ଜଙ୍ଗଲୀ ପ୍ରଜାତି ବାଘ ଅପେକ୍ଷାରେ ନନ୍ଦନକାନନ

‘ସାରା’ ଗର୍ଭରେ ‘ନନ୍ଦନ’ର ଶାବକ

ବାରଙ୍ଗ: ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଖୁବ୍‌ଶୀଘ୍ର ସଂପୂର୍ଣ୍ଣ ଜଙ୍ଗଲୀ ପ୍ରଜାତିର ବାଘ ଜନ୍ମ ନେବାକୁ ଯାଉଛନ୍ତି। ଜଙ୍ଗଲୀ ମହାବଳ ନନ୍ଦନ(୧୦) ସହ ଜଙ୍ଗଲୀ ବାଘୁଣୀ ‘ସାରା’(୧୩)ର ସଫଳ ମିଳନ ଯୋଗୁଁ ଏହି ଯୋଜନା ସାକାର ରୂପ ନେବାକୁ ଯାଉଛି। ବିଶେଷଜ୍ଞଙ୍କ ମତ ଅନୁସାରେ, ଆସନ୍ତା ଡିସେମ୍ବର ୯ ମଧ୍ୟରେ ‘ସାରା’ ପ୍ରସବ କରିପାରେ। ଏବେ ତା’ ଗର୍ଭ ବୃଦ୍ଧି ପାଇବାରେ ଲାଗିଛି। ଅପରପକ୍ଷେ ପ୍ରସବ ସଫଳ କରାଇବା ଲାଗି ନନ୍ଦନକାନନର ପ୍ରାଣୀ ଚିକିତ୍ସା ବିଭାଗ, ଜନ୍ତୁ ରକ୍ଷକ ଓ କର୍ମଚାରୀମାନେ ତା’ର ସ୍ୱତନ୍ତ୍ର ଯତ୍ନ ନେଉଛନ୍ତି। ତା’ ଖାଦ୍ୟପେୟ, ଚଳଣି ଉପରେ ତୀକ୍ଷ୍ଣ ନଜର ରଖାଯାଉଛି। ନନ୍ଦନକାନନରେ ପ୍ରଥମ କରି ସଂପୂର୍ଣ୍ଣ ଜଙ୍ଗଲୀ ପ୍ରଜାତି ବାଘଛୁଆ ପ୍ରସବ ଅପେକ୍ଷାରେ ନନ୍ଦନକାନନ କର୍ତ୍ତୃପକ୍ଷ ରହିଛନ୍ତି। ଗତ ଅଗଷ୍ଟ ୨୫ ତାରିଖରେ ୩୧ ‘ଗ’ ଖୁଆଡ଼ ମଧ୍ୟରେ ଉଭୟଙ୍କୁ ଏକାଠି ରଖି ମିଳନର ସୁଯୋଗ ଦିଆଯାଇଥିଲା। ୨୭ ତାରିଖ ପର୍ଯ୍ୟନ୍ତ ତିନିଦିନ ଧରି ସେମାନଙ୍କ ସଫଳ ମିଳନ କରାଯାଇଥିଲା। ପରେ ନନ୍ଦନକୁ ସାରାଠାରୁ ଅଲଗା ଆଣି ରଖାଯାଇଛି। ବନ୍ୟପ୍ରାଣୀ ବିଶେଷଜ୍ଞଙ୍କ ମତ, ବାଘୁଣୀମାନେ ସାଧାରଣତଃ ଗର୍ଭଧାରଣର ୧୦୫ଦିନ ମଧ୍ୟରେ ପ୍ରସବ କରିଥାଆନ୍ତି। ତେଣୁ ଆସନ୍ତା ଡିସେମ୍ବର ୯ ତାରିଖ ମଧ୍ୟରେ ଶୁଭ ଖବର ମିଳିପାରେ ବୋଲି ନନ୍ଦନକାନନ କର୍ତ୍ତୃପକ୍ଷ ଆଶାବାଦୀ ରହିଛନ୍ତି।

