ନାହିଁ ନାହିଁରେ ନନ୍ଦନବିହାର

ଦୀପ ତଳ ଅନ୍ଧାର

ଚନ୍ଦ୍ରଶେଖରପୁର: ରାଜଧାନୀରେ ରହୁଥିଲେ ମଧ୍ୟ ସେମାନେ ରାଜଧାନୀବାସୀ ନୁହଁନ୍ତି। ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି)ରୁ ସୁବିଧା ପାଉନାହାନ୍ତି। ପଞ୍ଚାୟତ ପକ୍ଷରୁ ବି ମୌଳିକ ସୁବିଧା ମିଳୁନି। ଦୁଇ ଦଶନ୍ଧି ହେଲା ଏଭଳି ନାହିଁ ନାହିଁରେ ବଞ୍ଚୁଛନ୍ତି କଳାରାହାଙ୍ଗ ପଞ୍ଚାୟତ ଅଧୀନ ନନ୍ଦନବିହାର ବାସିନ୍ଦା। ବାରମ୍ବାର ମୁହଁ ଖୋଲୁଛନ୍ତି। ବିଏମ୍‌ସିରେ ମିଶିବାକୁ ଚାହୁଥିଲେ ମଧ୍ୟ ମିଶି ପାରୁ ନାହାନ୍ତି। ଏନେଇ ବିଧାୟକ, ସରପଞ୍ଚ, ପ୍ରଶାସନର ଦୃଷ୍ଟି ଆକର୍ଷଣ କରୁଛନ୍ତି। ତଥାପି କିଛି ବି ସୁଫଳ ମିଳୁନି। ରାସ୍ତା ହେଉ ନାହିଁ କି ଡ୍ରେନ୍‌ କରାଯାଉ ନାହିଁ। ନିର୍ବାଚନ ଆସିଲେ ପ୍ରତିଶ୍ରୁତିର ପାହାଡ଼ ଛିଡ଼ା କରୁଛନ୍ତି ନେତା। ଆଉ ପରେ ସବୁ କିଛି ଭୁଲି ଯାଉଛନ୍ତି। ଯେଉଁଥି ପାଇଁ ବର୍ଷା ଅସିଲେ ନନ୍ଦନବିହାରର ଲୋକଙ୍କ ମଧ୍ୟରେ ଭୟର ବାତାବରଣ ଖେଳି ଯାଉଛି। ମାସ ମାସ ଧରି ଲୋକେ ଜଳବନ୍ଦୀ ହୋଇ ରହୁଛନ୍ତି। ଏଥର ବି ସମାନ ଅବସ୍ଥା ଦେଖିବାକୁ ମିଳୁଛି। ତଥାପି ପ୍ରଶାସନର କୁମ୍ଭକର୍ଣ୍ଣ ନିଦ ଭାଙ୍ଗୁନି। କିଟ୍‌ ଛକଠାରୁ ମାତ୍ର ଗୋଟିଏ କିମି ଆଗକୁ ଗଲେ ଡାହାଣ ପାର୍ଶ୍ୱରେ ପଡ଼ିବ ନନ୍ଦନବିହାର। ୨୦ ବର୍ଷ ହେଲା ଏହି ଅଞ୍ଚଳ ଗଢ଼ି ଉଠିଛି। ୨୫ରୁ ୩୦ଟି ଆପାର୍ଟମେଣ୍ଟ ମୁଣ୍ଡ ଟେକିଛି। ପ୍ରାୟ ୪୦୦ ଘରୋଇ ଆବାସିକସ୍ଥଳୀ ରହିଛି। ବିଡିଏର ହାଉସିଂ ବୋର୍ଡ ପ୍ରୋଜେକ୍ଟ ମଧ୍ୟ ଏହା ମଧ୍ୟରେ ପ୍ରତିଷ୍ଠା କରାଯାଇଛି। ଯେଉଁଠାରେ ଦୁଇ ହଜାରରୁ ଅଧିକ ପରିବାରର ୧୨ରୁ ୧୫ ହଜାର ଲୋକ ରହୁଛନ୍ତି। ଦିନକୁ ଦିନ ଏହି ଅଞ୍ଚଳର କଳେବର ବୃଦ୍ଧି ପାଉଥିଲେ ମଧ୍ୟ ମୌଳିକ ସୁବିଧା ମିଳିପାରୁ ନାହିଁ। ଯାତାୟାତ ପାଇଁ ରାସ୍ତା ନାହିଁ। ସହର ମଧ୍ୟରେ ରହୁଥିଲେ ମଧ୍ୟ ଏବେ ବି ଏଠାକାର ଲୋକେ ନାଲିମାଟି ରାସ୍ତାରେ ଯିବା ଆସିବା କରୁଛନ୍ତି। ହାଇସିଂ ବୋର୍ଡକୁ ଢଳେଇ ରାସ୍ତା ହୋଇଥିଲେ ମଧ୍ୟ ଏହି ଅଞ୍ଚଳକୁ ଅଣଦେଖା କରାଯାଇଛି। ବର୍ଷ ସାରା ଯେନତେନ ପ୍ରକାରେ ଲୋକେ ଚଳି ଯାଉଛନ୍ତି। ହେଲେ ବର୍ଷା ୪ ମାସ ନନ୍ଦନ ବିହାରବାସୀଙ୍କ ଦୁଃଖ ନ କହିଲେ ଭଲ। ଅସରାଏ ବର୍ଷାରେ ୮ରୁ ୧୦ ଦିନ ଘରୁ ବାହାରିପାରୁ ନାହାନ୍ତି। ବିଶେଷକରି ନନ୍ଦନବିହାର ଅଞ୍ଚଳ ମଧ୍ୟରେ ଥିବା କ୍ରିଷ୍ଣା କଲୋନି, ଏଭି ରେସିଡେଣ୍ଟସି, କରଣ ସାହି, ସୋମୁ ଭିଲ୍ଲାରେ ରହୁଥିବା ଲୋକେ ବିଭିନ୍ନ ସମସ୍ୟାରେ ପଡ଼ୁଛନ୍ତି। ଡ୍ରେନେଜ୍‌ ସିଷ୍ଟମ୍‌ ନ ଥିବାରୁ ବର୍ଷା ଦିନେ ଜଳ ନିଷ୍କାସନ ହୋଇପାରୁ ନାହିଁ। ପିଲାଙ୍କ ପାଠପଢ଼ା ମଧ୍ୟ ଏକପ୍ରକାର ଠପ୍‌ ହୋଇଯାଉଛି। ସ୍ଥାନୀୟ ବାସିନ୍ଦାଙ୍କ କହିବାନୁଯାୟୀ ଏହି ଅଞ୍ଚଳର ଉନ୍ନତି ପାଇଁ ସବୁ ଅଧିକାରୀଙ୍କୁ ଅନୁରୋଧ କରାଯାଇଛି। ହେଲେ କେହି ବି ଧ୍ୟାନ ହେଉନାହାନ୍ତି। ବିଏମ୍‌ସିରେ ସାମିଲ କରାଗଲେ ଏଠାକାର ଦୁଃଖ ଦୂର ହେବ। ନନ୍ଦନବିହାର ନିକଟରେ ବିଏମସି କର୍ମଚାରୀ ସଫେଇ କରୁଥିଲେ ମଧ୍ୟ ଏହା ଭିତରକୁ ପଶୁ ନାହାନ୍ତି। ମାସ ମାସ ଧରି ରାସ୍ତାପାର୍ଶ୍ୱରେ କୁଢ଼ କୁଢ଼ ଅଳିଆ ଆବର୍ଜନା ପଡ଼ି ରହୁଛି। ୨୦ ବର୍ଷ ପରେ ଦୀପ ତଳ ଅନ୍ଧାର ପରି ରାଜଧାନୀ ନିକଟରେ ରହି ନନ୍ଦନବିହାର ଅବହେଳିତ ହୋଇ ରହିଛି। ଏ ଦିଗରେ ତୁରନ୍ତ ପଦକ୍ଷେପ ନେବାକୁ ଲୋକେ ଦାବି କରିଛନ୍ତି।
ରିପୋର୍ଟ: କେଶବ ପାଣି
ଫଟୋ: ବିଦ୍ୟାଧର ବାରିକ

