ମହାକାଶରେ ପାଳିଥିଲି ବିବାହ ବାର୍ଷିକୀ

ସେ ମହାକାଶରେ ବିତାଇଛନ୍ତି ୧୩୬ ଦିନ। ଜୀବନ ପ୍ରତି ଥିବା ବିପଦକୁ ଭ୍ରୂକ୍ଷେପ ନ କରି ମହାକାଶରେ ବିତାଇଛନ୍ତି ମାସ ପରେ ମାସ। ମହକାଶକୁ ନିଜର ଦ୍ୱିତୀୟ ଘର ଭାବରେ ମଧ୍ୟ ମାନି ନେଇଛନ୍ତି। ସେ ହେଉଛନ୍ତି ଜାନୁଆରି ୨୩, ୧୯୭୪ ମସିହାରେ ଆମେରିକାର କଲ୍‌ରାଡୋ ସହରରେ ଜନ୍ମଗ୍ରହଣ କରିଥିବା ଜ୍ୟାକ୍‌ ଡି ଫିସର୍‌। ୧୯୯୨ରେ ୟୁଏସ୍‌ ଏୟାରଫୋର୍ସ ଏକାଡେମିରୁ ମହାକାଶ ବିଜ୍ଞାନରେ ସ୍ନାତକ ଶିକ୍ଷା ସମାପ୍ତ ପରେ ମାସାଚୁଟେଟ୍‌ସ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଟେକ୍ନୋଲୋଜିରୁ ବିମାନ ଏବଂ ମହାକାଶ ବିଜ୍ଞାନରେ ସ୍ନାତକୋତ୍ତର ସମ୍ପୂର୍ଣ୍ଣ କରିଥିଲେ। ଆମେରିକୀୟ ବାୟୁସେନାରେ କର୍ଣ୍ଣେଲ ଭାବରେ କାର୍ଯ୍ୟରତ ଜ୍ୟାକ୍‌ଙ୍କ ମହାକାଶ ଯାତ୍ରା ଥିଲା ବେଶ୍‌ ଉତ୍ସାହପଦ। ଏକ କାର୍ଯ୍ୟକ୍ରମରେ ଯୋଗ ଦେବା ଲାଗି ଓଡ଼ିଶା ଗସ୍ତରେ ଆସିଥିବା ଜ୍ୟାକ୍‌ଙ୍କ ସହିତ ରାଜକିଶୋର ଦାଶଙ୍କ ଆଲୋଚନା

ମହାକାଶରେ ବିତାଇଥିବା ମୁହୂର୍ତ୍ତଗୁଡ଼ିକ ବିଷୟରେ କିଛି କୁହନ୍ତୁ?
ମହାକାଶରେ ଶରୀର ସର୍ବଦା ଭାସମାନ ଅବସ୍ଥାରେ ରହିଥାଏ। ତେଣୁ ଖାଦ୍ୟ ଖାଇବା ହେଉ ଅବା ଅନ୍ୟ କୌଣସି କାର୍ଯ୍ୟ ଆମେ ସବୁ ମହାକାଶଚାରୀ ବେଶ୍‌ ଆନନ୍ଦ ନେଇଥାଉ। ଯେକୌଣସି ଖାଦ୍ୟକୁ ପାତ୍ରରେ ରଖିବା ପରେ ତାହା ଭାସିଥାଏ। ଆମେ ସେହି ଅନୁସାରେ ମୁହଁକୁ ନେଇ ଖାଦ୍ୟ ଖାଇଥାଉ। ପ୍ରତି ଶୁକ୍ରବାର ସେଠାରେ ଚଳଚ୍ଚିତ୍ର ଦେଖୁ। ପୃଥିବୀର ପରିବେଶଠାରୁ ସେଠାକାର ପରିବେଶ ସମ୍ପୂର୍ଣ୍ଣ ଭିନ୍ନ ଥିବାରୁ ନିଜକୁ ସୁସ୍ଥ ରଖିବାକୁ ବିଭିନ୍ନ ପ୍ରକାର ବ୍ୟାୟାମ୍‌ ମଧ୍ୟ କରିଥାଉ। ପରେ ଅବଶ୍ୟ ମେଡିକାଲ୍‌ ପରୀକ୍ଷା କରାଯାଇଥାଏ। ଆଣ୍ଠୁଗଣ୍ଠି, ଆଖି ଆଦି ବିଭିନ୍ନ ପରୀକ୍ଷା ନିରୀକ୍ଷା କରାଯାଇଥାଏ। ସେହିଭଳି ଚୁଟି କାଟିବା ପରେ ମଜାଦାର ଘଟଣା ଘଟିଥାଏ। ସପ୍ତାହକୁ ଗୋଟିଏ ଦିନ ସଫେଇ ଅଭିଯାନ ହୋଇଥାଏ। ଆମେ ସ୍ପେସ୍‌ ସଟଲ୍‌କୁ ଗୋଟିଏ ଘର ଭାବରେ ମାନି କାର୍ଯ୍ୟ କରୁ।

