ନନ୍ଦନକାନନ ଖବର: ‌‌କ୍ରୋଧୀ ଓ ପରାକ୍ରମୀ ଭାରତୀୟ ଗୟଳ

ବାରଙ୍ଗ: ଭାରତୀୟ ଜଙ୍ଗଲୀ ତୃଣଭୋଜି ଜୀବମାନଙ୍କ ମଧ୍ୟ‌ରେ କ୍ରୋଧୀ ତଥା ପରାକ୍ରମୀ ଜୀବ ଭାରତୀୟ ବାଇସନ୍ ବା ଗୟଳ ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ପର୍ଯ୍ୟଟକଙ୍କ ପାଇଁ ଆକର୍ଷଣ ପାଲଟିଛନ୍ତି। ନନ୍ଦନକାନନର ୪୨ନମ୍ବର ଖୁଆଡ଼ ମଧ୍ୟରେ ଥାଇ ୪ଟି ଗୟଳ ପର୍ଯ୍ୟଟକମାନଙ୍କୁ ମନୋରଂଜନର ଖୋରାକ୍‌ ଯୋଗାଉଛନ୍ତି। ଏମାନଙ୍କ ମଧ୍ୟରେ ଦୁଇଟି ପୁରୁଷ ଓ ଦୁଇଟି ମାଈ ଅଛନ୍ତି। ବୟସ୍କ ପୁରୁଷ(୫) ଓ ବୟସ୍କ ମାଈ ଉଭୟଙ୍କୁ ୨୦୧୫ ମେ’ ୨୬ ତାରିଖରେ ପଞ୍ଜାବର ଛତବୀରସ୍ଥିତ ଏମ୍.ସି ଜୁଲୋଜିକାଲ ପାର୍କରୁ ଅଣାଯାଇଥିଲା। ଏମାନଙ୍କ ମିଳନରୁ ପ୍ରଥମ ମାଈ ଶାବକ ୨୦୧୫ ଜୁନ୍ ୧୮ ତାରିଖରେ ଜନ୍ମଲାଭ କରିଥିଲା। କିନ୍ତୁ ଗତ ୨୦୧୬ ଜୁଲାଇ ୪ରେ ନିମୋନିଆ‌‌ରେ ତା’ର ମୃତ୍ୟୁ ହୋଇଯାଇଥିଲା। ୨୦୧୬ ଜୁଲାଇ ୧୩ ତାରିଖରେ ଏକ ପୁରୁଷ, ୨୦୧୭ ନଭେମ୍ବର ୩ରେ ମାଈ ଓ ଗତ ଫେବ୍ରୁଆରି ୨୯ ତାରିଖରେ ଚତୁର୍ଥ ଗର୍ଭରୁ ଏକ ମାଈ ଶାବକ ଜନ୍ମ ନେଇଥିଲା। କିନ୍ତୁ ମା’ର ଖୋଜ ପଡ଼ିବାରୁ ଗୋଟିଏ ଦିନ ପରେ ଚତୁର୍ଥ ଶାବକର ମୃତ୍ୟୁ ହୋଇଯାଇଥିଲା। ନନ୍ଦନକାନନରେ ଜନ୍ମ ହୋଇଥିବା ୨ଟି ଗୟଳ ଶାବକଙ୍କର ମୃତ୍ୟୁ ହୋଇଥିବା ବେଳେ ୨ଟି ଜୀବିତ ଅଛନ୍ତି। ବର୍ତ୍ତମାନ ୨ଟି ପୁରୁଷ ଓ ୨ଟି ମାଈଙ୍କୁ ମିଶାଇ ମୋଟ ସଂଖ୍ୟା ୪ ରହିଛି। ଶରୀରର ଗଠନ ବଳିଷ୍ଠ ଓ ମୁଣ୍ତରେ ଦୁଇଟି ଶକ୍ତ ଲମ୍ବା ଶିଙ୍ଗ ରହିଛି। ଶରୀରର ରଙ୍ଗ କଳା ଓ ନାଲି ଧୂଷର। ଶରୀର ତୁଳନାରେ ଲାଞ୍ଜ ଛୋଟ। ଓଜନ ୪୦୦ କେଜିରୁ ୧୦୦୦ କେଜି ମଧ୍ୟରେ; ପୁରୁଷର ଓଜନ ମାଈଠାରୁ ଏକ ଚତୁର୍ଥାଂଶ ଅଧିକ। ମୁଣ୍ତଠାରୁ ପିଠିର ଉପର ଭାଗ ପର୍ଯ୍ୟନ୍ତ ଥିବା ବଳିଷ୍ଠ ମାଂସପେଶୀ ଗଠନକୁ ସୁନ୍ଦର କରିଥାଏ। ମାଈର ଶିଙ୍ଗ ଛୋଟ। ଶରୀରର ଲମ୍ବ ୮ଫୁଟ୍ ୮ ଇଞ୍ଚରୁ ୧୦ ଫୁଟ୍ ୧୦ ଇଞ୍ଚ ମଧ୍ୟରେ। ଉଚ୍ଚତା ୬ଫୁଟ ୭ ଇଞ୍ଚ ମଧ୍ୟରେ ହୋଇଥାଏ। ଗୟଳମାନେ ବିସ୍ତୃତ ଶୁଷ୍କ ସ୍ଥାନରେ ବସବାସ କରନ୍ତି ଓ ସଂଘବଦ୍ଧ ଭାବେ ରହି ଥାଆନ୍ତି। ଦ୍ରୁତଗତିରେ ଦୌଡ଼ି ପାରନ୍ତି। ଏମାନେ ୩ରୁ ୪ବର୍ଷ ବୟସର ହେଲେ ପ୍ରଜନନକ୍ଷମ ହୁଅନ୍ତି। ପରମାୟୁ ୩୦ ବର୍ଷ ବୟସ। ମାଈ ବର୍ଷରେ ଥରେ ଗୋଟିଏ ଛୁଅକୁ ଜନ୍ମ ଦେଇଥାଏ। ୧୯୮୬ ମସିହା ସର୍ଭେରେ ଏସିଆ ମହାଦେଶରେ ଏହି ପ୍ରଜାତି ୭୦ ପ୍ରତିଶତ ଲୋପ ପାଇଥିବା ଜଣାପଡ଼ିବା ପରେ ସଂରକ୍ଷଣ ତାଲିକାଭୁକ୍ତ କରାଯାଇଛି।

ସମ୍ବନ୍ଧିତ ଖବର