ନନ୍ଦନକାନନ ଥାନା ତତ୍କାଳୀନ ଆଇଆଇସି ନିଲମ୍ବିତ

ମହିଳା ସବଇନ୍ସପେକ୍ଟର ଆଣିଥିଲେ ଦୁର୍ବବ୍ୟବହାର ଅଭିଯୋଗ

ଭୁବନେଶ୍ବର : ବଦନାମ୍‌ ହେଉଛି ବର୍ଦ୍ଦି। ପୁଣି ଜଣେ ଆଇଆଇସି ନିଲମ୍ବିତ ହୋଇଛନ୍ତି। ଜଣେ ମହିଳା ସବ୍‌ଇନ୍ସପେକ୍ଟରଙ୍କୁ ଦୁର୍ବ୍ୟବହାର ଅଭିଯୋଗରେ ନିଲମ୍ବିତ ହୋଇଛନ୍ତି ନନ୍ଦନକାନନ ଥାନାର ତତ୍କାଳୀନ ଆଇଆଇସି ପରମାନନ୍ଦ ନାୟକ। ପୁଲିସ କମିସନରଙ୍କ ସୁପାରିସ୍‌ ପରେ ଡିଜିପି ଅଭୟ ଆଜି ସନ୍ଧ୍ୟାରେ ଇନ୍ସପେକ୍ଟର୍‌ ପରମାନନ୍ଦ ନାୟକଙ୍କୁ ଚାକିରିରୁ ନିଲମ୍ବିତ କରିଛନ୍ତି। ପରମାନନ୍ଦ ଏବେ କମିସନରେଟ ପୁଲିସ କ୍ରାଇମ ବିଭାଗର ଇନ୍ସପେକ୍ଟର୍‌ ଭାବେ କାର୍ଯ୍ୟରତ ଥିଲେ। ଏହା ପୂର୍ବରୁ ଯାଜପୁର ବଡ଼ଚଣା ଥାନାର ତତ୍କାଳୀନ ଆଇଆଇସି ଦୀପକ କୁମାର ଜେନା ଓ କେନ୍ଦୁଝର ଜିଲ୍ଲା ପାଟଣା ଥାନା ଆଇଆଇସି ସନ୍ଧ୍ୟାରାଣୀ ଜେନା ଚାକିରିରୁ ନିଲମ୍ବିତ ହୋଇଥିଲେ।

ମିଳିଥିବା ସୂଚନା ଅନୁସାରେ, ନନ୍ଦନକାନନ ଥାନାର ତତ୍କାଳୀନ ଆଇଆଇସି ପରମାନନ୍ଦ ନାୟକ ସେହି ଥାନାର ଜଣେ ମହିଳା ସବଇନ୍ସପେକ୍ଟରଙ୍କୁ ଦୁର୍ବ୍ୟବହାର କରିବା ନେଇ ଅଭିଯୋଗ ଆସିଥିଲା। ମହିଳା ସବଇନ୍ସପେକ୍ଟର ଏ ନେଇ ପୁଲିସ କମିସନରଙ୍କୁ ଭେଟି ଅଭିଯୋଗ କରିଥିଲେ। ଅଭିଯୋଗ ମିଳିବା ପରେ ଗତ ୧ ତାରିଖରେ ପରମାନନ୍ଦଙ୍କୁ ତୁରନ୍ତ ହଟାଇ ଦିଆଯାଇଥିଲା। ତାଙ୍କୁ କମିସନରେଟ୍‌ ପୁଲିସ କ୍ରାଇମ ବିଭାଗ ଇନ୍ସପେକ୍ଟର୍ ଭାବେ ଅବସ୍ଥାପିତ କରା ଯାଇଥିଲା। ଏହି ମାମଲାର ପୁଙ୍ଖାନୁପୁଙ୍ଖ ତଦନ୍ତ କରିବା ଲାଗି ଟ୍ରାଫିକ ଡିସିପି ସାଗରିକା ନାଥଙ୍କୁ ଦାୟିତ୍ବ ଦେଇଥିଲେ ପୁଲିସ କମିସନର। ସାଗରିକା ନାଥ ଘଟଣାର ତଦନ୍ତ କରି ଗତ ସୋମବାର ପୁଲିସ କମିସନରଙ୍କୁ ରିପୋର୍ଟ ପ୍ରଦାନ କରିଥିଲେ। ଇନ୍ସପେକ୍ଟର ପରମାନନ୍ଦ ନାୟକଙ୍କ ବିରୋଧରେ ପ୍ରମାଣ ମିଳିଥିଲା। ଏହି ରିପୋର୍ଟ ଆଧାରରେ ଇନ୍ସପେକ୍ଟର ପରମାନନ୍ଦ ନାୟକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଲାଗି ପୁଲିସ କମିସନର ସୁଧାଂଶୁ ଷଡ଼ଙ୍ଗୀ ପୁଲିସ ଡିଜିଙ୍କୁ ସୁପାରିସ୍‌ କରିଥିଲେ। ପୁଲିସ କମିସନରଙ୍କ ସୁପାରିସ୍‌ ଆଧାରରେ ଡିଜିପି ଅଭୟ ଆଜି ସନ୍ଧ୍ୟାରେ ଏହି ନିଲମ୍ବନ କରିଛନ୍ତି।

ସୂଚନାଯୋଗ୍ୟ, ଲକ୍‌ଡାଉନ୍‌ ସମୟ ଭିତରେ ଆଇନକାନୁନ ଭାଙ୍ଗି ଯାଜପୁର ବଡ଼ଚଣା ଥାନାର ତତ୍କାଳୀନ ଥାନାଧିକାରୀ ଦୀପକ କୁମାର ଜେନା ସପରିବାର ଥାନାରେ ଜବତ ହୋଇଥିବା ଚୋରି ସ୍କର୍ପିଓରେ ପୁରୀ ଶ୍ରୀମନ୍ଦିର ଯିବା ଘଟଣାରେ ନିଲମ୍ବିତ ହୋଇଥିଲେ। କେନ୍ଦୁଝର ଜିଲ୍ଲା ପାଟଣା ଥାନାଧିକାରୀ ସନ୍ଧ୍ୟାରାଣୀ ଜେନା ଜଣେ ଯୁବକଙ୍କୁ ନିସ୍ତୁକ ମାଡ଼ ମାରିବା ଘଟଣାର ଭିଡ଼ିଓ ଭାଇରାଲ୍ ହେବା ପରେ ନିଲମ୍ବିତ ହୋଇଥିଲେ। ଗତ ମାସକ ଭିତରେ ରାଜଧାନୀରେ ଏହା ଦ୍ବିତୀୟ ଘଟଣା। ଲକଡାଉନ୍ ଆଇନ ଉଲ୍ଲଂଘନ କରି ସର୍ବସାଧାରଣ ସ୍ଥାନରେ ମଦ୍ୟପାନ କରିବା ଅଭିଯୋଗରେ ଭୁବନେଶ୍ବର ହାବିଲଦାର ଓ କନଷ୍ଟେବଳ ସଂଘର ସମ୍ପାଦକ ପ୍ରସନ୍ନ ବେହେରା ନିଲମ୍ବିତ ହୋଇଥିଲେ।

ସମ୍ବନ୍ଧିତ ଖବର