ଅବସର ସମୟ କିପରି ବିତାନ୍ତି?
ମହାକାଶରେ ଅବସର ସମୟ ବିତାଇବାରେ ଜାପାନର ରୋବୋଟ୍‌ମାନେ ଆମକୁ ବିଶେଷ ସହାୟକ ହୋଇଥାଆନ୍ତି। ମୋ ନାଁ ଫିସର ହୋଇଥିବାରୁ ମୁଁ ବିଭିନ୍ନ ମାଛ ରୋବୋଟ ସହ ଖେଳେ। ସେହିପରି ବିଭିନ୍ନ ଛୋଟ ଛୋଟ ରୋବୋଟ୍‌ମାନଙ୍କ ସହିତ ମଜା ନେଇଥାଉ।

ମହାକାଶ ଅଭିଯାନ ଅବସରରେ କେଉଁ କେଉଁ ବିଷୟରେ ଗବେଷଣା ହୋଇଥିଲା?
ମହାକାଶରେ ୧୩୬ ଦିନର ରହଣି ଅବସରରେ ଆମ ଦଳ ପ୍ରାୟ ୩୩୭ଟି ବିଷୟରେ ଗବେଷଣା କରିିଥିଲା। ପୃଥିବୀ ବାହାରେ ମାନବସତ୍ତାର ଜୀବନ କିପରି ସମ୍ଭବ ହେବା, କର୍କଟ ରୋଗର ଉନ୍ନତ ଚିକିତ୍ସା, ଆଣ୍ଠୁ ଚିକିତ୍ସାର ଉନ୍ନତ ଚିକିତ୍ସା ବିଶେଷକରି ଯୁଦ୍ଧ ପରବର୍ତ୍ତୀ ସମୟରେ ଆହତ ସୈନିକମାନଙ୍କୁ ଟ୍ରମା ଚିକିତ୍ସା ଯୋଗାଇଦେବା ଆଦି ବିଷୟରେ ପରୀକ୍ଷାନିରୀକ୍ଷା ହୋଇଥିଲା।

ମହାକାଶରୁ ପୃଥିବୀ କିପରି ଦେଖାଯାଏ? ମହାକାଶରୁ ଆପଣ କ’ଣ କ’ଣ ଦେଖିଛନ୍ତି?
ମହାକାଶରୁ ପୃଥିବୀ ଘନ ନୀଳ ପ୍ରିଜମ୍‌ ଭଳି ଏକ ସୁନ୍ଦର ବସ୍ତୁ ସ୍ୱରୂପ ଦୃଶ୍ୟମାନ ହୋଇଥାଏ। ହରିକେନ୍‌ ବାତ୍ୟାକୁ ଆମେ ମହାକାଶରୁ ଦେଖିଛୁ। ସେହିପରି କାନାଡ଼ା ସହର ମଧ୍ୟ ମହାକାଶରୁ ଏକ ନୀଳରେଖା ଭଳି ଦେଖାଯାଇଥାଏ। ମୋର ପ୍ରିୟ ବାହାମା ସହରକୁ ମୁଁ ବରାବର ଦେଖେ। ଏହାସହି ପ୍ରତିଦିନ ଝରକା ପାଖରେ ବସି ସୂର୍ଯ୍ୟଙ୍କୁ ଦେଖେ।

ମହାକାଶରେ ବିତାଇଥିବା କିଛି ଅଭୁଲା ସମୟ?
ମହାକାଶରେ ଥିବା ଅବସ୍ଥାରେ ମୁଁ ମୋର ୨୦ତମ ବିବାହବାର୍ଷିକୀ ପାଳନ କରିଥିଲି। ବିଜ୍ଞାନର ଉପଯୋଗରେ ମୁଁ ମୋ ସ୍ତ୍ରୀଙ୍କ ସହ କଥା ହୋଇପାରିଥିଲି। ସେହିପରି ମହାକାଶରୁ ଲାଇଭ୍‌ ଟିଭି ସୋ’ରେ ଉପସ୍ଥାପକ ପ୍ରଥମ ପ୍ରଶ୍ନରେ ପଚାରିଥିବା ପ୍ରଶ୍ନ ମୋତେ କେଉଁ ମୁଭି ଭଲ ଲାଗେ ମଧ୍ୟ ବେଶ୍‌ ଆନନ୍ଦଦାୟକ ଥିଲା।

ସମ୍ବନ୍ଧିତ ଖବର