇନି। ୨୦୧୭ରୁ ଏ ପର୍ଯ୍ୟନ୍ତ ଅଣାଯାଇଥିବା ଧୂସର ଗଧିଆ, ମା‌ମୋସେଟ୍‌ ମାଙ୍କଡ଼, ଲାଲ୍‌ ତାମରିନ୍‌, ନୀଳଗିରି ମାଙ୍କଡ଼ ଆଦି ଜୀବଜନ୍ତୁଙ୍କୁ ମଦୁରାଇରୁ ନନ୍ଦନକାନନ ଅଣାଯାଇଥିଲା। ସେଥିରୁ କିଛି ଜୀବଜନ୍ତୁ ଏବେ ମରିଗଲେଣି। ଆଉ ଅଳ୍ପ କିଛି ବଞ୍ଚିଛନ୍ତି।

ଯୋଜନା ଅନୁଯାୟୀ ୪୩୭ ଏକର ପରିସୀମାରେ ପ୍ରତିଷ୍ଠା ହୋଇଥିବା ନନ୍ଦନକାନନରେ ଆଉ ୭୦୦ ଏକର ଯୋଡ଼ିବାକୁ ସ୍ଥିର ହୋଇଥିଲା। ପ୍ରାୟ ୧୧୦୦ ଏକର ଜମିରେ ନନ୍ଦନକାନନର ଆକାର କିପରି ହେବ, କ’ଣ କ’ଣ ସୁବିଧା ସୁଯୋଗ ଉପଲବ୍ଧ ହେବ ଜଙ୍ଗଲ ଓ ପରିବେଶ ବିଭାଗ ତାହାର ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କରିଥିଲା। ପରିବର୍ଦ୍ଧିତ ନନ୍ଦନକାନନରେ ଭାଲୁ ଓ ହାତୀ ସଫାରି ଖୋଲିବା, ସବୁ ପ୍ରଜାତିର ବାଘକୁ ରଖାଯାଇ ସଫାରି ଖୋଲିବା, ବନ୍ଦ ହୋଇଯାଇଥିବା ସିଂହ ସଫାରିକୁ ପୁଣିଥରେ ଖୋଲି ସିଂହ ରଖିବାକୁ ସ୍ଥିର ହୋଇଥିଲା। ୩୦ ଏକର ପରିମିତ ଜମିରେ ହରିଣ ସଫାରି କରିବାକୁ ବି ଯୋଜନା ହୋଇଥିଲା। ଜଙ୍ଗଲ ଓ ପରିବେଶ ବିଭାଗ ସୂତ୍ରରୁ ମିଳିଥିବା ତଥ୍ୟ ଅନୁଯାୟୀ ପରିବର୍ଦ୍ଧିତ ନନ୍ଦନକାନନ ପାଇଁ ଚନ୍ଦକା-ଡମପଡ଼ା ଜଙ୍ଗଲରୁ ୭୦୦ ଏକର ଜମି ଅଧିଗ୍ରହଣ କରିବାକୁ ସ୍ଥିର ହୋଇଥିଲା। ନନ୍ଦନକାନନର ପଶ୍ଚିମ ଓ ଉତ୍ତର ପାର୍ଶ୍ବରେ ଜମି ଚିହ୍ନଟ ଲାଗି ଏକ କମିଟି ଗଠିତ ହୋଇଥିଲା। ଜମି ଚିହ୍ନଟ କରାଯିବା ପରେ ପାଚେରି ବୁଲାଇବା, ବିଭିନ୍ନ ସ୍ଥାନରେ ଖୁଆଡ଼ ନିର୍ମାଣ କରିବାକୁ ସେତେବେଳେ ଯୋଜନା ହୋଇଥିଲା। ଏଥିସହ ଚନ୍ଦକା-ଡମପଡ଼ା ଜଙ୍ଗଲରେ ବହୁ ପରିମାଣରେ ମୟୂର ରହିଥିବାରୁ ସେମାନଙ୍କ ଲାଗି ସ୍ୱତନ୍ତ୍ର ସଫାରି ଖୋଲିବା, ମୟୂରଙ୍କୁ ଖୁଆଡ଼ରେ ନ ରଖି ଜଙ୍ଗଲରେ ଛାଡ଼ିବାକୁ ସ୍ଥିର ହୋଇଥିଲା। ନନ୍ଦନକାନନରେ ଘଡ଼ିଆଳ ଓ ମଗର ପ୍ରଜାତିର କୁମ୍ଭୀର ଅଧିକ ଥିବାରୁ ସେମାନଙ୍କୁ ବିସ୍ତୀର୍ଣ୍ଣ ଅଞ୍ଚଳରେ ରଖିବା ପାଇଁ ନୂତନ ହ୍ରଦ ନିର୍ମାଣ ସହ କୁମ୍ଭୀର ପ୍ରଜନନକୁ ଅଧିକ ଗୁରୁତ୍ୱ ଦିଆଯିବ ବୋଲି ନିଷ୍ପତ୍ତି ନିଆଯାଇଥିଲା। ଏଥିସହ ପର୍ଯ୍ୟଟକ ଯେପରି ଅତି ନିକଟରୁ କୁମ୍ଭୀରଙ୍କୁ ଦେଖିବେ ସେଥିପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରିବା, ବାଘ, ଭାଲୁ, ସିଂହ ସଫାରିକୁ ପର୍ଯ୍ୟଟକଙ୍କୁ ଛୋଟ ଗାଡ଼ିରେ ଛଡ଼ିବା, ଦେଶର ଅନ୍ୟ ସଫାରିଗୁଡ଼ିକରେ ଲୋକମାନେ ଅତି ନିକଟରୁ ଯେପରି ବାଘ, ସିଂହଙ୍କୁ ଦେଖୁଛନ୍ତି ସେହିପରି ବ୍ୟବସ୍ଥା ଏଠାରେ କରିବାକୁ ଯୋଜନା ହୋଇଥିଲା।

