ନନ୍ଦନକାନନ ଖବର : ‘ସିମ୍ପାଞ୍ଜି’ ପରିବାରର ଅତୁଟ ବନ୍ଧନ

0

ବାରଙ୍ଗ : ଯାହା ଦେଲେ ବାଣ୍ଟି ଖାଉଛନ୍ତି। କେବେ ପିଲାଙ୍କୁ ଖେଳେଇବା‌ରେ ମଜି ଯାଉଛନ୍ତି, ପୁଣି କେବେ ପରସ୍ପରକୁ ଆଲିଙ୍ଗନ କରି ଅତୁଟ ସ୍ନେହର ପ୍ରମାଣ ଦେଉଛନ୍ତି। ମଣିଷ ନୁହେଁ ବରଂ ସିମ୍ପାଞ୍ଜି ପରିବାର ମଧ୍ୟରେ ଏଭଳି ଅତୁଟ ପାରିବାରିକ ବନ୍ଧନ ନନ୍ଦନକାନନରେ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି। ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଧଳା ବାଘ ପରେ ଏବେ ପର୍ଯ୍ୟଟକଙ୍କ ଭରପୂର ମନୋରଂଜନ କରୁଛନ୍ତି ସିମ୍ପାଞ୍ଜି ପରିବାର। ‘୬୦ କ’ ଖୁଆଡ଼ରେ ୫ପ୍ରାଣୀ ସିମ୍ପାଞ୍ଜିଙ୍କ ପାରିବାରିକ ଭାବର ଆଦାନପ୍ରଦାନ ପର୍ଯ୍ୟଟକଙ୍କୁ କିଛି କ୍ଷଣ ଅଟକାଇ ଦେଉଛି। ପରିବାରର ସମସ୍ତ ସଦସ୍ୟ/ସଦସ୍ୟା ୨୮ ବର୍ଷୀୟ ମାଇ ସିମ୍ପାଞ୍ଜି ‘ପଦ୍ଦେଟା’ର ନିର୍ଦେଶ ପାଳନ କରୁଥିବା ଆକର୍ଷଣ ସାଜୁଛି। ଜୁଲୁ (୨୯), ପୂର୍ଣ୍ଣିମା (୧୯), ଲକ୍ଷ୍ମୀ (୨) ଓ ଦୁର୍ଗା (୨)ଙ୍କ ହସଖୁସି ଓ ଖେଳକୁଦ ଦେଖିଲେ ତନମନ ସେଇ ଖୁଆଡ଼ ପାଖେ ଅଟକି ଯାଉଛି।

୧୯୯୪ ମସିହା ଜୁନ୍‌ ମାସ ୧୬ ତାରିଖରେ ନନ୍ଦନକାନନ ପ୍ରାଣୀ ଉଦ୍ୟାନକୁ ସିଙ୍ଗାପୁର ଚିଡ଼ିଆଖାନା‌ରୁ ଆସିଥିଲେ ଜୁଲୁ ଓ ପଦ୍ଦେଟା। ସେତେବେଳେ ଜୁଲୁକୁ ୪ବର୍ଷ ଏବଂ ପଦ୍ଦେଟାକୁ ୩ବର୍ଷ ହୋଇଥିଲା। ଏମାନଙ୍କ ମିଳନରୁ ୧୯୯୮ ମସିହା ମେ’ ୧୨ତାରିଖରେ ମାଇ ଛୁଆ ଜନ୍ମ ନେଇଥିଲା। ବର୍ଷାରେ ଜନ୍ମ ହୋଇଥିବାରୁ ତା’ ନାଁ ରହିଥିଲା ବର୍ଷା। ମାତ୍ର ଜନ୍ମର ୬ ମାସରେ ତା’ର ମୃତ୍ୟୁ ହୋଇଗଲା। ଏହା ପରେ ୨୦୦୧ ଜୁନ୍‌ ୯ ତାରିଖରେ ଦ୍ବିତୀୟ ମାଇ ଛୁଆ ଜନ୍ମ ନେଇଥିଲା। ପୂର୍ଣ୍ଣିମା ତିଥିରେ ଜନ୍ମ ନେଇଥିବାରୁ ତାର ନାମ ପୂର୍ଣ୍ଣିମା ରଖାଯାଇଥିଲା। ଏହା ପରେ ୨୦୦୬ ସେପ୍ଟେମ୍ବର ୨୯ରେ ଜନ୍ମ ନେଇଥିଲା ଏକ ଅଣ୍ଡିରା ଶାବକ। ମାତ୍ର ଅଣ୍ଡିରା ହୋଇଥିବାରୁ ନବଜାତ ଶାବକକୁ ଜୁଲୁ ନଖରେ ଫାଡ଼ି ମାରି ଦେଇଥିଲା। ୨୦୦୯ ଅକ୍ଟୋବର ୧୦ ତାରିଖରେ ପୂର୍ଣ୍ଣିମାର ପ୍ରଥମ ଗର୍ଭରୁ ଜୁଲୁ ଔରସରୁ କାର୍ତିକ ଜନ୍ମ ଲାଭ କରିଥିଲା। କାର୍ତିକ ମାସରେ ଜନ୍ମ ହୋଇଥିବାରୁ ତା ନାଁ ସେପରି ରଖାଯାଇଥିଲା। ସେ ପୁରୁଷ ହୋଇଥିବାରୁ କାଳେ ଜୁଲୁ ତାକୁ ବି ମାରିଦେବ, ସେଇ ଭୟରେ ପଦ୍ଦେଟା କାର୍ତିକକୁ ସବୁବେଳେ ଅଲଗା କରି କୋଳରେ ଧରି ରଖୁଥିଲା। ଜୁଲୁର ପାଖ ମଡ଼େଇ ଦେଇନଥିଲା। ପରବର୍ତୀ ସମୟରେ ତା’ଠାରୁ ଛୁଆକୁ ଅଲଗା କରି ଜନ୍ତୁ ରକ୍ଷକଙ୍କ ହେପାଜତରେ ରଖି ଲାଳନପାଳନ କରି ବଡ଼ କରାଯାଇଥିଲା।

