ନନ୍ଦନକାନନ ଖବର, ବିରହରେ ‘ବିନି’

0

ବାରଙ୍ଗ: ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଥିବା ଏକମାତ୍ର ବିରଳ ପ୍ରଜାତିର ଓରାଙ୍ଗଓଟାନ ‘ବିନି’ ବିରହ ଯନ୍ତ୍ରଣାରେ ଛଟପଟ। ଦୀର୍ଘ ୧୬ବର୍ଷ କାଳ ସେ ନିଃସଙ୍ଗ ଜୀବନ ବିତାଉଛି। ଏବେ ସେ ବୁଢ଼ୀ ହେଲାଣି। ତା’ ସହ ଦେହରେ ସଂକ୍ରାମକ ଘା’ ଶୁଖିବା ନାଁ ନେଉନି। କୁଣ୍ଡେଇ ହେଉଥିବାରୁ ସେ ନଖ ମାରି ଖଣ୍ତିଆ କରିଦେଉଛି। ପଦାକୁ ବାହାରିଲେ ମାଛି ଅସ୍ତବ୍ୟସ୍ତ କରି ପକାଉଛନ୍ତି। ବୈଷୟିକ କମିଟି ଓ ସ୍ବାସ୍ଥ୍ୟ କମିଟି ବିଶେଷଜ୍ଞ ପ୍ରାଣୀ ଚିକିତ୍ସକମାନେ ଆବଶ୍ୟକ ଚିକିତ୍ସା ପରାମର୍ଶ ଦେଇଛନ୍ତି। ନିୟମିତ ଘା’କୁ ସଫା କରାଯାଇ ଔଷଧ ଲଗାଯାଉଛି। ତା’ର ଏପରି ଅବସ୍ଥା ଦେଖି ପର୍ଯ୍ୟଟକମାନେ ଦୁଃଖ ପ୍ରକାଶ କରିଛନ୍ତି। ସୁରକ୍ଷା ଦୃଷ୍ଟିରୁ ବିନିକୁ ଅଧିକାଂଶ ସମୟ ଖୁଆଡ଼ ମଧ୍ୟକୁ ନ ଛାଡ଼ି ବିଶ୍ରାମ କକ୍ଷରେ ଆବଦ୍ଧ ରଖାଯାଉଛି। ତାକୁ ଯଥାସମ୍ଭବ ଅଧିକ ଦିନ ବଞ୍ଚାଇ ରଖିବା ଲାଗି ନନ୍ଦନକାନନ କର୍ତ୍ତୃପକ୍ଷ ପ୍ରୟାସ ଜାରି ରଖିଛନ୍ତି। ୨୦୦୩ ନଭେମ୍ବର ୨୦ରେ ପୁନେସ୍ଥିତ ରାଜୀବ ଗାନ୍ଧୀ ଜାତୀୟ ପ୍ରାଣୀ ଉଦ୍ୟାନରୁ ବିନିକୁ ଅଣାଯାଇଥିଲା। ସେତେବେଳେ ତାକୁ ୨୫ବର୍ଷ ହୋଇଥିଲା। ସେ ନନ୍ଦନକାନନ ୬୦ (ଖ) ଖୁଆଡ଼‌ରେ ଏକାକୀ ରହି ପର୍ଯ୍ୟଟକଙ୍କ ମନୋରଞ୍ଜନ କରୁଛି। ପର୍ଯ୍ୟଟକମାନେ ତା’ ପାଖ ଖୁଆଡ଼ରେ ଥିବା ସିମ୍ପାଞ୍ଜି ପରିବାରକୁ ଦେଖି ଖୁସି ପରିବାର ବୋଲି କହିବା ସହ ବିନି ପାଇଁ ସାଥୀଟିଏ ଯୋଗାଡ଼ କରାଯାଉ ବୋଲି କହିଥାନ୍ତି। ବିନିର ସେବାରେ ନିୟୋଜିତ ପ୍ରାଣୀରକ୍ଷକ କେଦାର ପାତ୍ର ଓ ଗାଇଡମାନେ ସମବେଦନା ଜଣାଇ ବୁଝାଇ ଦିଅନ୍ତି ଯେ ବିନିକୁ ଛାଡ଼ିଦେଲେ ଏବେ ସମଗ୍ର ଭାରତ ବର୍ଷରେ ‌ଏହି ପ୍ରଜାତି କେଉଁଠି ନାହାନ୍ତି। ଏହି ବିରଳ ମାନବାକୃତି ମାଙ୍କଡ଼ ପ୍ରଜାତିର ୩ ପ୍ରକାର ଜୀବଙ୍କ ଆବାସ ସ୍ଥଳୀ ଇଣ୍ଡୋନେସିଆ ଓ ମାଲେସିଆରେ ଦେଖାଯାଏ। ବର୍ତ୍ତମାନ ‌ବୋର୍ଣ୍ଣିଓ ଏବଂ ସୁମାତ୍ରାର ରେନ୍‌ ଫରେଷ୍ଟରେ ଏମାନେ ଦେଖିବାକୁ ମିଳୁଛନ୍ତି।

ସମ୍ବନ୍ଧିତ ଖବର

Leave A Reply

Your email address will not be published.