ନନ୍ଦନକାନନକୁ ଆସିଲା ଉଦ୍ଧାର ଭାଲୁ ଛୁଆ

ବାରଙ୍ଗ: କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ରେଞ୍ଜରୁ ଉଦ୍ଧାର ଏକ ଦେଶୀ ଭାଲୁ ଛୁଆକୁ ଆଜି ଅପରାହ୍‌ଣରେ ନନ୍ଦନକାନନ ପ୍ରାଣୀ ଉଦ୍ୟାନକୁ ଆଣାଯାଇଛି। ଉଦ୍ଧାର ଭାଲୁ ଛୁଆଟି ମାଈ ଓ ପ୍ରାୟ ମାସକର ହେବ। ପ୍ରସବ ପରେ ମା’ ଭାଲୁ କୁଆଡ଼େ ଚାଲି ଯାଇଥିବାରୁ ତାକୁ ବନବିଭାଗ କର୍ମଚାରୀମାନେ ଉଦ୍ଧାର କରିଥିଲେ। ନନ୍ଦନକାନନରେ ପହଞ୍ଚିବା ପରେ ଭାଲୁ ଛୁଆଟିକୁ ଭେଟେରିନାରି ପରିସରର କ୍ୱାରେନ୍‌ଟାଇନ୍‌ରେ ରଖାଯାଇଛି। ତାକୁ ବୋତଲରେ ଲାକ୍ଟୋଜେନ୍‌ ପିିଇବାକୁ ଦିଆଯାଇଛି। ଭାଲୁ ଛୁଆଟି ସୁସ୍ଥ ଥିବା ନନ୍ଦନକାନନ ସୂତ୍ରରୁ ଜଣାପଡ଼ିଛି। ଏହି ଛୁଆ ଭାଲୁକୁ ମିଶାଇ ନନ୍ଦନକାନନର ସେମାନଙ୍କ ସଂଖ୍ୟା ୧୬କୁ ବୃଦ୍ଧି ହୋଇଛି।

ଅନିର୍ଦିଷ୍ଟ କାଳ ପାଇଁ ବନ୍ଦ ରହିଲା ଭାଲୁ ସଫାରି

ବାରଙ୍ଗ: ସୋମବାର ନନ୍ଦନକାନନର ଭାଲୁ ସଫାରିରେ ଦେଶୀ ଭାଲୁ ଲିଜା ତା’ ପ୍ରଥମ ଗର୍ଭରୁ ଏକ ଶାବକକୁ ଜନ୍ମ ଦେଇଛି। ଛୁଆର ସୁରକ୍ଷା ପାଇଁ ସେ ତା’ ଆଖପାଖକୁ କାହାକୁ ଛାଡ଼ୁନାହିଁ। ଏପରିକି କର୍ମଚାରୀ ଓ ସଫାରି ମଧ୍ୟରେ ଥିବା ଅନ୍ୟ ଭାଲୁମାନଙ୍କୁ ଗୋଡ଼ାଉଛି। ଏହାକୁ ଦୃଷ୍ଟିରେ ରଖି ନନ୍ଦନକାନନ କର୍ତୃପକ୍ଷ ଆଜି ଭାଲୁ ସଫାରିକୁ ବନ୍ଦ ରଖିବାକୁ ନିଷ୍ପତ୍ତି ନେଇଥିଲେ। ଆଜି ନନ୍ଦନକାନନ ଉପନିର୍ଦ୍ଦେଶକ ଜୟନ୍ତ କୁମାର ଦାସ, ଜନ୍ତୁ ବିଭାଗ ଏସିଏଫ୍‌ ଅଞ୍ଜନ କୁମାର ମହାନ୍ତି, ଜନ୍ତୁବିଭାଗ ରେଞ୍ଜ ଅଫିସର ଓ କର୍ମଚାରୀଙ୍କ ବୈଠକ କରାଯାଇଥିଲା। ବୈଠକରେ ଉଭୟ ଭାଲୁ ଓ ପର୍ଯ୍ୟଟକଙ୍କ ସୁରକ୍ଷାକୁ ଦୃଷ୍ଟିରେ ସଫାରିକୁ ଅନିର୍ଦିଷ୍ଟ କାଳ ପାଇଁ ବନ୍ଦ ରଖିବାକୁ ନିଷ୍ପତ୍ତି ନିଆଯାଇଛି। ଭାଲୁ ସଫାରି ବନ୍ଦ ରହିବା ପର୍ଯ୍ୟନ୍ତ ସଫାରି ବସ୍‌ ଟିକେଟ ଦର ୫୦ଟଙ୍କା ପରିବର୍ତେ ୪୦ ଟଙ୍କା ରଖାଯାଇଛି।

ସମ୍ବନ୍ଧିତ ଖବର