ସଜାଡ଼ି ହେଉଛି ନନ୍ଦନକାନନ, ପୁଣି ହେବ ଗ୍ରୀଷ୍ମ ସୁରକ୍ଷା ବ୍ୟବସ୍ଥା

ବାରଙ୍ଗ : ସଜାଡ଼ି ହେଉଛି ନନ୍ଦନକାନନ। ବାତ୍ୟା ‘ଫନି’ ମାଡ଼ରେ ଅସ୍ତବ୍ୟସ୍ତ ହୋଇପଡ଼ିଥିବା ଏହି ପ୍ରାଣୀ ଉଦ୍ୟାନକୁ ସ୍ୱାଭାବିକ କରିବା ପାଇଁ ସମସ୍ତ କର୍ମଚାରୀ ପୂରା ଜୋରସୋର୍‌‌‌‌ରେ ଲାଗି ପଡ଼ିଛନ୍ତି। କର୍ମଚାରୀମାନେ ବାତ୍ୟା ପରଠାରୁ ଆଜି ପର୍ଯ୍ୟନ୍ତ ଲଗାତାର ଭାବେ ଗଛ କାଟି ସଫା କରୁଛନ୍ତି। ସକାଳ ୬ରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଗଛ କଟା ଓ ସଫା କରିବା କାର୍ଯ୍ୟରେ ନିୟୋଜିତ ରହୁଛନ୍ତି। ନନ୍ଦନକାନନର ଆଗ ପାଖ ପ୍ରବେଶ ଫାଟକରୁ ପଛ ପାଖ ଫାଟକ ପର୍ଯ୍ୟନ୍ତ, ଶିଶୁ ଉଦ୍ୟାନଠାରୁ ଜିରାଫ ଘର ପର୍ଯ୍ୟନ୍ତ ଓ ସରୀସୃପ ଉଦ୍ୟାନ ଭାୟା କାଞ୍ଜିଆହ୍ରଦ କୂଳ ବିହଙ୍ଗ ବିହାର ରାସ୍ତା ସଫା ସରିଛି। ଅଧିକାଂଶ ଜୀବଜନ୍ତୁଙ୍କ ଘର ଉପରେ ପଡ଼ିଥିବା ଗଛ ମଧ୍ୟ ହଟି ସାରିଛି। ବାକି ଅଛି, ମଣିପୁରି ହରିଣ, ବାରାଶିଙ୍ଗା ସମେତ କିଛି ଛୋଟ ଜୀବଙ୍କ ଘର। ବାଘ, ଭାଲୁ, ସିଂହ ଓ ତୃଣଭୋଜି ସଫାରିରେ ପଡ଼ିଥିବା ଗଛ ହଟା ଅଭିଯାନ ଚାଲିଛି। ସଫାରିର ରାସ୍ତା ସବୁ ଠିକ୍ ଅଛି। ସଫାରିର ସବୁଜିମା ପରିବେଶ ଯେପରି ନଷ୍ଟ ନ ହୁଏ, ସେଥିପ୍ରତି ନଜର ରଖି ସଫେଇ କାର୍ଯ୍ୟ କରାଯାଉଛି। ବର୍ତ୍ତମାନ ସୁଦ୍ଧା ସଫାରିରେ ପର୍ଯ୍ୟଯକଙ୍କ ବସ୍‌ ପରିଭ୍ରମଣ ଉପଯୋଗୀ ହୋଇସାରିଛି। ତେବେ ସଫାରିକୁ ଭଲ ଭାବେ ଯାଞ୍ଚ କରିବା ଓ ବେଷ୍ଟିତ କରିଥିବା ତାରଜାଲି ପାଚେରିକୁ ଯାଞ୍ଚ କରାଯିବା ପରେ ଖୋଲିବାକୁ କର୍ତ୍ତୃପକ୍ଷ ସ୍ଥିର କରିଛନ୍ତି।

ଆଜି ସିମ୍ପାଞ୍ଜି ଓ ଭାଲୁ ଘରକୁ ପାନୀୟ ଜଳଯୋଗାଣ ହୋଇଛି। ମୋଟାମୋଟି ଭାବେ ସମସ୍ତ ଜୀବଜନ୍ତୁଙ୍କ ଘରକୁ ପାନୀୟ ଜଳଯୋଗାଣ କରାଯାଇପାରିଛି। ସେହିଭଳି ଗୋଟି ଗୋଟି କରି ଜୀବଜନ୍ତୁଙ୍କ ଘରକୁ ଅନୁଧ୍ୟାନ କରି ବିଦ୍ୟୁତ୍‌ ସଂଯୋଗ କରାଯାଉଛି। ବାକି ଥିବା କିଛି ଘରକୁ ବିଦ୍ୟୁତ୍ ସଂଯୋଗ କରିବାକୁ କାର୍ଯ୍ୟ ଚାଲୁ ରହିଛି। ସରକାରୀ ଘୋଷଣା ମୁତାବକ, ଆସନ୍ତା ୨୧ ତାରିଖ ସୁଦ୍ଧା ସମସ୍ତ ସମସ୍ୟା ଦୂର କରି ୨୨ରେ ନନ୍ଦନକାନନକୁ ପର୍ଯ୍ୟଟକଙ୍କ ଲାଗି ଖୋଲିବାକୁ ଲକ୍ଷ୍ୟ ରଖିଛନ୍ତି କର୍ତ୍ତୃପକ୍ଷ। ଗ୍ରୀଷ୍ମ ପ୍ରକୋପରୁ ଜୀବଜନ୍ତୁଙ୍କ ରକ୍ଷା ଲାଗି ନିକଟରେ କର୍ତ୍ତୃପକ୍ଷ ନଡ଼ା, ବାଉଁଶ ତାଟ ପକାଇ କରିଥିବା ଛପର ସବୁ ବାତ୍ୟାରେ ଉଡ଼ି ଯାଇଛି। ପକ୍ଷୀ ଓ ଜୀବମାନେ ଏବେ ଖରାରେ ବସି ରହୁଛନ୍ତି। ଆଗକୁ ଆହୁରି ମାସେ ପ୍ରବଳ ଖରା ହେବାକୁ ଥିବାରୁ ପୁନର୍ବାର ଛପର କରିବା ସହ ସାନି ଗ୍ରୀଷ୍ମ ବ୍ୟବସ୍ଥା କରିବାକୁ କର୍ତ୍ତୃପକ୍ଷ ଯୋଜନା କରିଛନ୍ତି। ସ୍ଥିତି ସଂପୂର୍ଣ୍ଣ ସୁଧୁରିବା ପରେ କରାଯିବ। ଆସନ୍ତା ୨୨ ତାରିଖରେ ନନ୍ଦନକାନନ ଖୋଲିବା ଲାଗି ଦୈନନ୍ଦିନ ଘନଘନ କାର୍ଯ୍ୟର ସମୀକ୍ଷା, ତଦାରଖ କରୁଛନ୍ତି ନିର୍ଦ୍ଦେଶକ, ଉପନି‌ର୍ଦ୍ଦେଶକ ଓ ସଚିବ।

ସମ୍ବନ୍ଧିତ ଖବର