ଭୁବନେଶ୍ବର : କଥାରେ ଅଛି ମାନବ ସେବା ମାଧବ ସେବା। ମାତ୍ର ସେବା ବି ଆଜିକାଲି ଚଢ଼ା ଦର ଦେଇ କିଣିବାକୁ ପଡ଼ୁଛି। ରୋଗୀକୁ ସୁସ୍ଥ କରିବା ପାଇଁ ମାଳମାଳ ଘରୋଇ ଡାକ୍ତରଖାନା ଖୋଲିଛି ସତ କିନ୍ତୁ କିଛି ମେଡିକାଲ୍ରେ ରୋଗୀଙ୍କୁ ସେବା ବଦଳରେ ଠକେଇର ଶିକାର ହେବାକୁ ପଡ଼ୁଛି। କେଉଁଠି ମରି ଯାଇଥିବା ରୋଗୀକୁ ବଞ୍ଚିଥିବାର ଆଶ୍ବାସନା ଦେଇ ଲକ୍ଷଲକ୍ଷ ଟଙ୍କା ଆଦାୟ ହେଉଛି ତ କେଉଁଠି ଆଧୁନିକ ବ୍ୟବସ୍ଥା ଆଳରେ ଲକ୍ଷେ ଜାଗାରେ ୩ ଲକ୍ଷ ଦାବି କରାଯାଉଛି। ଏଣେ ସ୍ବଜନଙ୍କୁ ରୋଗ ଯନ୍ତ୍ରଣାରେ ଛଟପଟ ହେବା ଦେଖିବା ଅପେକ୍ଷା ଲକ୍ଷଲକ୍ଷ ଟଙ୍କା ଋଣ କରି ସ୍ବାସ୍ଥ୍ୟ ସେବା ଯୋଗାଇବାକୁ ବାଧ୍ୟ ହେଉଛନ୍ତି ବିଚାରା ରୋଗୀର ପରିବାର। ଅନ୍ତରାଳରେ ସ୍ବାସ୍ଥ୍ୟ ବ୍ୟବସ୍ଥାର ଏହି ନଗ୍ନ ଚିତ୍ରକୁ ଆଜି ରବୀନ୍ଦ୍ର ମଣ୍ଡପରେ ହାସ୍ୟରସ ସହ ନାଟକ ‘ଠିଆପାଲା’ରେ ପରସି ଦେଇଥିଲେ ‘ପଞ୍ଚମବେଦ’ ଅନୁଷ୍ଠାନର କଳାକାରବୃନ୍ଦ।
Sambad is now on WhatsApp
Join and get latest news updates delivered to you via WhatsApp
‘ସ୍ରିଷ୍ଟି ହାସ୍ୟରସାତ୍ମକ ନାଟକ ଉତ୍ସବ’ର ତୃତୀୟ ସନ୍ଧ୍ୟାରେ ମଂଚସ୍ଥ ଏହି ନାଟକକୁ ଶଙ୍କର ତ୍ରିପାଠୀ ରଚନା କରିଥିବା ବେଳେ ନିର୍ଦେଶନା ଦେଇଥିଲେ ହରେନ୍ ସାହୁ। ହାସ୍ୟ ରସାତ୍ମକ ସଂଳାପ ଦର୍ଶକଙ୍କୁ ହସାଇବାରେ ସଫଳ ହୋଇଥିଲା। ନାଟକରେ ଜିତୁ, ବାପୁ, ମାନସ, ମନୀଷା, ସୁବାସ, ଚିତ୍ତ, କରୁଣାକାର, ପ୍ରକାଶ, ମମତା, ଲକ୍ଷ୍ମୀପ୍ରିୟା, ଜ୍ଞାନ, ଅବିନାଶ, କେ ଚନ୍ଦ୍ରଶେଖର, ବିବେକ୍, ନରେନ୍ ପ୍ରମୁଖ ଅଭିୟ କରିଥିଲେ। ଆଜିର କାର୍ଯ୍ୟକ୍ରମକୁ ନାଟ୍ୟକାର ନବୀନ ପରିଡ଼ା, ସୁରେନ୍ଦ୍ର ଦାସ ପ୍ରମୁଖ ଅତିଥି ଭାବେ ଯୋଗଦେଇ ଉଦ୍ଘାଟନ କରିଥିଲେ। ହରେନ୍ ସାହୁ ମଂଚ ପରିଚାଳନା କରିଥିଲେ।