ନନ୍ଦନକାନନ ବାଘ ସଫାରି ୪ ଦିନ ପାଇଁ ବନ୍ଦ

ବାରଙ୍ଗ: ପର୍ଯ୍ୟଟକଙ୍କୁ ନେଇ ନନ୍ଦନକାନନ ବାଘ ସଫାରିକୁ ଯାଇଥିବା ଏକ ବସ୍‌ ରାସ୍ତାର ଫସି ଯିବାରୁ ସଫାରିକୁ ପୁଣି ୪ ଦିନ ପାଇଁ ବନ୍ଦ କରାଯାଇଛି। ବର୍ଷା ଯୋଗୁ ମାଟି ଧସି ଯିବାରୁ ଏପରି କରାଯାଇଥିବା କର୍ତୃପକ୍ଷ ସୂଚନା ଦେଇଛନ୍ତି। ବସ୍‌ଟି ମଙ୍ଗଳବାର ଅପରାହ୍ନ ସାଢେ ୩ଟା ବେଳେ ୩୮ ଜଣ ପର୍ଯ୍ୟଟକଙ୍କୁ ନେଇ କଳାବାଘ କ୍ରିଷ୍ଣା ଓ ସ୍ନେହାଶିଷ ରହୁଥିବା ସଫାରି ଭିତରକୁ ଯାଇଥିଲା। ଅଚାନକ ନାଲି ମାଟି ରାସ୍ତାର ଏକ ଜାଗାରେ ସଫାରି ବସ୍‌ର ଆଗ ଚକା ଗଳି ପଡ଼ିଥିଲା। ଏ ନେଇ ନନ୍ଦନକାନନ କାର୍ଯ୍ୟାଳୟକୁ ସୂଚନା ଦେବା ପରେ ଉପନିର୍ଦ୍ଦେଶକ ନିଜେ ଅନ୍ୟ କର୍ମଚାରୀମାନଙ୍କ ସହ ଘଟଣାସ୍ଥଳରେ ପହଞ୍ଚି ବସ୍‌ରୁ ଯାତ୍ରୀମାନଙ୍କୁ ଉଦ୍ଧାର କରିଥିଲେ। ଏହା ପରଠାରୁ ସଫାରି ମଧ୍ୟକୁ ବସ ଚଳାଚଳ ବନ୍ଦ ରଖାଯାଇଛି। ନନ୍ଦନକାନନ ଉପ-ନିର୍ଦ୍ଦେଶକ ଜୟନ୍ତ କୁମାର ଦାସ କହିଛନ୍ତି ବର୍ଷାରେ ରାସ୍ତା ଦବି ଖରାପ ହୋଇଛି। ରାସ୍ତା ମରାମତି କରାଯିବା ପରେ ରବିବାରଠାରୁ ପର୍ଯ୍ୟଟକଙ୍କ ଉଦ୍ଦେଶ୍ୟରେ ଖୋଲାଯିବ। ସୂଚନା ଯୋଗ୍ୟ ଯେ, ୩ ଥର ଟେଣ୍ଡର୍‌ ପାସ ହୋଇ ନପାରିବାରୁ ୬ ମାସ ହେଲା ସଫାରି ବସ ଚଳାଚଳ ବନ୍ଦ ରହିଥିଲା।

ସମ୍ବନ୍ଧିତ ଖବର