୨୭ରୁ ଜାତୀୟ ଚିଲିକା ପକ୍ଷୀ ମହୋତ୍ସବ

ଭୁବନେଶ୍ୱର : ଜାନୁଆରି ୨୭ରୁ ମଙ୍ଗଳାଯୋଡ଼ିରେ ପ୍ରଥମଥର ପାଇଁ ଆରମ୍ଭ ହେବାକୁ ଯାଉଛି ଜାତୀୟ ଚିଲିକା ପକ୍ଷୀ ମହୋତ୍ସବ। ରାଜ୍ୟ ପର୍ଯ୍ୟଟନ ବିଭାଗ, ଜଙ୍ଗଲ ଓ ପରିବେଶ ବିଭାଗର ମିଳିତ ଉଦ୍ୟମରେ ଏହି ମହୋତ୍ସବ ଆୟୋଜନ କରାଯାଉଛି। ଏନେଇ ଆଜି ପାନ୍ଥନିବାସଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଜଙ୍ଗଲ ଓ ପରିବେଶ ବିଭାଗର ଅତିରିକ୍ତ ମୁଖ୍ୟଶାସନ ସଚିବ ସୁରେଶ ମହାପାତ୍ର କହିଛନ୍ତି, ଦୁଇଦିନ ଧରି ହେବାକୁ ଥିବା ଏହି ମହୋତ୍ସବ ସାଧାାରଣ ପର୍ଯ୍ୟଟକଙ୍କଠାରୁ ଆରମ୍ଭ କରି ବନ୍ୟଜନ୍ତୁ ଫଟୋଗ୍ରାଫର, ଗବେଷକମାନଙ୍କ ପାଇଁ ପକ୍ଷୀଙ୍କ ସମ୍ପର୍କରେ ଅଧିକ ଜାଣିବା ପାଇଁ ଏକ ବିଶେଷ ସୁଯୋଗ ଆଣିଛି।

ମହୋତ୍ସବରେ ଭାଗ ନେବା ପାଇଁ ସର୍ବନିମ୍ନ ରେଜିଷ୍ଟ୍ରେସନ୍‌ ଫି ରଖାଯାଇଛି। ବିଭାଗର େଓ୍ଵବସାଇଟ୍‌ରୁ ଅନ୍‌ଲାଇନ୍‌ ଜରିଆରେ ଜଣେ ଫି ଦାଖଲ କରିପାରିବ। ଏ ସମ୍ପର୍କରେ ଅଧିକ ତଥ୍ୟ ପର୍ଯ୍ୟଟନ ବିଭାଗ ସହିତ ଜଙ୍ଗଲ ଓ ପରିବେଶ ବିଭାଗର ଟ୍ଵିଟର, ଫେସ୍‌ବୁକ୍‌ ପେଜ୍‌ରେ ଉପଲବ୍ଧ। ମହୋତ୍ସବରେ ଚିଲିକାର ଜୈବ ବିବିଧତା, ନଳବଣ ଓ ଅନ୍ୟାନ୍ୟ ସ୍ଥାନରେ ଦେଖାଯାଉଥିବା ବିଦେଶୀ ପକ୍ଷୀଙ୍କ ସମ୍ପର୍କରେ ବିଭିନ୍ନ ଆଲୋଚନାଚକ୍ର କରାଯିବ ବୋଲି ଚିଲିକା ଡେଭଲପମେଣ୍ଟ ଅଥରିଟି ସିଇଓ ସୁଶାନ୍ତ ନନ୍ଦ ସୂଚନା ଦେଇଛନ୍ତି। ଏଥିସହ ପକ୍ଷୀଙ୍କ ସମ୍ପର୍କିତ ସ୍ୱତନ୍ତ୍ର ପ୍ରଦର୍ଶନୀ ସହ କ୍ଷୁଦ୍ର ପ୍ର୍ରାମାଣିକ ଚଳଚ୍ଚିତ୍ର ପ୍ରଦର୍ଶନୀ କରାଯିବ। ପର୍ଯ୍ୟଟନ ବିଭାଗ ନିର୍ଦ୍ଦେଶକ ନିତିନ୍‌ ଭାନୁଦାସ ଜାୱାଲେ କହିଛନ୍ତି, ମହୋତ୍ସବରେ ଭାଗ ନେଉଥିବା ବ୍ୟକ୍ତିଙ୍କ ପାଇଁ ପର୍ଯ୍ୟଟନ ବିଭାଗ ପକ୍ଷରୁ ସ୍ୱତନ୍ତ୍ର ବସ୍‌ର ବ୍ୟବସ୍ଥା କରାଯାଉଛି। ଭୁବନେଶ୍ୱର-ମଙ୍ଗଳାଯୋଡି-ନଳବଣ-ଭୁବନେଶ୍ୱର, ବରକୁଳ-ନଳବଣ-ବାର୍ଡସ୍‌ ଆଇଲାଣ୍ଡ-ରମ୍ଭା-ବରକୁଳ, ରମ୍ଭା-ନଳବଣ-ବାର୍ଡସ୍‌ ଆଇଲାଣ୍ଡ-ରମ୍ଭା, ସାତପଡ଼ା-ମଗରମୁଖ-ମଙ୍ଗଳାଯୋଡି, ସାତପଡ଼ା-ନଳବଣ-ବରକୁଳ ପରି ୫ଟି ରୁଟ୍‌ରେ ଦର୍ଶକ ବୁଲି ପାରିବେ। ଏହି ମହୋତ୍ସବକୁ ପର୍ଯ୍ୟଟନ କ୍ୟାଲେଣ୍ଡରରେ ସାମିଲ କରାଯିବା ନେଇ ସାମ୍ବାଦିକ ସମ୍ମିଳନୀରେ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ବନ୍ୟଜନ୍ତୁ ଫଟୋଗ୍ରାଫର ଅବିନାଶ ପାଢ଼ୀ ନିଜ ଅନୁଭୂତି ବର୍ଣ୍ଣନା କରିଥିଲେ।

ସମ୍ବନ୍ଧିତ ଖବର