କ’ଣ କୁହନ୍ତି…
ନନ୍ଦନ ବିହାର ସମସ୍ୟାର ସମାଧାନ କରାଯାଉଛି। ଗତବର୍ଷ ଅଭିଯୋଗ ଆସିବା ପରେ ନାଳି କଟାଯାଇ ପାଣି କଢ଼ା ଯାଇଥିଲା। ଏଥର ମଧ୍ୟ କିଛି କାମ ହେଉଛି। ରାସ୍ତା ମରାମତି, ଡ୍ରେନେଜ୍‌ ନିର୍ମାଣ ପାଇଁ ଅର୍ଥର ଆବଶ୍ୟକତା ରହିଛି। ପଞ୍ଚାୟତ ଫଣ୍ଡ୍‌ରେ ଟଙ୍କା ଥିଲେ ମଧ୍ୟ ହାତ ବାନ୍ଧି ବସି ରହିଛୁ। ବିଡିଓ ଅନୁମତି ନ ଦେଲେ କିଛି କରିପାରିବୁ ନାହିଁ।

-ପଙ୍କଜିନୀ ଦଳପତି, ସରପଞ୍ଚ, କଳାରାହାଙ୍ଗ ପଞ୍ଚାୟତ
ଆଗରୁ ଉପରମୁଣ୍ଡରୁ ଆସୁଥିବା ପାଣି ବୁଢ଼ୀ ନାଳକୁ ଯାଉଥିଲା। ପାଣି ଯାଉଥିବା ବାଟରେ ରାସ୍ତା ନିର୍ମାଣ, ଘର ନିର୍ମାଣ ହେବା ପରେ ଜଳ ନିଷ୍କାସନ ହୋଇପାରୁନି। ଯେଉଁଥିପାଇଁ ପାଣି ଜମି ରହୁଛି। ରାସ୍ତା ନଷ୍ଟ ହେଉଛି। ଏହାର ସମାଧାନ ପାଇଁ ମୁଖ୍ୟ ରାସ୍ତା ପାର୍ଶ୍ୱରେ ଗଢ଼ି ଉଠିଥିବା ଜବରଦଖଲ ହଟାଇ ବୁଢ଼ୀ ନାଳକୁ ଡ୍ରେନ୍‌ ସଂଯୋଗ କରାଯିବାର ଆବଶ୍ୟକତା ରହିଛି।

-ଶୁଭେନ୍ଦୁ ଶେଖର ମହାନ୍ତି, ସଂଯୋଜକ, ନନ୍ଦନବିହାର ବିକାଶ ପରିଷଦ
ଅସରାଏ ବର୍ଷାରେ ଘର ଭିତରେ ଆଣ୍ଠୁଏ ପାଣି ଜମି ରହୁଛି। ୭ରୁ ୮ଦିନ ପର୍ଯ୍ୟନ୍ତ ଜଳ ନିଷ୍କାସନ ହୋଇପାରୁନି। ଅଧିକ ବର୍ଷା ହେଲେ ଛାତ ଉପରେ ରହୁଛୁ। ସେଠାରେ ରୋଷେଇ କରି ଖାଉଛୁ। ଶୁଦ୍ଧ ପିଇବା ପାଣି ଟୋପେ ବି ମିଳୁ ନାହିଁ। ଗୋଳି ପାଣି ପିଇ ବଞ୍ଚିବାକୁ ପଡ଼ୁଛି। ବର୍ଷା ଚାରି ମାସ ଘରୁ ବାହାରିବା ବନ୍ଦ ହୋଇଯାଉଛି। ପ୍ରଶାସନ ଏ ଦିଗରେ ତୁରନ୍ତ ପଦକ୍ଷେପ ନେଉ।
-ସାଗରିକା ସାହୁ, ନନ୍ଦନ ବିହାର ବାସିନ୍ଦା

ସମ୍ବନ୍ଧିତ ଖବର