ମିରର୍‌ ପକ୍ଷରୁ ଏକକ ନାଟକ ମହୋତ୍ସବ : ପରିବେଷିତ ହେଲା ନାଟକ ‘ନାରୀକବି’ ଓ ‘ମୀରା’

ଭୁବନେଶ୍ୱର : ‘ମିରର୍‌’ ଓ ‘ଏକା’ ଅନୁଷ୍ଠାନ ପକ୍ଷରୁ ଉତ୍କଳ ରଙ୍ଗମଞ୍ଚର ସହଯୋଗରେ ରାଷ୍ଟ୍ରୀୟ ଏକକ ନାଟକ ମହୋତ୍ସବ ‘ଏକା’ ଭଞ୍ଜକଳା ମଣ୍ଡପରେ ଆରମ୍ଭ ହେଇଯାଇଛି। ଏହା ତିନି ଦିନ ଧରି ଚାଲିବ। ପ୍ରଥମ ଦିନରେ ଉତ୍କଳ ରଙ୍ଗମଞ୍ଚ ପକ୍ଷରୁ ‘ନାରୀକବି’ ଓ ରାୟପୁର, ଛତିଶଗଡ଼ର ଶ୍ରୀୟା ଥିଏଟର ପକ୍ଷରୁ ‘ମୀରା’ ନାଟକ ପରିବେଷିତ ହୋଇଥିଲା। ନାଟକ ‘ନାରୀକବି’ରେ ଜଣେ ମା’, ଗୃହିଣୀ ଓ ଶିକ୍ଷୟିତ୍ରୀଙ୍କ ହୃଦୟ ବିଦାରକ କାହାଣୀ ନିଖୁଣ ଭାବେ ଦର୍ଶକମାନଙ୍କ ସାମ୍ନାରେ ଉପସ୍ଥାପିତ ହୋଇଥିଲା। ପରେ ମଞ୍ଚରେ ପରିବେଷିତ ହୋଇଥିଲା ଦ୍ୱିତୀୟ ନାଟକ ‘ମୀରା’। ଏହା ଉଭୟ ହିନ୍ଦୀ ଓ ରାଜସ୍ଥାନୀ ଭାଷାରେ ପରିବେଷିତ ହୋଇଥିଲା। ମୀରା ଓ କୃଷ୍ଣଙ୍କ ପ୍ରେମ ଉପରେ ଆଧାରିତ ହୋଇଥିଲା ଏହି ନାଟକ।

ଆଜିର ଏହି କାର୍ଯ୍ୟକ୍ରମରେ ଅତିଥି ଭାବେ ରେଭେନ୍‌ସା ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ଇଶାନ କୁମାର ପାତ୍ର ଅତିଥି ଭାବେ ଯୋଗ ଦେଇଥିଲେ। ଏହି ଅବସରରେ ମଞ୍ଚକଳା ପାଇଁ କେଦାର ଆପ୍ତାଙ୍କୁ ‘ତୃତୀୟ ଅସୀମ ବସୁ ସମ୍ମାନ’ ପ୍ରଦାନ କରାଯାଇଥିବା ବେଳେ ଭାସ୍ୱତୀ ବସୁଙ୍କୁ ‘ଅନନ୍ତ ମହାପାତ୍ର ସମ୍ମାନ’ ଦିଆଯାଇଥିଲା। ‘ମିରର୍‌’ର ଉପଦେଷ୍ଟା ଅନନ୍ତ ମହାପାତ୍ର, ସଭାପତି ଅଜୟ ମହାପାତ୍ର, ସଂପାଦକ ଶିବଶଙ୍କର ତ୍ରିପାଠୀ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର