ନାସା ମହାକାଶଚାରୀ ଜ୍ୟାକ୍‌ ଡି ଫିସର ଭୁବନେଶ୍ୱରରେ

ମହାକାଶରେ ବିତାଇଛନ୍ତି ୧୩୬ ଦିନ

ଚନ୍ଦ୍ରଶେଖରପୁର: ପ୍ରସିଦ୍ଧ ମହାକାଶବିଜ୍ଞାନୀ ତଥା ନାଶା ମହାକାଶଚାରୀ ଜ୍ୟାକ୍‌ ଡି ଫିସର ଆଜି ଭୁବନେଶ୍ୱରରେ ପହଞ୍ଚିଛନ୍ତି। ଆମେରିକୀୟ ବାୟୁସେନାରେ କର୍ଣ୍ଣେଲ୍‌ ଭାବରେ କାର୍ଯ୍ୟରତ ଜ୍ୟାକ୍‌ ଫିସର ବୁଧବାର ଦିନ ସାଇ ଇଣ୍ଟରନ୍ୟାସ୍‌ନାଲ ସ୍କୁଲ୍‌ର ବିଜ୍ଞାନ ମହୋତ୍ସବ ସାଇ ଟେଡ୍‌ରେ ଯୋଗଦେବା ନିମନ୍ତେ ପ୍ରଥମ କରି ଓଡ଼ିଶା ଆସିଛନ୍ତି। ଜୁଲାଇ ୨୦୦୯ରେ କର୍ଣ୍ଣେଲ୍‌ ଜ୍ୟାକ୍‌ ନାସା ପକ୍ଷରୁ ଚୟନ ହୋଇଥିଲେ। କଲ୍‌ରାଡୋରେ ବାସ କରୁଥିବା ଜ୍ୟାକ୍‌ ଏକ୍ସିପେଡିସନ୍‌ ୫୧/୫୨ ଅନ୍ତର୍ଗତ ଅନ୍ତର୍ଜାତୀୟ ମହାକାଶ କେନ୍ଦ୍ରରେ ଫ୍ଲାଇଟ୍‌ ଇଞ୍ଜିନିୟର ଭାବରେ କାର୍ଯ୍ୟ କରୁଥିଲେ। ଜ୍ୟାକ୍‌ ମହାକାଶରେ ୧୩୬ ଦିନ ଅତିବାହିତ କରି ସେପ୍ଟେମ୍ବର ୩, ୨୦୧୭ ମସିହାରେ ପୃଥିବୀ ପୃଷ୍ଠରେ ଅବତରଣ କରିଥିଲେ। ମହାକାଶରେ ତାଙ୍କ ସହିତ ଆହୁରି ଦୁଇ ଜଣ ମଧ୍ୟ ଥିଲେ। ଏହି ୧୩୬ ଦିନର ରହଣି ମଧ୍ୟରେ ଜ୍ୟାକ୍‌ ଓ ତାଙ୍କ ସହଯୋଗୀମାନେ ଶହ ଶହ ପରୀକ୍ଷା ନିରୀକ୍ଷା କରିଥିଲେ। ୪୫ ପ୍ରକାର ଏୟାରକ୍ରାଫ୍ଟରେ ୩୦୦୦ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟର ଉଡ଼ାଣ ଭରିଥିବା ଜ୍ୟାକ୍‌ ୟୁଏସ୍‌ ଏୟାର ଫୋର୍ସ ଏକାଡେମିରୁ ମହାକାଶ ବିଜ୍ଞାନରେ ପାଠ ପଢ଼ିବା ସହିତ ବାୟୁସେନାରେ ଜଣେ କମାଣ୍ଡ୍‌ ପାଇଲଟ୍‌ ଭାବରେ କାର୍ଯ୍ୟକରନ୍ତି। ଏହାସହିତ ସେ ବିଭିନ୍ନ ଅନୁଷ୍ଠାନ ସହିତ ମଧ୍ୟ ଜଡ଼ିତ ଅଛନ୍ତି।

ସମ୍ବନ୍ଧିତ ଖବର