ସୂଚନାଯୋଗ୍ୟ, ନନ୍ଦନକାନନରେ ବାଘମାନଙ୍କ ଏକବଂଶଜ ପ୍ରଥାରେ ରୋକ୍‌ ଲଗାଇବା ଲାଗି ଗତ ୨୦୦୯ ଏପ୍ରିଲ ୧୮ ତାରିଖ‌ରେ ଭୋପାଳରୁ ଜଙ୍ଗଲୀ ବାଘୁଣୀ ‘ସାରା’କୁ ଅଣାଯାଇଥିଲା। ଏଠାରେ ଧଳା ମହାବଳ ବାଘ ‘ରିଷି’ ସହ ମିଳନ କରାଇ ୨୦୧୨ ଜାନୁଆରି ୧୩ ତାରିଖରେ ଶୁଭଶ୍ରୀ, ଅଙ୍କିତା ଓ ଆଶା ନାମକ ୩ଟି ବାଘୁଣୀ ଶାବକ ଜନ୍ମଲାଭ କରିଥିଲେ। ଫଳରେ ଏକବଂଶଜ ପ୍ରଥା ଉଚ୍ଛେଦର ପ୍ରଥମ ସୋପାନ ପଡ଼ିଥିଲା। ସଂପୂର୍ଣ୍ଣ ଜଙ୍ଗଲୀ ପ୍ରଜାତିର ବାଘ କିଭଳି ସୃଷ୍ଟି ହୋଇପାରିବ, ସେ ନେଇ ଯୋଜନା ଆରମ୍ଭ ହୋଇଥିଲା। ଏତିକିବେଳେ ଜଙ୍ଗଲୀ ମହାବଳ ବାଘ ‘ନନ୍ଦନ’ ନନ୍ଦନକାନନରେ ଅନୁପ୍ରବେଶ କରି କର୍ତ୍ତୃପକ୍ଷଙ୍କ ଏହି ଆଶାକୁ ଉଜ୍ଜୀବିତ କରିଥିଲା। ୨୦୧୩ ଜୁଲାଇ ୧୩ ତାରିଖରେ ନନ୍ଦନକାନନ କର୍ତ୍ତୃପକ୍ଷ ଅନୁପ୍ରବେଶକାରୀ ‘ନନ୍ଦନ’କୁ କାବୁ କଲେ। କିନ୍ତୁ ଜଙ୍ଗଲୀ ବାଘ ହୋଇଥିବାରୁ ନନ୍ଦନକାନନରେ ତାକୁ ରଖିବାକୁ ଏନ୍‌ଟିସିଏ (କେନ୍ଦ୍ରୀୟ ବ୍ୟାଘ୍ର ସଂରକ୍ଷଣ କର୍ତ୍ତୃପକ୍ଷ) ରାଜି ହୋଇ ନଥିଲେ। ପରବର୍ତ୍ତୀ ସମୟରେ ଓଡ଼ିଶା ସରକାର, ନନ୍ଦନକାନନ କର୍ତ୍ତୃପକ୍ଷ ଦର୍ଶାଇଥିବା ଯୁକ୍ତି ଓ ସାଧାରଣ ଜନତାଙ୍କ ଦାବିକୁ ଏନ୍‌ଟିସିଏ ମାନିଥିଲେ। ନନ୍ଦନକାନନରେ ନନ୍ଦନ ରହିଲା। ଓଡ଼ିଶା ସରକାର ଓ ଏନ୍‌ଟିସିଏ ଟଣାଓଟରା ଭିତରେ ୨ବର୍ଷ ବିତି ଯାଇଥିଲା। ୨୦୧୫ରେ ‘ନନ୍ଦନ’ ସହ ‘ସାରା’ର ମିଳନ କରାଇବାକୁ ଯୋଜନା ହେଲା। ଯୋଜନା ମୁତାବକ, ‘ନନ୍ଦନ’କୁ ରଖାଯାଇଥିବା ୩୧ ‘କ’ ପଛ ଖୁଆଡ଼ ୩୧’ଗ’କୁ ଆହୁରି ମଜଭୁତ୍ କରି ସେଥିରେ ସିସିଟିଭି ଲଗାଗଲା। ୨୦୧୫ ଜୁଲାଇରେ ‘ସାରା’କୁ ସାଥୀରେ ଛଡ଼ା ଯାଇଥିଲା। ପରସ୍ପର ପାଖ ଖୁଆଡ଼ ମଧ୍ୟରେ ରହି ଦେଖି ଆକୃଷ୍ଟ ହୋଇଥିଲେ। ଅପରପକ୍ଷେ ୩୧ ‘ଖ’ରେ ରହୁଥିବା ବାଘୁଣୀ ‘ମେଘା’ ମଧ୍ୟ ନନ୍ଦନ ପ୍ରତି ଆକୃଷ୍ଟ ଥିଲା। ‘ସାରା’ର ପଞ୍ଝା ତା’ ଘର ପଟକୁ ପଶିଥିବା ଦେଖି ଆକ୍ରମଣ କରିଥିଲା। ୨୦୧୫ ଜୁଲାଇ ୧୫ତାରିଖରେ ସାରାର ଆଗ ଗୋଡ଼କୁ କାମୁଡି ଗୁରୁତର ଆହତ କରିଥିଲା। ‘ସାରା’ ଆହତ ହୋଇ ଚିକିତ୍ସିତ ହେବାକୁ ଭେଟନାରି ପରିସର ଆଇସିୟୁକୁ ଯାଇଥିଲା। ମିଳନ ଯୋଜନା ପଣ୍ଡ ହେବାରୁ ସୁଯୋଗ ମିଳିଥିଲା ‘ମେଘା’କୁ। ନନ୍ଦନକାନନର ଚର୍ଚ୍ଚିତ ବାଘ ତ୍ରିକୋଣୀୟ ପ୍ରେମ କାହାଣୀର ନାୟିକା ‘ମେଘା’ ଗତ ୨୦୧୬ ଏପ୍ରିଲ ୨୦ ତାରିଖରେ ପ୍ରଥମ ଗର୍ଭରୁ ‘ନନ୍ଦନ’ ଔରସର ୨ ଶାବକ ବାହୁବଳୀ ଓ କୁନ୍ଦନକୁ ଜନ୍ମ ଦେଇଥିଲା। ‘ସାରା’ ୨୦୧୫ ଡିସେମ୍ବର ୧୮ ତାରିଖ‌ରେ ସୁସ୍ଥ ହୋଇଥିଲା। ‘ସାରା’ ସଂପୂର୍ଣ୍ଣ ସୁସ୍ଥ ଥିବାରୁ ତାକୁ ନନ୍ଦନ ସହ ମିଳନର ସୁଯୋଗ ଦିଆଯାଇଥିଲା।

ସମ୍ବନ୍ଧିତ ଖବର