ଜାତୀୟ ସଂସ୍କୃତି ଉତ୍ସବ, ୪ ପ୍ରତିଭାଙ୍କୁ ‘ଇନ୍ଦିରା କୃତି’ ସମ୍ମାନ

ଭୁବନେଶ୍ବର: ଇଣ୍ଡିଆନ୍‌ କାଉନ୍‌ସିଲ ଫର କଲଚରାଲ ରିଲେସନ୍‌, ଅବନ୍ତିକା ସାଂସ୍କୃତିକ ଓ ସାମାଜିକ ମଙ୍ଗଳ ଏକାଡେମି ଏବଂ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ଆଜି ‘ଜାତୀୟ ସାଂସ୍କୃତିକ ମହୋତ୍ସବ’ ରବୀନ୍ଦ୍ର ମଣ୍ଡପଠାରେ ଅନୁଷ୍ଠିତ ହୋଇଯାଇଛି। ସଂଧ୍ୟାର ପ୍ରଥମ ପ୍ରସ୍ତୁତିରେ ଥିଲା ଭାଓଲିନ ବାଦନ। ଯାହାକୁ ପରିବେଷଣ କରିଥିଲେ ମୁମ୍ବାଇର ଶେଖର ତାଞ୍ଜୋକର। ପରେ ସୁଲେଖା ଭଟ୍ଟ ପରିବେଷଣ କରିଥିଲେ ହିନ୍ଦୁସ୍ଥାନୀ ଶାସ୍ତ୍ରୀୟ ସଙ୍ଗୀତ। ପରେ ତାପସ ପଲଙ୍କ ତବଲା ବାଦନ ଓ ଅବନ୍ତିକା ଅନୁଷ୍ଠାନର ଶିଳ୍ପୀମାନେ ଓଡ଼ିଶୀ ନୃତ୍ୟ ପରିବେଷଣ କରିଥିଲେ। ପଦ୍ମଜା ଭେଙ୍କଟେଶ ସୁରେଶ ଭାରତନାଟ୍ୟମ ନୃତ୍ୟ ପରିବେଷଣ କରିଥିଲେ। ସଂଧ୍ୟାର ଶେଷ ପରିବେଷଣ ଥିଲା ଅରୁସାମ୍ ମଧୁସୂଦନଙ୍କର। କାର୍ଯ୍ୟକ୍ରମରେ ଆଇସିସିଆର ଆଞ୍ଚଳିକ ଅଧିକାରୀ ବଲବୀର ସିଂ ନେଗୀ, ପଦ୍ମଶ୍ରୀ ଗୁରୁ ଗୋପାଳ ଦୁବେ, ସଞ୍ଜୟ କୁମାର ଚୌଧୁରୀ, ବିକି ବଙ୍ଗାରୀ, ଏମ୍‌.କେ ଜୈନ ଏବଂ ସ୍ନେହପ୍ରଭା ସାମନ୍ତରାୟ ପ୍ରମୁଖ ଯୋଗ ଦେଇଥିଲେ। ଏହି ଅବସରରେ ମୌତୁସୀ ରୟ, ପ୍ରଦୀପ ବାସା, ମଧୁସୂଧନ ହାତିଆଲ ଏବଂ ଜୟଦ୍‌ରଥ ସୁନାଙ୍କୁ ‘ଇନ୍ଦିରା କୃତି’ ସମ୍ମାନରେ ସମ୍ମାନିତ କରାଯାଇଥିଲା। ଦେବପ୍ରସାଦ ଦାସ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ। ସକାଳ ଅଧିବେଶନରେ କଳା ଏବଂ ଆନନ୍ଦ ଉପରେ ଏକ କର୍ମଶାଳା ଅନୁଷ୍ଠିତ ହୋଇଥିଲା ଏଥିରେ ପଦ୍ମଶ୍ରୀ ଗୋପାଳ ପ୍ରସାଦ ଦୁବେ, ସଞ୍ଜୟ କୁମାର ଚୌଧୁରୀ, ପଦ୍ମଜା ଭେଙ୍କଟେଶ ସୁରେଶ, ସୁଲେଖା ଭଟ୍ଟ ଓ ସ୍ନେହପ୍ରଭା ସାମନ୍ତରାୟ ପ୍ରମୁଖ ଯୋଗ ଦେଇଥିଲେ।

ସମ୍ବନ୍ଧିତ ଖବର