ଏପରିକି ୨୦୧୮ ଡିସେମ୍ବରରେ ନନ୍ଦନକାନନ ପ୍ରତିଷ୍ଠା ଦିବସ ଅବସରରେ ସେତେବେଳର ପିସିସିଏଫ୍‌(ବନ୍ୟପ୍ରାଣୀ) ସନ୍ଦୀପ ତ୍ରିପାଠୀ ଘୋଷଣାର ପୁନରାବୃତ୍ତି କରିଥିଲେ। ନନ୍ଦନକାନନର ପରିସୀମା ୪୩୭ ଏକରରୁ ୧ ହଜାର ଏକରକୁ ବଢିବ ବୋଲି କହିଥିଲେ। ଏଥିସହ ପ୍ରବେଶ ଓ ପ୍ରସ୍ଥାନ ପଥ ବଦଳାଇବା, ଯାନବାହାନ ପାଇଁ ମଲ୍ଟି ଲେୟାର ପାର୍କିଂ, ନନ୍ଦନକାନନରୁ ବାରଙ୍ଗ ଷ୍ଟେସନ ପର୍ଯ୍ୟନ୍ତ ରାସ୍ତାର ଆଲୋକୀକରଣ କରାଯିବ ବୋଲି ଘୋଷଣା କରିଥିଲେ। ଇତି ମଧ୍ୟରେ ୮ ମାସ ବିତିଯାଇଥିଲେ ମଧ୍ୟ ଗୋଟିଏ ବି କାର୍ଯ୍ୟ ଆଗେଇ ପାରିନି। ସବୁ ନିଷ୍ପତ୍ତି ‌ଏବେ କେ‌ବଳ ନାଲିଫିତା ତଳେ ରହିଯାଇଛି। ଜଙ୍ଗଲ ଓ ପରିବେଶ ବିଭାଗର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ ପୂର୍ବତନ ମନ୍ତ୍ରୀ ଓ ପିସିସିଏଫ୍‌ ବଦଳିଯାଇଛନ୍ତି। ଏବେ ନୂଆ ମନ୍ତ୍ରୀ କାର୍ଯ୍ୟରେ ଯୋଗଦେଇଛନ୍ତି। ଦୁଇ ମାସ ହେଲା ନୂଆ ପିସିସିଏଫ୍‌ ଦାୟିତ୍ବ ଗ୍ରହଣ କରିଛନ୍ତି। ତେଣୁ ପୂର୍ବ ନିଷ୍ପତ୍ତି କ’ଣ ହୋଇଥିଲା ତାହା ଉପରେ ଅଧିକ ବିଚାରବିମର୍ସ କରାଯିବ। ନିଷ୍ପତ୍ତି ବଦଳିବ କି ପୂର୍ବ ନିଷ୍ପତ୍ତି ରହିବ ସେନେଇ ଆଲୋଚନା କରାଯିବା ପରେ ଆମେ ଯାହା କହିବୁ।

ସମ୍ବନ୍ଧିତ ଖବର