ସଂକଟରେ ବବୁନ୍‌ ବଂଶ, ବଂଶବୃଦ୍ଧି ଆଶା କ୍ଷୀଣ

ବାରଙ୍ଗ: ନନ୍ଦନକାନନ ପ୍ରାଣୀ ଉଦ୍ୟାନର ୫୩ନମ୍ବର ଖୁଆଡ଼‌ରେ ରହି ପର୍ଯ୍ୟଟକମାନଙ୍କ ମନୋରଂଜନ କରାଉଥିବା ହିମାଦ୍ରିୟାଜ୍‌ ବବୁନ୍‌ ମାଙ୍କଡ଼ ପ୍ରଜାତି ଏବେ ସଂକଟରେ। ୧୯୯୩ ମସିହା‌ରେ ନନ୍ଦନକାନନକୁ ପ୍ରଥମକରି ମାଡ୍ରାସ୍‌ ଚିଡ଼ିଆଖାନାରୁ ୪ଟି ବବୁନ୍‌ ମାଙ୍କଡ଼ ଅଣାଯାଇଥିଲା। ଏବେ ଏହି ସଂଖ୍ୟା ଏବେ ୨ରେ ସୀମିତ ରହିଛି। ଗୋଟିଏ ପୁରୁଷ ‘ଜଗା’ର ବୟସ ୨୯ବର୍ଷ ଓ ଗୋଟିଏ ମାଈର ବୟସ ୧୨ବର୍ଷ। ବୟସାଧିକ କାରଣରୁ ପ୍ରଜନନ କ୍ଷମତା ହରାଇ ବସିଥିବାରୁ ଏମାନଙ୍କ ବଂଶବୃଦ୍ଧି ଆଶା କ୍ଷୀଣ ହୋଇଛି। ଉଭୟଙ୍କୁ ପରସ୍ପରଠାରୁ ଅଲଗା କରି ରଖାଯାଇଛି।
୨୦୦୬ରୁ ଚଳିତ ବର୍ଷ ପର୍ଯ୍ୟନ୍ତ ପରିସଂଖ୍ୟାନକୁ ଦେଖିଲେ ଜଣାପଡ଼େ, ୨ଟି ଜନ୍ମ ହୋଇଥିବା ବେଳେ ବିଭିନ୍ନ କାରଣରୁ ୩ଟି ମରିଛନ୍ତି। ୨୦୦୭ ନଭେମ୍ବର ୧୬ ତାରିଖରେ ଗୋଟିଏ ଓ ୨୦୦୮ ମସିହା ମେ’ ୧୭ ତାରିଖରେ ଗୋଟିଏ ଜନ୍ମ ହୋଇଛି। ସେହିପରି ୨୦୦୬ରେ ସଂକ୍ରମଣରେ ଗୋଟିଏ, ୨୦୦୭ରେ ଜନ୍ମ ପରବର୍ତ୍ତୀ ଯତ୍ନ ଅଭାବରୁ ୫ ଦିନର ଏକ ଛୁଆ ଓ ୨୦୧୦ରେ ପୁରୁଷ ଆକ୍ରମଣରେ ୨ବର୍ଷର ଏକ ମାଈ ବବୁନ୍‌ର ମୃତ୍ୟୁ ହୋଇଥିଲା।

ଉଲ୍ଲେଖଯୋଗ୍ୟ, ଏହି ପ୍ରଜାତିର ପୁରୁଷ ମାଙ୍କଡ଼ ସିଂହ ଭଳି ଅତ୍ୟନ୍ତ ଆକର୍ଷଣୀୟ। ବୟସ୍କ ପୁରୁଷର ପିଠି ଓ କାନ୍ଧ ଉପରେ ଆକର୍ଷଣୀୟ ରୂପେଲି ବର୍ଣ୍ଣର ଲୋମ ଥାଏ ଓ ଏମାନେ ବହୁତ କ୍ରୋଧି। ଏମାନେ ପରିବାର ଭଳି ମେଳି ହୋଇ ରହିବାକୁ ପସନ୍ଦ କରନ୍ତି। ଛୋଟ ଓ ମାଈ ଦେଖିବାକୁ ଧୂସର ରଙ୍ଗର। ମୁହଁ ଓ ପିଚାର ରଙ୍ଗ ଗୋଲାପି, ଲୋମଶୂନ୍ୟ। ଏମାନେ ଇଥିଓପିଆ, ମାଲେସିଆ, ସାଉଦି ଆରବ ଓ ୟେମେନ୍‌ରେ ଦେଖିବାକୁ ମିଳନ୍ତି। ଏମାନେ ତୃଣଭୋଜି। ସମୟେ ସମୟେ ଛୋଟ ଛୋଟ ପକ୍ଷୀ ଓ ସ୍ତନ୍ୟପାୟୀ ପ୍ରାଣୀଙ୍କୁ ଶିକାର କରି ଖାଇଥାଆନ୍ତି। ଦେହର ଲମ୍ବର ୭୫ସେମି ଓ ଲାଞ୍ଜ ୫୫ସେମି ପର୍ଯ୍ୟନ୍ତ ହୋଇଥାଏ। ଶରୀରର ଓଜନ ୧୨ରୁ ୨୧କେଜି ପର୍ଯ୍ୟନ୍ତ ରହିଥାଏ। ମାଈ ଗର୍ଭଧାରଣର ୧୬୦ରୁ ୧୬୫ଦିନରେ ଥରକୁ ଗୋଟିଏ ଶାବକ ଜନ୍ମ ଦେଇଥାଆନ୍ତି। ଏମାନଙ୍କର ପରମାୟୁ ୩୫ ବର୍ଷ।

ସମ୍ବନ୍ଧିତ ଖବର