୨୦୧୦ ଜୁଲାଇ ୭ ତାରିଖରେ ଜୁଲୁ ଓ ପଦ୍ଦେଟାଙ୍କ ମିଳନରୁ ସୁଭଦ୍ରା ନାମକ ସିମ୍ପାଞ୍ଜି ଜନ୍ମ ନେଇଥିଲା। ରଥଯାତ୍ରା ସମୟରେ ଜନ୍ମ ନେଇଥିବାରୁ ତା’ର ନାଁ ରହିଥିଲା ସୁଭଦ୍ରା। କାର୍ତିକକୁ ୩ ବର୍ଷ ଏବଂ ସୁଭଦ୍ରାକୁ ୨ ବର୍ଷ ହୋଇଥିବା ବେଳେ ଉଭୟଙ୍କୁ ୨୦୧୨ ମସିହା ଜୁଲାଇ ମାସରେ ପାଟନା ଚିଡ଼ିଆଖାନାକୁ ହସ୍ତାନ୍ତର କରାଯାଇ ସେଠାରୁ ଜିରାଫ ଖୁସିକୁ ଅଣାଯାଇଥିଲା। ୨୦୧୩ ଅଗଷ୍ଟ ୧୩ ତାରିଖରେ ଗହ୍ମା ପୂର୍ଣ୍ଣିମୀରେ ଜନ୍ମ ନେଇଥିଲା ରାକ୍ଷୀ। ୨୦୧୪ ମସିହା ଡିସେମ୍ବର ୨୫ ତାରିଖରେ ପଦ୍ଦେଟା ଗର୍ଭରୁ ଜନ୍ମ ନେଇଥିଲା ଅଣ୍ଡିରା ଶାବକ ‘ଜନ୍‌’। କିନ୍ତୁ ଶ୍ବାସଜନିତ ରୋଗ ଯୋଗୁଁ ୨ ବର୍ଷ ବୟସରେ ୨୦୧୬ ମସିହାରେ ତା’ର ମୃତ୍ୟୁ ହୋଇଯାଇଥିଲା। ୨୦୧୭ ଏପ୍ରିଲ୍‌ ୨୬ ତାରିଖରେ ପୂର୍ଣ୍ଣିମାଠାରୁ ଲକ୍ଷ୍ମୀ ନେଇଥିଲା। ୨୦୧୭ ସେପ୍ଟେମ୍ବର ୨୩ ତାରିଖରେ ପଦ୍ଦେଟା ଗର୍ଭରୁ ଜନ୍ମ ନେଇଥିଲା ଦୁର୍ଗା। ଏବେ ଲକ୍ଷ୍ମୀ ଓ ଦୁର୍ଗା ସମେତ ପଦ୍ଦେଟା, ପୂର୍ଣ୍ଣିମା ଓ ଜୁଲୁଙ୍କ ପାରିବାରିକ ବନ୍ଧନ ପର୍ଯ୍ୟଟକଙ୍କୁ ଆମୋଦିତ କରୁଛି। ସେମାନେ ଯେ ପାରିବାରିକ ବନ୍ଧନରେ ବାନ୍ଧି ହୋଇ ଭାବ ଦିଆନିଆ ସହ ବଡ଼ଙ୍କ ନିର୍ଦେଶ ପାଳନ କରନ୍ତି ତା’ର ବାସ୍ତବତା ଉପଲବ୍ଧି କରିବାର ସୁଯୋଗ ମିଳୁଛି।

ସମ୍ବନ୍ଧିତ ଖବର

Leave A Reply

Your email address will not be published.