ନନ୍ଦନକାନନ ଖବର: ବଂଶବୃଦ୍ଧି ଅପେକ୍ଷାରେ ଆଫ୍ରିକୀୟ ପାଉଁଶିଆ ଶୁଆ

ବାରଙ୍ଗ: ନନ୍ଦନକାନନ ପ୍ରାଣୀ ଉଦ୍ୟାନର ୨ ନମ୍ବର ‘ଘ’ ଖୁଆଡ଼ରେ ରହୁଥିବା ଏକ ହଳ ବିରଳ ଆଫ୍ରିକୀୟ ପାଉଁଶିଆ ଶୁଆ ଏବେ ବି ବଂଶବୃଦ୍ଧି ଅପେକ୍ଷାରେ। ୫ବର୍ଷ ତଳେ ରାଞ୍ଚିସ୍ଥିତ ଭଗବାନ ବିର୍ସା ପ୍ରାଣୀ ଉଦ୍ୟାନରୁ ଆସିଥିବା ଏହି ଶୁଆ ହଳ ଏ ପର୍ଯ୍ୟନ୍ତ ପ୍ରଜନନକ୍ଷମ ହୋଇନାହାନ୍ତି। କିନ୍ତୁ ନନ୍ଦନକାନନ ବୁଲି ଆସୁଥିବା ପର୍ଯ୍ୟଟକଙ୍କୁ ଶୁଆଦ୍ୱୟ ଭରପୂର୍‌ ମନୋରଂଜନ ଦେବାରେ କେବେ ଅବହେଳା କରିନାହାନ୍ତି। ଏମାନଙ୍କର ରୂପ, ରଙ୍ଗ ଓ ସ୍ବର ଦର୍ଶକଙ୍କୁ ଖୁଆଡ଼ ନିକଟରେ କିଛି ସମୟ ପାଇଁ ବାନ୍ଧି ରଖିଥାଏ। ଏହି ପ୍ରଜାତିର ପକ୍ଷୀ ଆଫ୍ରିକାର ଆର୍ଦ୍ରଭୂମି ଜଙ୍ଗରେ ବସବାସ କରନ୍ତି। ଶରୀରର ଗଠନ ହୃଷ୍ଟପୃଷ୍ଟ ଓ ଦେହର ଅଧିକାଂଶ ରଙ୍ଗ ପାଉଁଶିଆ। ଲାଞ୍ଜ କଳା ଓ ତଳପଟ ରଙ୍ଗ ଲାଲ୍‌। ସେହିପରି ଶରୀରର ଲମ୍ବ ୩୩ ସେମି ମଧ୍ୟରେ ହୋଇଥିବା ବେଳେ ଓଜନ ୪୦୦ ଗ୍ରାମ୍‌। ଏମାନଙ୍କ ମୁଖ୍ୟ ଆହାର କୋଳି, ପତ୍ର, ଫୁଲ, ଫଳ ଓ କୀଟ ପତଙ୍ଗ। ମାଈ ପକ୍ଷୀ ଥରକୁ ୩ରୁ ୫ଟି ଅଣ୍ତା ଦେବା ସହ ୩୦ଦିନ ପର୍ଯ୍ୟନ୍ତ ଅଣ୍ତାକୁ ଉଷୁମ କରି ସେଥିରୁ ଛୁଆ ବାହାର କରିଥାଏ। ଏହି ବିରଳ ପ୍ରଜାତି ପକ୍ଷୀ ଦୁଇଟିଙ୍କୁ ଗତ ୨୦୧୩ ମାର୍ଚ୍ଚ ମାସରେ ରା‌ଞ୍ଚିସ୍ଥିତ ଭଗବାନ ବିର୍ସା ପ୍ରାଣୀ ଉଦ୍ୟାନରୁ ଜୀବଜନ୍ତୁ ପ୍ରତିବଦଳରେ ନନ୍ଦନକାନନକୁ ଅଣାଯାଇଥିଲା। କିନ୍ତୁ ଏହି ପକ୍ଷୀଙ୍କ ବଂଶବୃଦ୍ଧି ପାଇଁ ଏବେ ବି ନନ୍ଦନକାନନ କର୍ତ୍ତୃପକ୍ଷ ଅପେକ୍ଷାରେ ରହିଛନ୍ତି।

ସମ୍ବନ୍ଧିତ ଖବର