ମଞ୍ଚସ୍ଥ ହେଲା ‘ବାପୁ’

ଭୁବନେଶ୍ବର : ମଞ୍ଚରେ ଥିଲେ ‘ବାପୁ’। ଚରିତ୍ର ଥିଲା ନକଲି। କିନ୍ତୁ ବାପୁଙ୍କ ଆଦର୍ଶ, ମାନବିକ ମୂଲ୍ୟବୋଧ,  ସମୟାନୁବର୍ତ୍ତିତା, ଦର୍ଶନ, ଶୃଙ୍ଖଳା ଓ ସହନଶୀଳତା ଆଦି ତାଙ୍କର ମହତ୍‌ଗୁଣ ଥିଲା ସମ୍ପୂର୍ଣ୍ଣ ଅସଲି। ବାପୁଙ୍କ ଉପରେ ତ ଏମିତି ଅନେକ ପୁସ୍ତକ, ପ୍ରବନ୍ଧ, ନିବନ୍ଧ ଓ ତଥ୍ୟାବଳୀ ପ୍ରକାଶିତ ହୋଇଛି। କିନ୍ତୁ ଏହି ନାଟକରେ ମହାତ୍ମାଙ୍କ ଜୀବନର ଶେଷ ୨୮ ବର୍ଷ ଅର୍ଥାତ ୧୯୨୦ରୁ ୧୯୪୮ ମସିହାର କଥାକୁ ମଞ୍ଚରେ ଉପସ୍ଥାପିତ କରାଯାଇଥିଲା। ବାପୁଙ୍କ ଅନୁସରଣଗାମୀ, ତାଙ୍କ ସହ ସମ୍ପର୍କିତ ବ୍ୟକ୍ତିତ୍ବ ଓ ଐତିହାସିକ ତଥ୍ୟାବଳୀ ଯଥା, ବିଭିନ୍ନ ଚିଠି, ଗବେଷଣା ନିବନ୍ଧ, କିଛି ପୁସ୍ତକ ଓ ତଥ୍ୟ‌ାବଳୀ ଆଦିକୁ ସଂଗ୍ରହ କରାଯାଇ ନାଟକ ରଚିତ ହୋଇଛି। ନାଟକର ରଚନା ଜିତ୍‌ ଶତ୍ରଘ୍ନି କରିଥିବା ବେଳେ ସମୀର ବିଶ୍ବାଳ ନିର୍ଦ୍ଦେଶନା ଦେଇଥିଲେ।

ଆଜି ଅଭିନୟ ଜାଗୃତି ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଥିଏଟର (ଅଜିତ୍‌) ପକ୍ଷରୁ ଆୟୋଜିତ ସପ୍ତମ ଅଜିତ ନାଟ୍ୟ ମହୋତ୍ସବର ଦ୍ବିତୀୟ ଦିନରେ କୋଲକାତାର ନାଟ୍ୟାନୁଷ୍ଠାନ ‘ମାଙ୍ଗୋଲିକ୍‌’ ପକ୍ଷରୁ ଏହି ନାଟକ ପରିବେଷିତ ହୋଇଛି। ଆଜି ସନ୍ଧ୍ୟାରେ ନାଟ୍ୟ ନିର୍ଦ୍ଦେଶକ ବିଜୟ ମିଶ୍ର ଓ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମି ସଚିବ ବିଜୟ ଜେନା ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ। ଅଜିତ ଦାସ ସ୍ବାଗତ ଭାଷଣ ଦେଇଥିଲେ ଓ ଶୁଭ୍ରାଂଶୁ ବେହେରା ମଞ୍ଚ ସଂଯୋଜନା କରିଥିଲେ।

ସମ୍ବନ୍ଧିତ ଖବର