ନନ୍ଦନକାନନ ଖବର, ମନ ମୋହୁଛନ୍ତି ଧଳା ମୟୂର

ବାରଙ୍ଗ: ନନ୍ଦନକାନନ ପ୍ରାଣୀ ଉଦ୍ୟାନର ୭୪ ନମ୍ବର ଖୁଆଡ଼ରେ ରହି ପର୍ଯ୍ୟଟକମାନଙ୍କ ମନ ମୋହୁଛନ୍ତି ୮ଟି ଧଳା ମୟୂର। ବିଶେଷକରି ଏମାନଙ୍କ ମିଳନ ଋତୁର ନୃତ୍ୟ ପର୍ଯ୍ୟଟକମାନଙ୍କୁ ବେଶ୍ ରୋମାଞ୍ଚିତ କରୁଛି। ସେମାନଙ୍କ ମଧ୍ୟରେ ୩ ମୟୂର, ୪ ମୟୂରୀ ଓ ଲିଙ୍ଗ ଚିହ୍ନଟ ହୋଇ ନଥିବା ଏକ ଶାବକ ରହିଛି। ୧୯୯୪ ମସିହାରେ ବରୋଦାସ୍ଥିତ କମଳା ନେ‌ହେରୁ ପ୍ରାଣୀ ଉଦ୍ୟାନରୁ ୨ଟି ମୟୂର ଓ ୨ଟି ଧଳା ମୟୂରୀଙ୍କୁ ନନ୍ଦନକାନନକୁ ଅଣାଯାଇଥିଲା। ଏହା ପରେ ୨୦୧୫ ମସିହାରେ ଚେନ୍ନାଇର ଭନ୍ଦାଲୁରସ୍ଥିତ ଅରିଗନାର ଆନ୍ନା ପ୍ରାଣୀ ଉଦ୍ୟାନରୁ ୨ଟି ମୟୂର ଓ ୨ଟି ମୟୂରୀଙ୍କୁ ଅଣାଯାଇଥିଲା। କାଳକ୍ରମେ ବିଭିନ୍ନ କାରଣରୁ ଏମାନଙ୍କ ସଂଖ୍ୟା ହ୍ରାସ ପାଇଥିଲା। ଏହାପରେ ନନ୍ଦନକାନନ କର୍ତୃପକ୍ଷ ୨୦୧୬ ଡିସେମ୍ବର ୭ରେ ହାଇଦ୍ରାବଦ ନେହେରୁ ପାର୍କରୁ ଜୀବଜନ୍ତୁ ପ୍ରତିବଦଳରେ ଗୋଟିଏ ମୟୂର ଓ ଗୋଟିଏ ମୟୂରୀ ଆଣିଥିଲେ। ପୁଣି ୨୦୧୭ ସେପ୍ଟେମ୍ବର ୨୬ରେ ଚେନ୍ନାଇର ଭନ୍ଦାଲୁରସ୍ଥିତ ଅରିଗନାର ଆନ୍ନା ପ୍ରାଣୀ ଉଦ୍ୟାନରୁ ୨ଟି ମୟୂର ଓ ୨ଟି ଧଳା ମୟୂରୀ ଆଣିଥିଲେ। ନିକଟରେ ମୟୂରୀ ଅଣ୍ତାରୁ ଏକ ଛୁଆ ହୋଇଥିଲା। ଭାରତ, ବାଂଲାଦେଶ ସମେତ ବିଶ୍ବର ଅନ୍ୟ ବହୁ ଦେଶର ଚିଡ଼ିଆଖାନାରେ ଏମାନେ ଦେଖବାକୁ ମିଳନ୍ତି। ଏମାନଙ୍କ ଲମ୍ବା ୫ଫୁଟ। ଏମାନେ ପୋଷା ମାନି ପାରନ୍ତି। ଉଭୟ ମୟୂର ଓ ମୟୂରୀଙ୍କ ମୁଣ୍ତ ଉପରେ ଚୂଳ ସଦୃଶ ମୁକୁଟ ଥାଏ। ୩ ବର୍ଷ ବୟସ ହେଲେ ଏମାନେ ପ୍ରଜନନକ୍ଷମ ହୁଅନ୍ତି। ବର୍ଷା ଋତୁ ଆଗମନ ଏମାନଙ୍କ ମିଳନର ସମୟ। ମୟୂର ପୁଚ୍ଛ ଟେକି ନୃତ୍ୟ କରି ସଙ୍ଗମ ପାଇଁ ମୟୂରୀମାନଙ୍କୁ ଆକର୍ଷିତ କରିଥାଏ। ପ୍ରଜନନ ପରେ ପୁଚ୍ଛ ଝଡ଼ାଇ ଦିଏ। ତାହା ପୁଣି ଶରତ ଋତୁରେ କଅଁଳେ। ଗହଳ ବୁଦା, ଜଙ୍ଗଲ ଓ ସମତଳ ତଥା ପାର୍ବତ୍ୟ ଅଞ୍ଚଳରେ ଜଳାଶୟ ନିକଟବର୍ତୀ ସ୍ଥାନରେ ଏମାନେ ବିଚରଣ କରନ୍ତି। ରାତିରେ ଗଛ ଡାଳରେ ବିଶ୍ରାମ ନିଅନ୍ତି। ମୟୂରୀ ମାଟି ଉପରେ ଗାତ ଖୋଳି ଥରକୁ ୩ରୁ ୬ଟି ଅଣ୍ତା ଦେଇଥାଏ। ଅଣ୍ତା ଫୁଟାଇବାକୁ ୨୮ ଦିନ ସମୟ ନେଇଥାଏ ଓ ଏକାକୀ ଛୁଆର ଯତ୍ନ ନେଇଥାଏ। ଏମାନେ ଶସ୍ୟ, କୋଳି, ମଞ୍ଜି, କଅଁଳ କାଣ୍ତ, ମୂଷା, ଝିଟିପିଟି ଓ ସାପ ଭକ୍ଷଣ କରନ୍ତି। ଏମାନେ ସାପକୁ ଶିକାର କରିପାରୁଥିବାରୁ ପବିତ୍ର ଓ ଶୁଭ ଲକ୍ଷଣ ଭାବେ ପରିଗଣିତ ହୋଇଥାନ୍ତି।

ସମ୍ବନ୍ଧିତ ଖବର