ଚନ୍ଦ୍ରଶେଖରପୁର: ଆଉ ସହିପାରିଲେନି ଜଳ ଯନ୍ତ୍ରଣା। ୪ ମାସ ଧରି ନର୍କ ଯନ୍ତ୍ରଣାରେ ଜର୍ଜରିିତ ହେବା ପରେ ରାସ୍ତାକୁ ଓହ୍ଲାଇଲେ ନନ୍ଦନବିହାରବାସୀ। ପିଲାଙ୍କଠାରୁ ବୟସ୍କଙ୍କ ପର୍ଯ୍ୟନ୍ତ, ଏକାଠି ହୋଇ ହ୍ୟୁମାନ ଚେନ୍(ମାନବ ଶୃଙ୍ଖଳ) ମାଧ୍ୟମରେ ନିରବ ପ୍ରତିବାଦ କରିଛନ୍ତି। ନର୍କ ଯନ୍ତ୍ରଣାରୁ ଉଦ୍ଧାର କରିବାକୁ ପ୍ରଶାସନ ନିକଟରେ ନିବେଦନ କରିଛନ୍ତି। ଏଭଳି କରିବା ଦ୍ୱାରା ସମସ୍ୟାର ସମାଧାନ ହେବ ବୋଲି ନନ୍ଦନବିହାର ବିକାଶ ପରିଷଦ ପକ୍ଷରୁ ଆଶାପୋଷଣ କରାଯାଇଛି। ଉତ୍ତର ଭୁବନେଶ୍ୱର ନିର୍ବାଚନମଣ୍ଡଳୀର କଳାରାହାଙ୍ଗ ପଞ୍ଚାୟତ ଅଧୀନରେ ନନ୍ଦନବିହାରରେ ୧୦ ହଜାରରୁ ଅଧିକ ଲୋକେ ବସବାସ କରୁଛନ୍ତି। କିନ୍ତୁ ଦୁଃଖର ବିଷୟ ଏ ପର୍ଯ୍ୟନ୍ତ ଏଠାକାର ଲୋକଙ୍କୁ ମୌଳିକ ସୁବିଧା ମିଳି ପାରିନାହିଁ। ସେମାନେ ସର୍ବନିମ୍ନ ସୁବିଧାରୁ ବଞ୍ଚିତ ହେଉଛନ୍ତି। ଘରକୁ ଯିବା ପାଇଁ ରାସ୍ତା ନାହିଁ। ଯେଉଁ ରାସ୍ତା ରହିଛି ସେଥିରେ ଯାତାୟାତ କରିବା କଷ୍ଟକର। କିଟ୍ ଛକ ନିକଟରୁ ସମସ୍ତ ନାଳ, ନର୍ଦ୍ଦମା, ପାଇଖାନା ପାଣି ଡ୍ରେନ୍ରେ ଆସି ନନ୍ଦନବିହାରରେ ପଶୁଛି। ବର୍ଷ ସାରା ଲୋକଙ୍କ ଘର ୨ରୁ ୩ ଫୁଟ ପାଣିରେ ବୁଡ଼ି ରହୁଛି। ଲୋକେ କହିଛନ୍ତି ଯେ ଏହି ଅଞ୍ଚଳର ଚାରିପାଖ ଅନ୍ଧାର, ଷ୍ଟ୍ରିଟ୍ଲାଇଟ୍ ନାହିଁ। ବିଡିଏ ପକ୍ଷରୁ ଯେଉଁ ବହୁତଳ ଆପାର୍ଟମେଣ୍ଟ ନିର୍ମାଣ ଲାଗି ଅନୁମତି ପ୍ରଦାନ କରାଯାଇଛି ସେଠାକୁ ରାସ୍ତା, ବିଜୁଳି, ଡ୍ରେନ୍, ଅଗ୍ନି ନିର୍ବାପକ ବ୍ୟବସ୍ଥା, ପରିବେଶ ପ୍ରଦୂଷଣ ପରି ସମସ୍ୟା ପ୍ର୍ରତି ଆଦୌ ଗୁରୁତ୍ୱ ଦିଆଯାଇ ନାହିଁ। ତେଣୁ ଏଦିଗରେ ପଦକ୍ଷେପ ନେବା ସହ ଯାତାୟାତ କରିବା ଭଳି ରାସ୍ତା ନିର୍ମାଣ, ନନ୍ଦନକାନନ ରାସ୍ତାପାର୍ଶ୍ୱ ଡ୍ରେନ୍ରୁ ସମାନୁପାତରେ ଗଭୀର କରାଯାଇ ବୁଢ଼ୀନାଳ ସହ ସଂଯୋଗ, ଆଭ୍ୟନ୍ତରୀଣ ଡ୍ରେନ୍ର ବ୍ୟବସ୍ଥା, ଷ୍ଟ୍ରିଟ୍ ଲାଇଟ୍ ବ୍ୟବସ୍ଥା ଓ ନନ୍ଦନବିହାରରେ ଏକ ପୁଲିସ ଫାଣ୍ଡି ପ୍ରତିଷ୍ଠା କରାଯାଉ ବୋଲି ପରିଷଦର ସାଧାରଣ ସମ୍ପାଦକ ଦେବାଶିଷ ମହାପାତ୍ର ଦାବି କରିଛନ୍ତି।
ନନ୍ଦନବିହାରବାସୀଙ୍କ ନିବେଦନ, ନର୍କ ଯନ୍ତ୍ରଣାରୁ ଉଦ୍ଧାର କର
/sambad/media/post_attachments/wp-content/uploads/2018/09/Nandanvihar-Samasya-nei-Humanchain-1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)