ଆରମ୍ଭ ହେଲା ଉତ୍ତର ପୁରୁଷର ନାଟକ ପରିକ୍ରମା : ମୋବାଇଲ୍‌ ଓ ସମ୍ପର୍କ

ଭୁବନେଶ୍ୱର : ଛାର୍‌ ଏକ ଯନ୍ତ୍ର ଏବେ ମଣିଷ ମଣିଷ ମଧ୍ୟରେ ଥିବା ନିବିଡ଼ ସମ୍ପର୍କକୁ ଭାଙ୍ଗି ଦେଇଛି। ପୂର୍ବେ ବନ୍ଧୁ ପରିଜନଙ୍କ ସହ ଭାବ ଦିଆନିଆରେ ସମ୍ପର୍କ ମଜଭୁତ ହେଉଥିବା ବେଳେ ଏବେ ମୋବାଇଲ୍‌ ସେ ସ୍ଥାନ ଅକ୍ତିଆର କରିଛି। ମଣିଷ ମଣିଷ ମଧ୍ୟରେ ଥିବା ସମ୍ପର୍କକୁ ପଛରେ ପକାଇ ମଣିଷ ଏବେ ମୋବାଇଲ୍‌ ପ୍ରେମରେ ପଡ଼ିଛି। ତେଣୁ ବନ୍ଧୁ, ପରିଜନଙ୍କ ସହ ଯେବେଠୁ ଭାବଗତ ସମ୍ପର୍କ ସୀମିତ ହୋଇଯାଇଛି ସେଇ ପ୍ରଭାବରେ ଅନେକ ମଣିଷ ଏକାକିତ୍ୱକୁ ଭୋଗୁଛନ୍ତି। ଏହିଭଳି ଏକ କଥାବସ୍ତୁକୁ ନେଇ ଆଜି ସ୍ଥାନୀୟ ରବୀନ୍ଦ୍ର ମଣ୍ଡପରେ ମଂଚସ୍ଥ ହୋଇଛି ନାଟକ ‘କେବଳ ଆମେ’। ଉତ୍ତର ପୁରୁଷ ନାଟ୍ୟସଂସ୍ଥା ପକ୍ଷରୁ ଆଜିଠୁ ଆରମ୍ଭ ହୋଇଥିବା ନାଟକ ପରିକ୍ରମାର ପ୍ରଥମ ସନ୍ଧ୍ୟାରେ ମଂଚସ୍ଥ ହୋଇଛି ଏହି ନାଟକ।

ସମସାମୟିକ କଥାବସ୍ତୁକୁ ନେଇ ଡ. ଅରବିନ୍ଦ ରାୟଙ୍କ ରଚିତ ଗଳ୍ପର ନାଟ୍ୟରୂପ ମଂଚରେ ଦେଖିବାକୁ ମିଳିଥିଲା। ଏହାକୁ ନିର୍ଦେଶନା ଦେଇଥିଲେ ପବିତ୍ର ମହାନ୍ତି। ମାନୁ, ସୁନିଲ୍‌, ପବିତ୍ର, ସୀମା, ସ୍ୱାତୀଲିପ୍‌ସା ପ୍ରମୁଖ ଅଭିନୟ କରିଥିବା ବେଳେ ସଂଗୀତ ନିର୍ଦେଶନା ଦେଇଥିଲେ ପ୍ରତାପ ରାଉତ। ବାଞ୍ଛାନିଧି ପଟ୍ଟନାୟକ ରୂପସଜା କରିଥିବା ବେଳେ ଆଲୋକ ସମ୍ପାଦନା କରିଥିଲେ ସୀମନ୍ତ ମହାନ୍ତି। ସନ୍ଧ୍ୟାରେ ଡ. ଦେବାଶିଷ ପାଣିଗ୍ରାହୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରିଥିବା ବେଳେ ନାଟକର ନାଟ୍ୟକାର ଡ. ଅରବିନ୍ଦ ରାୟ, ଉତ୍ତର ପୁରୁଷର ସମ୍ପାଦକ ଗୌରୀଶ୍ୟାମ ମହାପାତ୍ର, ଉପସଭାପତି ଚିତ୍ତରଂଜନ ସ୍ୱାଇଁ ଏବଂ ଅଭିନ୍ନ ରାଉତରାୟ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର