‘ନାଟକ ପରିକ୍ରମାର’ର ଶେଷ ସନ୍ଧ୍ୟାରେ ‘ନିଜଠୁ ନିଜର ଦୂରତା’ : ମାନସିକତା ନ ମିଶିଲେ ସମ୍ପର୍କ ମୂଲ୍ୟହୀନ

ଭୁବନେଶ୍ୱର : ରାତି ନଥିଲେ ଦିନର ଗୁରୁତ୍ୱ କ’ଣ? ଯଦି ରାତିକୁ ଆମେ ଭଲପାଇବା ନାହିଁ, ତା’ହାଲେ ଦିନର ଆବଶ୍ୟକତାର କିଛି ମୂଲ୍ୟ ରହିବ ନାହିଁ। ଯଦି ଅନ୍ଧାର ନାହିଁ, ଆଲୋକର ମୂଲ୍ୟ କ’ଣ? ଏମିତି ଏକ ପାରିବାରିକ କାହାଣୀକୁ ଭିତ୍ତି କରି ରବୀନ୍ଦ୍ର ମଣ୍ଡପରେ ପରିବେଷିତ ହୋଇଛି ନାଟକ ‘ନିଜଠୁ ନିଜର ଦୂରତା’। ସମାନ୍ତରାଳ ଚରିତ୍ର ଥିବା ଦୁଇ ମଣିଷ ଶକୁନ୍ତଳା ଓ ଦୁଷ୍ମନ୍ତ। ଦୁଇ ଜଣ ସେମାନଙ୍କ ନିଜସ୍ୱ ଭାବନାରେ ମଗ୍ନ ଓ ଏକ ଅପହଞ୍ଚ ଇଲାକାର ସ୍ୱର। ଏମାନେ ବିବାହ କରିଥିଲେ, କିନ୍ତୁ ଅଧିକ ଦିନ ସଂସାର କରିପାରିଲେ ନାହିଁ। ପରସ୍ପର ପରସ୍ପରକୁ ଭଲ ଭାବେ ନା’ ବୁଝି ପାରିଲେ ନା ମିଶି ପାରିଲା ସେମାନଙ୍କ ମନ। ଏଇ ବୁଝିବା ଓ ଅବୁଝା ହେବା ସମୟ ମଧ୍ୟରେ ସେମାନଙ୍କର ସନ୍ତାନଟିଏ ଜନ୍ମ ହୋଇଥିଲା। କିନ୍ତୁ ଦୁଃଖର କଥା ସେମାନେ ବାପା, ମା’ ହୋଇପାରି ନଥିଲେ। ସେଥିପାଇଁ ଦାୟୀ ଥିଲା କେବଳ ତାଙ୍କର ମାନସିକତା। ତାହଲେ ସେ ମାନସିକତାର ନାମ କ’ଣ ଦିଆଯିବ ‘ନିଜଠୁ ନିଜର ଦୂରତା’।

ଉତ୍ତର ପୁରୁଷ ନାଟ୍ୟସଂସ୍ଥା ପକ୍ଷରୁ ଚାଲିଥିବା ‘ନାଟକ ପରିକ୍ରମାର’ ଶେଷ ସନ୍ଧ୍ୟାରେ ଏମିତି ପାରିବାରିକ କଳହ ଓ ମତାନ୍ତରକୁ ନେଇ ତିଆରି ହୋଇଥିବା ଏହି ନାଟକକୁ ଦର୍ଶକମାନେ ବେଶ୍‌ ଉପଭୋଗ କରିଥିଲେ। ନାଟକର ନିର୍ଦ୍ଦେଶନା ଦେଇଥିଲେ ଗୌରୀଶ୍ୟାମ ମହାପାତ୍ର ଓ ରଚନା କରିଥିଲେ ଶଙ୍କର ତ୍ରିପାଠୀ। ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ପ୍ରତାପ ରାଉତ। ପବିତ୍ର, ଲକ୍ଷ୍ମୀନାରାୟଣ, ଦେବେନ୍ଦ୍ର, ସୁନୀଲ୍‌, ଦୀପନ୍ଵିତ, ନିଶିକାନ୍ତ, ସ୍ମୃତି, ବିଭବ, ଦୀପାଞ୍ଜଳି ପ୍ରମୁଖ ଅଭିନୟ କରିଥିଲେ। ଆଜିର ସନ୍ଧ୍ୟାରେ ନାଟ୍ୟ ନିର୍ଦ୍ଦେଶକ ଧୀର ମଲ୍ଲିକ, ମନୋଜ ପଟ୍ଟନାୟକ, ଶଙ୍କର ତ୍ରିପାଠୀ ଓ ଅଭିନ୍ନ ରାଉତରାୟ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ।

ସମ୍ବନ୍ଧିତ ଖବର